ନୂଆଦିଲ୍ଲୀ: ସୁବ୍ରତ ବାଗ୍ଚୀ ଓ ତାଙ୍କ କିଛି ବନ୍ଧୁଙ୍କ ଦ୍ବାରା ପ୍ରତିଷ୍ଠା କରାଯାଇଥିବା ମାଇଣ୍ଡ୍ଟ୍ରିକୁ ଏଲ୍ଆଣ୍ଡ୍ଟି ନିଶ୍ଚିତ ଅଧିଗ୍ରହଣ କରିବ। ବଜାର ବିଶେଷଜ୍ଞମାନେ ସେଭଳି ଭାବୁଛନ୍ତି। ସେମାନେ କହିଛନ୍ତି ଯେ, ଲଢ଼େଇରେ ପ୍ରତିଷ୍ଠାତାମାନଙ୍କ ନିଶ୍ଚୟ ପରାଜୟ ହେବ। ସେମାନଙ୍କ ପାଖରେ କଂପାନି ବଞ୍ଚାଇବା ପାଇଁ କୌଣସି ବିକଳ୍ପ ନାହିଁ। ମାଇଣ୍ଡ୍ଟ୍ରିରେ କାଫେ କଫି ଡେ’ର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥଙ୍କ ଥିବା ୨୧% ଅଂଶଧନକୁ କିଣିବା ପରେ ଏଲ୍ଆଣ୍ଡ୍ଟି କଂପାନିର ସର୍ବବୃହତ ଅଂଶଧନକାରୀ ଭାବେ ଉଭା ହୋଇଛି। ଏହା ବଜାରରୁ ଆଉ ୧୫% ଅଂଶଧନ ଅତି ସହଜରେ କିଣିନେବ, କାରଣ ଏହା ପାଖରେ ୧୫ ହଜାର କୋଟି ଟଙ୍କାର ବଳକା ପାଣ୍ଠି ରହିଛି। ଏହା ପରେ ଅତିରିକ୍ତ ୩୧% ଅଂଶଧନ କିଣିବାକୁ ଓପନ୍ ଅଫର୍ ଘୋଷଣା କରିବ।
ଜଣେ ବିଶେଷଜ୍ଞ କହିଛନ୍ତି ଯେ, ମାଇଣ୍ଡ୍ଟ୍ରିର ପ୍ରତିଷ୍ଠାତାମାନେ ବର୍ଷକ ପୂର୍ବରୁ ଜାଣିଥିଲେ ସିଦ୍ଧାର୍ଥ ତାଙ୍କ ଅଂଶଧନ ବିକିବାକୁ ଚାହୁଁଛନ୍ତି। ସେମାନେ ତାହାକୁ ଗୁରୁତ୍ବ ଦେଇନଥିଲେ। ଯଦି ପ୍ରତିଷ୍ଠାତାମାନେ ସେହି ଅଂଶଧନକୁ କିଣିନେଇଥାନ୍ତେ ଆଜି ସେମାନଙ୍କୁ କଂପାନି ବଞ୍ଚାଇବା ପାଇଁ ସଂଘର୍ଷ କରିବାକୁ ପଡ଼ୁନଥାନ୍ତା। ମାଇଣ୍ଡଟ୍ରି କର୍ତୃପକ୍ଷ କହୁଛନ୍ତି ଯେ ସେମାନେ ଏଲ୍ଆଣ୍ଡ୍ଟିର ଅଧିଗ୍ରହଣ ଅଫରକୁ ବିରୋଧ କରିବେ। ମାତ୍ର ଏଲ୍ଆଣ୍ଡ୍ଟିର ଯୋଜନା ଅନୁସାରେ ଯଦି ଓପନ୍ ଅଫର୍ କାର୍ଯ୍ୟକାରୀ ହୋଇଯିବ ତେବେ ପ୍ରତିଷ୍ଠାତାମାନେ ଆଉ ସେୟାରକୁ ପୁନଃ ଖରିଦ (ବାଏବ୍ୟାକ୍) କରିପାରିବେ ନାହିଁ। ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିୟମ ଅନୁସାରେ ଓପନ୍ ଅଫର୍ ସମୟରେ ସେୟାର ବାଏବ୍ୟାକ୍ କରାଯାଇପାରିବ ନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଆମକୁ ବିପୁଳ ଟଙ୍କା ଯଚାଯାଇଥିଲା:ବାଗ୍ଚୀ
ବେଙ୍ଗାଲୁରୁ: ମାଇଣ୍ଡ୍ଟ୍ରିର ଅନ୍ୟତମ ପ୍ରତିଷ୍ଠାତା ସୁବ୍ରତ ବାଗ୍ଚୀ କଂପାନିର ଷ୍ଟାଫ୍ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ମାଇଣ୍ଡ୍ଟ୍ରିକୁ ବିକି ଦେବା ପାଇଁ ଆମକୁ ବିପୁଳ ପରିମାଣର ଟଙ୍କା ଯଚାଯାଇଥିଲା। ଆମେ କିନ୍ତୁ ସେହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲୁ। ଟଙ୍କା ଯାଚୁଥିଲା ଲୋକମାନଙ୍କୁ ନାହିଁ କହିଥିଲୁ। ସେ କହିଛନ୍ତି ଯେ ମୋତେ ଓ ଅନ୍ୟ ତିନି ପ୍ରତିଷ୍ଠାତା କ୍ରିଷ୍ଣକୁମାର ନଟରାଜନ, ରୋଷ୍ଟୋ ରାବଣନ ଏବଂ ପାର୍ଥସାରଥୀ ଏନ୍ଏସ୍ଙ୍କୁ ବିପୁଳ ପରିମାଣର ଟଙ୍କା ଦିଆଯାଉଥିଲା। କିନ୍ତୁ ସମ୍ମାନର ସହିତ ଆମେ ସେମାନଙ୍କ ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲୁ। ଓଡ଼ିଶା ଦକ୍ଷତା ବିକାଶ କତୃର୍ପକ୍ଷ ପଦରୁ ଇସ୍ତଫା ପ୍ରଦାନ କରିବା ଅତ୍ୟନ୍ତ କଷ୍ଟକର ନିଷ୍ପତ୍ତି ଥିଲା ବୋଲି ବାଗ୍ଚୀ କହିଛନ୍ତି। ସେ ଷ୍ଟାଫ୍ମାନଙ୍କୁ ଜଣାଇଛନ୍ତି ଯେ, ଯେଉଁ ଗଛକୁ ଲଗାଇ ଆବେ ବଢ଼ାଇଛୁ ତାହାକୁ ଯେତେବେଳେ ଅନ୍ୟ କେହି ନଷ୍ଟ କରିବାକୁ ମାଡ଼ି ଆସୁଛି ସେତେବେଳେ ଆମେ ଦୂରରେ ରହିପାରିବୁ ନାହିଁ। ସେଥିପାଇଁ ଏଠାକୁ ଚାଲିଆସିଛୁ।