ଖଣିଜ ଉତ୍ପାଦନରେ ଓଡ଼ିଶାର ଯୋଗଦାନ ୧୪%

ଭୁବନେଶ୍ବର,: ଦେଶର ମୋଟ ଖଣିଜ ଉତ୍ପାଦନରେ ଓଡ଼ିଶାର ଯୋଗଦାନ ୧୪ ପ୍ରତିଶତ। ରାଜ୍ୟ ସରକାର ଖଣିଜ ସାମଗ୍ରୀର ଉତ୍ପାଦନ ସହିତ ସେଗୁଡ଼ିକର ମୂଲ୍ୟଯୋଗ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଦେଶର ମୋଟ ଆଲୁମିନିୟମ ସ୍ମେଲ୍ଟିଂ କ୍ଷମତାର ୫୪% ଓଡ଼ିଶାରେ ରହିଥିବାରୁ ଆମ ରାଜ୍ୟ ଦକ୍ଷିଣ ଏସିଆର ଆଲୁମିନିୟମ ହବ୍‌ରେ ପରିଣତ ହୋଇଛି। ମେକ୍ ଇନ୍ ଓଡ଼ିଶା କନକ୍ଲେଭ-୨୦୧୮ରେ ଆୟୋଜିତ ଧାତବ କ୍ଷେତ୍ରର ଆନୁଷଙ୍ଗିକ ଶିଳ୍ପ ଶୀର୍ଷକରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗଦେଇ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି। ରାଜ୍ୟରେ ଇସ୍ପାତ, ଆଲୁମିନିୟମର ମୂଲ୍ୟଯୋଗ ପାଇଁ କଳିଙ୍ଗନଗର, ଅନୁଗୁଳ ଓ ଝାରସୁଗୁଡ଼ାଠାରେ ଆନୁଷଙ୍ଗିକ ଶିଳ୍ପ ପାର୍କ ସ୍ଥାପନ ହେଉଛି। ମୌଳିକ ଧାତବ ଶିଳ୍ପରେ ମୂଲ୍ୟଯୋଗ ମାତ୍ରା ୫୦%ରୁ ଅଧିକ କରିବା ପାଇଁ ‘ଭିଜନ ୨୦୩୦: ଆନୁଷଙ୍ଗିକ ୟୁନିଟର ବିକାଶ’ ନେଇ ନକ୍ସା ପ୍ରସ୍ତୁତ ହେଉଛି ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସଏମଏସ ଗ୍ରୁପ୍‌ର ଉପସଭାପତି ମନିଷ୍ ସିହ୍ନା, ଆରଏସବି ଗ୍ରୁପ୍‌ର ଇଡି ନିଶିତ୍ ବେହେରା, ଶିଳ୍ପ ବିଭାଗର ଅତିରିକ୍ତ ଶାସନ ସଚିବ ଡ ନୀତିନ ଜୱାଲେ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଆୟୋଜିତ ଏକ ପ୍ୟାନେଲ ଆଲୋଚନାରେ ନାଲକୋ ସିଏମଡି ଡ ତପନ କୁମାର ଚାନ୍ଦ, ବେଦାନ୍ତ ସିଇଓ ସ୍ମେର୍ ‌କାଏରି, ହିଣ୍ଡାଲକୋ ଏମଡି ସତୀଶ ପାଇ, ଭୂଷଣ ଷ୍ଟିଲ ଏମ୍‌ଡି ରାଜୀବ ସିଂଘଲ, ଜିନ୍ଦଲ ଷ୍ଟେନଲେସ ଏମଡି ଅଭ୍ୟୁଦୟ ଜିନ୍ଦଲ ପ୍ରମୁଖ ଓଡ଼ିଶାରେ ଆନୁଷଙ୍ଗିକ ଶିଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର