ଏମ୍‌ସିଏଲ୍‌ ସିଏମ୍‌ଡି ହେଲେ କୋଲ୍‌ ଇଣ୍ଡିଆ ମୁଖ୍ୟ

କୋଲକାତା: ମହାନଦି କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ (ସିଏମ୍‌ଡି) ଏ କେ ଝାଙ୍କୁ କୋଲ୍‌ ଇଣ୍ଡିଆର ମୁଖ୍ୟ ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଝା କୋଲ୍‌ ଇଣ୍ଡିଆର ପୂର୍ଣ୍ଣକାଳୀନ ସିଏମ୍‌ଡି ଭାବେ କାମ କରିବେ। ସେ ଦୁଇ ବର୍ଷରୁ କମ୍‌ ସମୟ ଏହି ପଦରେ ରହିବେ। ୨୦୨୦ ଜାନୁଆରି ୩୧ରେ ଶ୍ରୀ ଝା ଅବସର ଗ୍ରହଣ କରିବେ। ଗତବର୍ଷ ଅଗଷ୍ଟ ମାସରେ କୋଲ୍‌ ଇଣ୍ଡିଆର ସିଏମ୍‌ଡି ସୁତୀର୍ଥ ଭଟ୍ଟାଚାର୍ଯ୍ୟ ଅବସର ନେଇଥିଲେ। ଏହା ପରେ ଦୁଇ ଜଣଙ୍କୁ ଅନ୍ତରୀଣ ସିଏମ୍‌ଡି ଭାବେ ନିଯୁକ୍ତି ଦିଆଯାଇଥିଲା। ଆଠ ମାସ ପରେ ଶ୍ରୀ ଝାଙ୍କୁ କଂପାନିର ପୂର୍ଣ୍ଣକାଳୀନ ସିଏମ୍‌ଡି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଏବେ କଂପାନିର ଅନ୍ତରୀଣ ସିଏମ୍‌ଡି ଭାବେ କାମ କରୁଥିବା ସୁରେଶ କୁମାରଙ୍କ ସ୍ଥାନରେ ଶ୍ରୀ ଝା କାମ କରିବେ। ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍‌ କମିଟି ପକ୍ଷରୁ ଶ୍ରୀ ଝାଙ୍କ ନିଯୁକ୍ତିକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଝାଡ଼ଖଣ୍ଡର ଧାନବାଦଠାରେ ଥିବା ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ମାଇନ୍ସରୁ ଶ୍ରୀ ଝା ଏମ୍‌. ଟେକ୍‌ ଡିଗ୍ରି ହାସଲ କରିଛନ୍ତି। କୋଇଲା କ୍ଷେତ୍ରରେ କାମ କରିବାର ତାଙ୍କର ଦୀର୍ଘ ୩୨ ବର୍ଷର ଅଭିଜ୍ଞତା ରହିଛି। ୧୯୮୩ ମସିହା ଜୁଲାଇରେ ସେ ସେଣ୍ଟ୍ରାଲ୍‌ କୋଲ୍‌ଫିଲ୍ଡସ୍‌ (ସିସିଏଲ୍‌)ରୁ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଉଲ୍ଲେଖଯୋଗ୍ୟ, ୨୦୧୫ ନଭେମ୍ବର ୧ ତାରିଖରେ ଶ୍ରୀ ଝା ଏମ୍‌ସିଏଲ୍‌ର ସିଏମ୍‌ଡି ଭାବେ ନିଯୁକ୍ତି ପାଇଥିଲେ। ଏମ୍‌ସିଏଲ୍‌ ଦେଶର ୨୫% କୋଇଲା ଆବଶ୍ୟକତାକୁ ପୂରଣ କରୁଛି। କୋଲ୍‌ ଇଣ୍ଡିଆର ଥିବା ୮ଟି ସହଯୋଗୀ କଂପାନି ମଧ୍ୟରୁ ଏମ୍‌ସିଏଲ୍‌ ହେଉଛି ସବୁଠୁ ବଡ଼।

ସମ୍ବନ୍ଧିତ ଖବର