ପଦାକୁ ଆସିଲା ଚୋକ୍‌ସିଙ୍କ ଆଉ ଏକ କାରନାମା, ପଞ୍ଜାବ୍ ଆଣ୍ଡ୍ ସିନ୍ଦ୍‌ ବ୍ୟାଙ୍କରୁ ନେଇଛନ୍ତି ୪୪ କୋଟି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି)ରୁ ଜାଲ୍ ଏଲଓୟୁ ହାତେଇ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକି ନେଇଥିବା ହୀରା ଗହଣା ବ୍ୟବସାୟୀ ନିରବ ମୋଦୀ ଏବଂ ମେହୁଲ୍‌ ଚୋକ୍‌ସିଙ୍କ ଆଉ ଏକ କାରନାମା ସାମ୍ନାକୁ ଆସିଛି। ପିଏନ୍‌ବି ପରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ବା ଓବିସିକୁ ମଧ୍ୟ ୨୮୯ କୋଟିର ଚୂନ ଲଗାଇଥିବା‌ ଖବର ପଦାକୁ ଆସିଥିଲା। ଏହାପରେ ଏବେ ଆଣ୍ଟିଗୁଆରେ ବାସ କରୁଥିବା ନିରବଙ୍କ ମାମୁ ମେହୁଲ ଚୋକ୍‌ସି ଅନ୍ୟ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ପଞ୍ଜାବ ଆଣ୍ଡ ସିନ୍ଦ୍‌କୁ ୪୪୧ ନିୟୁତ ବା ୪୪ କୋଟି ୧୦ ଲକ୍ଷ ଟଙ୍କା ଠକିଛନ୍ତି। ବ୍ୟାଙ୍କ ପକ୍ଷରୁ ଚୋକ୍‌ସିଙ୍କୁ ଋଣ ଖିଲାପୀ ଘୋଷଣା କରାଯାଇଛି। ଚୋକ୍‌ସି ତାଙ୍କ କମ୍ପାନି ଗୀତାଞ୍ଜଳି ଜେମ୍‌ସ ଲିମିଟେଡ ପାଇଁ ଏହି ଋଣ ନେଇଥିଲେ। କିନ୍ତୁ ଏହି ଋଣ ପରିଶୋଧ କରିବାରେ ବିଫଳ ହେବା ପରେ ବ୍ୟାଙ୍କ ପକ୍ଷରୁ ତାଙ୍କୁ ଚଳିତବର୍ଷ ସେପ୍ଟେମ୍ବର ୧୭ରେ ଋଣ ଖିଲାପୀ ବ୍ୟକ୍ତିଭାବେ ଘୋଷଣା କରାଯାଇଛି। ୨୦୧୮ ମାର୍ଚ୍ଚ ୩୧ରେ ତାଙ୍କର ଉକ୍ତ ଋଣକୁ ବ୍ୟାଙ୍କ ଅଚଳ ପରିସମ୍ପତ୍ତି ବା ଏନପିଏ ଘୋଷଣା କରିଥିଲା। ୨୦୧୮ ଫେବ୍ରୁଆରିରେ ଚୋକ୍‌ସି ସପରିବାର ଦେଶ ଛାଡ଼ି ପଳାଇବା ପରେ ବ୍ୟାଙ୍କ ପକ୍ଷରୁ ତାଙ୍କ ଋଣକୁ ଏନ୍‌ପିଏ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର