ରିଜର୍ଭ ବ୍ୟାଙ୍କ କର୍ମଚାରୀଙ୍କ ସମୂହ ଛୁଟି ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର: ଭାରତୀୟ ରିଜର୍ଭ ବ୍ୟାଙ୍କ କର୍ମଚାରୀ ସଂଘ ସେପ୍ଟେମ୍ବର ୪ ତାରିଖରୁ କରିବାକୁ ଥିବା ଦୁଇ ଦିନିଆ ସମୂହ ଛୁଟି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି। କର୍ମଚାରୀ ସଂଘର ପେନସନ୍‌ ସଂକ୍ରାନ୍ତ ଦାବିର ସମାଧାନ ଶୀଘ୍ର କରାଯିବ ବୋଲି ରିଜର୍ଭ ବ୍ୟାଙ୍କର ପରିଚାଳନା କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେବା ପରେ କର୍ମଚାରୀ ସଂଘ ସେମାନଙ୍କ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି। ଡେପୁଟି ଗଭର୍ଣ୍ଣର ବିରଳ ଆଚାର୍ଯ୍ୟଙ୍କ ନେତୃତ୍ୱରେ ପରିଚାଳନା କର୍ତ୍ତୃପକ୍ଷ ସଂଘର ନେତୃବୃନ୍ଦଙ୍କ ସହ ଆଲୋଚନା କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ସମୂହ ଛୁଟି ଆନ୍ଦୋଳନ କରିବାକୁ ଆସନ୍ତା ଜାନୁଆରି ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କର୍ତ୍ତୃପକ୍ଷ ସଂଘର ନେତୃବୃନ୍ଦଙ୍କୁ ଅନୁରୋଧ କରିଥିଲେ। ଫଳରେ ଏହି ଆନ୍ଦୋଳନକୁ ଉପରୋକ୍ତ ସମୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ବୋଲି ସଂଘର ଓଡ଼ିଶା ମଞ୍ଚ ଆବାହକ ପୂର୍ଣ୍ଣଚନ୍ଦ୍ର ବେହେରା ଏକ ପ୍ରେସ୍‌ ଇସ୍ତାହାରରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର