ଜିଡିପିକୁ ଖଣି କ୍ଷେତ୍ରର ଅବଦାନ ୫%କୁ ବଢ଼ିବ

ଭୁବନେଶ୍ବର: ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଖଣି କ୍ଷେତ୍ରର ଅବଦାନ ଏବେ ୨.୫% ରହିଛି। ଆଗାମୀ ୧୦ ବର୍ଷ ଭିତରେ ତାହା ୫%କୁ ବୃଦ୍ଧି ପାଇବ ବୋଲି ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। ଏଠାରେ ଏମ୍ଏସ୍‌ଆଇ, ପିଟିପିଏଲ୍‌ ଓ ଫେଡେରେସନ୍ ଅଫ୍‌ ଇଣ୍ଡିଆନ୍ ମିନେରାଲ ଇଣ୍ଡଷ୍ଟ୍ରିଜ୍ (ଫିମି) ତରଫରୁ ଆୟୋଜନ କରାଯାଇଥିବା ‘ସଷ୍ଟେନେବଲ ମାଇନିଂ ସମିଟ୍’‌େର ଅତିଥି ଭାବେ ଯୋଗ ‌ଦେଇ ସେ କହିଲେ, ଭାରତୀୟ ଅର୍ଥନୀତି ୫ ଟ୍ରିଲିଅନ ଡଲାର ହେବାକୁ ଯାଉଥିବା ବେଳେ ଖଣି କ୍ଷେତ୍ର ଏଦିଗରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ପ୍ରଦାନ କରିପାରିବ। ଥ୍ରିଡି ପେଣ୍ଟିଂ, ଥ୍ରିଡି ମ୍ୟାପିଂ, ସିମୁଲେସନ ମଡେଲିଂ, ଡ୍ରୋନ୍ ବ୍ୟବହାର ଭଳି ନୂତନ ବୈଷୟିକ ଜ୍ଞାନକୌଶଳ, ନୂତନତ୍ବ ଏବଂ ଖଣି ଖନନ ଦିଗରେ ଅତ୍ୟାଧୁନିକ ବ୍ୟବସ୍ଥାର ଉପଯୋଗ ଦ୍ବାରା ଦେଶର ବିକାଶ ପ୍ରକ୍ରିୟା ଅଧିକ ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ବିନା କୌଣସି ବର୍ଜ୍ୟ ସହ ଖନନ, ବିଜ୍ଞାନ ସମ୍ମତ ପ୍ରଣାଳୀରେ ଖନନ ଏବଂ ସର୍ବସାଧାରଣଙ୍କ ଅଂଶଗ୍ରହଣ ଦ୍ବାରା ଅଧିକ ଲାଭଜନକ ଭାବେ ଖଣି ଖନନ କାର୍ଯ୍ୟ କରାଯାଇ ପାରିବ। ଜିଲ୍ଲା ଖଣି ପାଣ୍ଠି (ଡିଏମ୍‌ଏଫ୍‌) ବ୍ୟବହାର ପ୍ରକ୍ରିୟାରେ ଶିଳ୍ପ ସଂସ୍ଥାର ପ୍ରତିନିଧିମାନଙ୍କୁ ସାମିଲ କରାଗଲେ ଖଣି ଅଞ୍ଚଳର ବିକାଶ ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଏହି ଅବସରରେ ଖଣି ସଚିବ ତଥା ଓଡ଼ିଶା ଖଣି ନିଗର ଅଧ୍ୟକ୍ଷ ସଞ୍ଜୀବ ଚୋପ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଫିମିର ସଭାପତି ସୁନୀଲ ଦୁଗଲ୍‌, ଉପସଭାପତି ଆର୍‌ ଏଲ୍‌ ମହାନ୍ତି ଏବଂ ସାଧାରଣ ସମ୍ପାଦକ ଆର୍‌ ପି ଶର୍ମା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର