ଆସୁଛି ମାରୁତିର ଇଲେକଟ୍ରିକ୍‌ କାର୍‌…

ନୂଆଦିଲ୍ଲୀ: ଦେଶର ସବୁଠୁ ଅଧିକ କାର ବିକ୍ରି କରୁଥିବା କମ୍ପାନି ମାରୁତି ସୁଜୁକୀ ଆସନ୍ତା ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍‌ କାର ବଜାରକୁ ଛାଡ଼ିବ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ, କାରଣ ମାରୁତି ପାଖରେ ଇଲେକଟ୍ରିକ ଯାନ ନିର୍ମାଣର ଟେକନଲୋଜୀ ନାହିଁ ବୋଲି କହିଛନ୍ତି କମ୍ପାନିର ଅଧ୍ୟକ୍ଷ ଆରସି ଭାର୍ଗବ । ଟୟୋଟା ପକ୍ଷରୁ ଏବେ ଇକ୍ୟୁ ନାମକ ଇଲେକଟ୍ରିକ୍‌ କାର ବିକ୍ରି ହେଉଛି ।

ତେବେ ମାରୁତିର ପ୍ରଥମ ଇଲେକଟ୍ରିକ୍‌ କାରଟି କେଉଁ ପ୍ରକାରର ହେବ ତାହା ସଂପର୍କରେ କମ୍ପାନି ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ । କୌଣସି ନିଷ୍ପତ୍ତି ନେବା ପୂର୍ବରୁ କମ୍ପାନି ପ୍ରଥମେ ଏକ ସର୍ଭେ କରିବ । ଗ୍ରାହକ କେଉଁ ପ୍ରକାରର ଇଲେକଟ୍ରିକ୍‌ କାର ଚଢିବାକୁ ଚାହୁଁଛନ୍ତି ତାହା ଏହି ସର୍ଭେରୁ ଜଣାପଡ଼ିବ । ସର୍ଭେଟି ଫେବ୍ରୁଆରୀ ୨୦୧୮ ସୁଦ୍ଧା ସମ୍ପୂର୍ଣ୍ଣ ହେବ ବୋଲି ସେ ସୂଚନା ଦେଇଛନ୍ତି । ଦେଶରେ ଅଧିକରୁ ଅଧିକ କାର୍‌ କମ୍ପାନି ଏବେ ଇଲେକଟ୍ରିକ୍‌ କାର ନିର୍ମାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏବେ କେବଳ ମହିନ୍ଦ୍ରା ବ୍ୟବସାୟିକ ଭିତ୍ତିରେ ଇଲେକଟ୍ରିକ୍‌ କାର ବିକ୍ରି କରୁଛି । ଟାଟା ମୋଟର୍ସ ଏପର୍ଯ୍ୟନ୍ତ ବ୍ୟବସାୟିକ ଭିତ୍ତିରେ ଏହାର ବିକ୍ରି ଆରମ୍ଭ କରିନାହିଁ । ତେବେ ଟାଟା ମୋଟର୍ସ ପକ୍ଷରୁ ଚଳିତ ମାସ ପ୍ରାରମ୍ଭରେ ଟିଗୋର୍‌ ଇଲେକଟ୍ରିକ୍‌ କାର୍‌ର ପ୍ରଥମ ବ୍ୟାଚ୍‌ ବାହାରି ଥିଲା । କେନ୍ଦ୍ର ସରକାରଙ୍କ ଅଧିନସ୍ଥ ଏନର୍ଜି ଏଫିସିଏନ୍ସି ସର୍ଭିସେସ୍‌ ଲିଃ (ଇଇଏସଏଲ) ପକ୍ଷରୁ ୧୦ ହଜାର ଇଲେକଟ୍ରିକ୍‌ କାର୍‌ ଖରିଦ ପାଇଁ ଟେଣ୍ଡର ଡକାଯାଇଥିଲା । ଏଥିରେ ଟାଟା ମୋଟର୍ସ ବିଜୟୀ ହୋଇ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୫୦ କାର୍‌ ଯୋଗାଇବା ପାଇଁ ଚୁକ୍ତି ବଦ୍ଧ ହୋଇଥିଲା ।

ଦେଶର ତୈଳ ଆମଦାନୀ ହ୍ରାସ ଓ ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଭାରତ ସରକାର ୨୦୩୦ ସୁଦ୍ଧା କେବଳ ଇଲେକଟ୍ରିକ୍‌ କାର ନିମନ୍ତେ ଅନୁମତି ଦେବାକୁ ବିଚାର କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅଧିକରୁ ଅଧିକ କାର୍‌ କମ୍ପାନି ଇଲେକଟ୍ରିକ୍‌ କାର ନିର୍ମାଣ କରିବାକୁ ଯୋଜନା କରୁଛନ୍ତି ।

ସମ୍ବନ୍ଧିତ ଖବର