ମାଇଣ୍ଡ୍‌ଟ୍ରି କିଣିବାକୁ ଏଲ୍‌ଆଣ୍ଡ୍‌ଟି ବ୍ୟଗ୍ର

ନୂଆଦିଲ୍ଲୀ: ସୁବ୍ରତ ବାଗ୍‌ଚୀଙ୍କ ସୂଚନା ପ୍ରଯୁକ୍ତି କଂପାନି ମାଇଣ୍ଡ୍‌ଟ୍ରିକୁ ଅଧିଗ୍ରହଣ କରିବାକୁ ନେଇ ମନରେ ରହିଥିବା ଭାବନାକୁ ପ୍ରକାଶ କରିଛନ୍ତି ଏଲ୍‌ଆଣ୍ଡ୍‌ଟିର ମୁଖ୍ୟ ଏ ଏମ୍ ନାଏକ। ସେ କହିଛନ୍ତି ଯେ, ମନ ଭିତରେ ଏବେ କେବଳ ମାଇଣ୍ଡ୍‌ଟ୍ରି ରହିଛି। ଏହାକୁ ଅଧିଗ୍ରହଣ କରିବା ହେଉଛି ଏକ ନମ୍ବର ପ୍ରାଥମିକତା। ମାଇଣ୍ଡ୍‌ଟ୍ରିକୁ ଆମେ ବଡ଼ ଆଇଟି କଂପାନିରେ ପରିଣତ କରିବୁ ବୋଲି ସେ କହିଛନ୍ତି। ମାଇଣ୍ଡଟ୍ରିର ୨୬% ଅଂଶଧନ ଏବେ ଏଲ୍‌ଆଣ୍ଡ୍‌ଟି ପାଖରେ ରହିଛି। ଏହାର ମାଲିକାନାସତ୍ତ୍ବ ହାସଲ କରିବା ପାଇଁ ଦରକାର ହେଉଥିବା ବଳକା ଅଂଶଧନ କିଣିବା ନିମନ୍ତେ ଆସନ୍ତା ୧୦ ଦିନ ଭିତରେ ଏଲ୍‌ଆଣ୍ଡ୍‌ଟି ପକ୍ଷରୁ ଓପୋନ୍ ଅଫର୍‌ ଘୋଷଣା କରାଯିବ। ଅଧିଗ୍ରହଣ ପ୍ରସ୍ତାବକୁ ମାଇଣ୍ଡ୍‌ଟ୍ରିର ପ୍ରତିଷ୍ଠାତାମାନେ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ ହେବାରୁ ତାହାର ଉତ୍ତରରେ ନାଏକ କହିଛନ୍ତି ଯେ, ମାଲିକମାନେ କଂପାନି ସହିତ ଜଡ଼ିତ ଅଛନ୍ତି। ସେମାନେ ନିଜ କଂପାନିକୁ ହାତ ଛଡ଼ା କରିବାକୁ ଚାହୁନାହାନ୍ତି। ଏବେ କିନ୍ତୁ ସେମାନେ ବୁଝିସାରିଲେଣି ଯେ ଏଲ୍‌ଆଣ୍ଡ୍‌ଟି ଏକ ବହୁତ ଭଲ କଂପାନି ଓ ଏହା କର୍ମଚାରୀଙ୍କ ପାଇଁ ମଧ୍ୟ ବହୁତ ଭଲ ବୋଲି ନାଏକ କହିଛନ୍ତି। ମାଇଣ୍ଡ୍‌ଟ୍ରିରେ କାଫେ କଫି ଡେ’ର ମାଲିକ ଭି ଜି ସିଦ୍ଧାର୍ଥଙ୍କ ଥିବା ୨୦% ଅଂଶକଧନକୁ ୩୨୧୦ କୋଟି ଟଙ୍କାରେ କିଣିବା ପରେ ଏହି କଂପାନିର ମାଲିକ ହେବାକୁ ଏଲ୍‌ଆଣ୍ଡ୍‌ଟି ମନ ବଳାଇଥିଲା।

ସମ୍ବନ୍ଧିତ ଖବର