ବଜାରରୁ ୬୩ ହଜାରରୁ ଅଧିକ କାର ଫେରାଇନେବ ମାରୁତି ସୁଜୁକି, ତାଲିକାରେ ନାହିଁ ତ ଆପଣଙ୍କ କାର !

ମୁମ୍ବାଇ: ଦେଶର ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ମାରୁତି ସୁଜୁକି ବଜାରରୁ ୬୩ ହଜାରରୁ ଅଧିକ କାର ଫେରାଇନେବାକୁ ନିଷ୍ପତ୍ତି ନେଇଛି | ମାରୁତି ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ପଦକ୍ଷେପ ନିଆଯାଇଛି | କମ୍ପାନୀ ପକ୍ଷରୁ ସିଆଜ, ଏରଟିଗା ଓ ଏକ୍ସଏଲ ୬ ମଡେଲର ୬୩ ହଜାର ୪୯୩ଟି ୟୁନିଟ ଫେରାଇନେବାକୁ ଘୋଷଣା କରାଯାଇଛି | ମାରୁତି ପକ୍ଷରୁ କୁହାଯାଇଛି ଯେ ଏହି ସବୁ ମଡେଲରେ ମୋଟର ଜେନେରେଟର ୟୁନିଟରେ ଦେଖାଯାଉଥିବା ସମସ୍ୟା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି |

ଜାନୁୟାରୀ-୧, ୨୦୧୯ରୁ ନଭେମ୍ବର-୨୧, ୨୦୧୯ ମଧ୍ୟରେ ନିର୍ମାଣ ହୋଇଥିବା କାରକୁ ଫେରାଇ ନେବାକୁ ନିଷ୍ପତ୍ତି ନେଇଛି | ତେବେ ଯେଉଁ ଗ୍ରାହକମାନେ କାର କିଣିଥିବେ, ସେମାନଙ୍କ କାର ନିଆଯାଇ ସଜଡା ଯିବା ପରେ ପୁଣି ଫେରାଇଦିଆଯିବ |

ଏଥିପାଇଁ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବ ନାହିଁ | ଏଠାରେ ସୂଚନା ଥାଉ କି ଦେଶର ସର୍ବବୃହତ୍ କାର ନିର୍ମାତା ମାରୁତି ସୁଜୁକିର ବିଭିନ୍ନ ମଡେଲ ଗାଡ଼ିର ମୂଲ୍ୟ ଆସନ୍ତାବର୍ଷ ଜାନୁଆରିରୁ ମହଙ୍ଗା ହେବ। କମ୍ପାନି କାର ମୂଲ୍ୟ ବୃଦ୍ଧି ନେଇ ଗୁରୁବାର ଘୋଷଣା କରିଥିଲା । କାର୍ ନିର୍ମାଣରେ ବ୍ୟବହୃତ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି।

ସମ୍ବନ୍ଧିତ ଖବର