ମାରୁତି ଇଲେକ୍ଟ୍ରିକ କାରର ପରୀକ୍ଷଣ ଆରମ୍ଭ, ୨୦୨୦ ସୁଦ୍ଧା ବଜାରକୁ ଆସିବ

ନୂଆଦିଲ୍ଲୀ: ମାରୁତି-ସୁୁଜୁକୀ ଇଣ୍ଡିଆ ନିଜର ପ୍ରଥମ ଇଲେକ୍ଟ୍ରିକ କାର ମଡେଲର ପ୍ରଦର୍ଶନ କରିଛି । ଏହା ସହିତ କମ୍ପାନି ଏହି କାର ଗୁଡିକର ପରୀକ୍ଷାମୂଳକ ଚାଳନା ଆରମ୍ଭ କରିଛି । ପ୍ରାୟ ୫୦ଟି କାରକୁ ଦେଶର ବିଭିନ୍ନ ପରିବେଶରେ ପରୀକ୍ଷା କରାଯାଉଛି । ଏହି ପରୀକ୍ଷାରୁ ମିଳିଥିବା ତଥ୍ୟ ଅନୁସାରେ କାରକୁ ଆହୁରି ଉନ୍ନତ ଓ ତ୍ରୁଟିଶୂନ୍ୟ କରାଯିବ । ଏସବୁ ମଡେଲଗୁଡ଼ିକୁ ମାରୁତିର ମୂଳ କମ୍ପାନି ସୁଜୁକୀ କର୍ପୋରେସନ ପକ୍ଷରୁ ନିର୍ମାଣ କରାଯାଇଛି । ଆସନ୍ତା ୨୦୨୦ ସୁଦ୍ଧା ମାରୁତି-ସୁଜୁକୀ ନିଜର ଇଲେକ୍ଟ୍ରିକ କାର ଭାରତୀୟ ବଜାରକୁ ଛାଡିବବୋଲି ପୂର୍ବରୁ ଘୋଷଣା କରିସାରିଛି । ଦେଶରେ ପରିବେଶ ସୁରକ୍ଷା ଓ ପେଟ୍ରୋଲିୟମ ଉପରୁ ନିର୍ଭରଶୀଳତା ହ୍ରାସ ପାଇଁ ସରକାର ଇଲେକ୍ଟ୍ରିକ ଗାଡ଼ି ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ କମ୍ପାନି ଇଲେକ୍ଟ୍ରିକ କାର ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଦେଇଛନ୍ତି । କେବଳ ମାରୁତି ନୁହେଁ ଟାଟା ମୋଟର୍ସ, ଟୟୋଟା, ହୋଣ୍ଡା , ମହିନ୍ଦ୍ରା ଆଦି କମ୍ପାନି ମଧ୍ୟ ଇଲେକ୍ଟ୍ରିକ କାର ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିସାରିଛନ୍ତି ।

ସମ୍ବନ୍ଧିତ ଖବର