ମିଲା ସାମ୍ପୁ, ସ୍କିନ୍‌ କେୟାର ଉତ୍ପାଦ ଦର

କନୂଆଦିଲ୍ଲୀ,: ଜିଏସ୍‌ଟି ହ୍ରାସର ଲାଭ ଏବେ ଏଫ୍‌ଏମ୍‌ସିଜି କମ୍ପାନି ଗୁଡ଼ିକ ଗ୍ରାହକଙ୍କୁ ଦେବା ଆରମ୍ଭ କରିଦେଇଛନ୍ତି। ଏଫ୍‌ଏମ୍‌ସିଜି କମ୍ପାନି ଡାବର ଆଜି ସାମ୍ପୁ, ତ୍ୱଚାର ଯତ୍ନ ନେଉଥିବା ସାମଗ୍ରୀ (ସ୍କିନ୍‌ କେୟାର ପ୍ରଡକ୍ଟ) ଏବଂ ହୋମ୍‌ କେୟାର ପ୍ରଡକ୍ଟର ମୂଲ୍ୟ ୮ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଘୋଷଣା କରିଛି। ଡାବର ଇଣ୍ଡିଆର ମୁଖ୍ୟ ଆର୍ଥିକ ଅଧିକାରୀ ଲଳିତ ମଲିକ ଏହି ସୂଚନା ଦେଇଛନ୍ତି। ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କ ନିକଟରେ ପହଞ୍ଚାଇବା ପାଇଁ କମ୍ପାନି ଚାନେଲ ପାର୍ଟନରମାନଙ୍କୁ କହିଛି ବୋଲି ସେ କହିଛନ୍ତି। ଏଥିସହିତ ନୂଆକରି ଉତ୍ପାଦନ ହେଉଥିବା ସାମଗ୍ରୀର ମୂଲ୍ୟକୁ କମ୍ପାନି ହ୍ରାସ କରିଦେଇଛି।
ସେହିଭଳି ଆଇଟିସି, ହିନ୍ଦୁସ୍ତାନ ୟୁନିଲିଭର ଲିମିଟେଡ (ଏଚ୍‌ୟୁଏଲ୍‌) ଏବଂ ମେରିକୋ ମଧ୍ୟ ସେମାନଙ୍କ ଦ୍ୱାରା ଉତ୍ପାଦିତ କେତେକ ସାମଗ୍ରୀର ମୂଲ୍ୟ ହ୍ରାସ କରିଛନ୍ତି। ଅନ୍ୟାନ୍ୟ ସାମଗ୍ରୀ ବର୍ଗରେ ମଧ୍ୟ ଜିଏସ୍‌ଟି ହ୍ରାସର ଲାଭ ଗ୍ରାହକଙ୍କୁ ଦିଆଯିବ ବୋଲି କମ୍ପାନିମାନେ କହିଛନ୍ତି। ଏଚ୍‌ୟୁଏଲ୍‌ ପକ୍ଷରୁ ୫୦ ଗ୍ରାମ୍‌ ବ୍ରୁ ଗୋଲ୍‌ଡ କଫିର ମୂଲ୍ୟ ୧୪୫ ଟଙ୍କାରୁ ୧୧୧ ଟଙ୍କାକୁ କମାଇ ଦିଆଯାଇଛି। ଆଗାମୀ ଦିନରେ ଅନ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ସମ୍ପର୍କରେ ମଧ୍ୟ ଜଣାଇ ଦିଆଯିବ ବୋଲି କମ୍ପାନିର ଜଣେ ପ୍ରବକ୍ତା କହିଛନ୍ତି। ସେହିଭଳି ଆଇଟିସି ମଧ୍ୟ କେତେକ ଉତ୍ପାଦର ମୂଲ୍ୟ ସଂଶୋଧନ କରିଛି ବୋଲି କହିଛି। ସେହିଭଳି ମେରିକୋ ସିଏଫଓ ବିବେକ କାର୍ଭି କହିଛନ୍ତି କମ୍ପାନି ଡିଓଡରାଣ୍ଟ, ହେୟାର ଜେଲ୍‌, ହେୟାର କ୍ରିମ୍‌, ବଡି କେୟାର ଆଦି ଉତ୍ପାଦର ଏମ୍‌ଆର୍‌ପି ହ୍ରାସ କରିଛି। ନୂଆକରି ଉତ୍ପାଦନ ହେଉଥିବା ସାମଗ୍ରୀର ଏମ୍‌ଆର୍‌ପିକୁ କମ୍ପାନି କମାଇ ଦେଇଛି। ତେବେ ବଜାରରେ ଥିବା ସାମଗ୍ରୀର ମୂଲ୍ୟ ହ୍ରାସଜନିତ ଲାଭ ଗ୍ରାହକଙ୍କୁ ଦେବା ଲାଗି କମ୍‌ ଏମ୍‌ଆର୍‌ପିରେ ଷ୍ଟିକରିଂ କରାଯାଉଛି କିମ୍ବା ଚାନେଲ ପାର୍ଟନରମାନଙ୍କୁ ଅତିରିକ୍ତ ରିହାତି ପ୍ରଦାନ କରାଯାଉଛି ବୋଲି ଶ୍ରୀ କାର୍ଭି କହିଛନ୍ତି। ସେହିଭଳି ପତଞ୍ଜଳି ପକ୍ଷରୁ ମୂଲ୍ୟହ୍ରାସକୁ ସ୍ୱାଗତ କରାଯାଇଛି। କମ୍ପାନି ଏହାର ଉତ୍ପାଦ ଗୁଡ଼ିକରେ ମୂଲ୍ୟ କେତେ ହ୍ରାସ କରାଯିବ ତାହାର ମୂଲ୍ୟାୟନ କରୁଛି ବୋଲି ପତଞ୍ଜଳିର ପ୍ରବକ୍ତା କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଗତକାଲି ସିବିଇସି ଅଧ୍ୟକ୍ଷା ବନଜା ସର୍‌ନା ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନି ଗୁଡ଼ିକୁ ଚିଠି ଲେଖି ମୂଲ୍ୟ ହ୍ରାସ କରିବା ପାଇଁ କହିଥିଲେ। ଏହାପରେ କମ୍ପାନି ଗୁଡ଼ିକ ଆଜି ଏଭଳି ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି ପରିଷଦର ୨୩ତମ ବୈଠକରେ ୨୦୦ରୁ ଅଧିକ ସାମଗ୍ରୀର ଟିକସ ହାର ହ୍ରାସ କରାଯାଇଛି। ଏଥିରେ ଚୁଇଂଗମ୍‌, ଚକଲେଟ୍‌, କଫି, କଷ୍ଟାଡ ପାଉଡର, ଡେଣ୍ଟାଲ ହାଇଜିନ୍‌ ଉତ୍ପାଦ, କ୍ରିମ୍‌, ଆପ୍ଟର-ସେଭ୍‌, ଡିଓଡରାଣ୍ଟ, ଡିଟରଜେଣ୍ଟ, ସଫା ପାଉଡର, ରେଜର, ବ୍ଲେଡ, କଟ୍‌ଲେରି, ବ୍ୟାଟେରି, ହାତଘଣ୍ଟା, ମ୍ୟାଟ୍ରେସ ଆଦିର ଜିଏସ୍‌ଟିକୁ ୨୮ ପ୍ରତିଶତରୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା। ସେହିଭଳି କଣ୍ଡେନ୍‌ସଡ ମିଲ୍‌କ, ରିଫାଇନ୍‌ଡ ସୁଗାର, ମଧୁମେହ ଖାଦ୍ୟ, ବାଉଁଶ/ବେତ ଫର୍ଣ୍ଣିଚର ଆଦିର ଜିଏସ୍‌ଟିକୁ ୧୮ରୁ ୧୨ ପ୍ରତିଶତକୁ ଜିଏସ୍‌ଟି ପରିଷଦ ହ୍ରାସ କରିଛି।

ସମ୍ବନ୍ଧିତ ଖବର