ସରକାରୀ ପ୍ରତିଷ୍ଠାନ ପାଇଁ ଖଣି ସଂରକ୍ଷଣ, ବିଭିନ୍ନ ବିଭାଗର ଆବଶ୍ୟକତା ମାଗିଲା ଇସ୍ପାତ ଓ ଖଣି ବିଭାଗ

ଭୁବନେଶ୍ବର: ଓଡ଼ିଶା ଲଘୁ ଖଣିଜ ରିହାତି ନିୟମ-୨୦୧୬ର ରୁଲ୍‌-୩୯ ଅନୁଯାୟୀ, ସରକାରୀ ସଂସ୍ଥା ଗୁଡ଼ିକ ପାଇଁ ଖଣି ସଂରକ୍ଷଣ କରିବାର ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ଏହି ନିୟମ ଆଧାରରେ ସରକାରୀ ସଂସ୍ଥା ଗୁଡ଼ିକ ସେମାନଙ୍କ ଆବଶ୍ୟକତା ଅନୁସାରେ ଖଣିଜ ସାମଗ୍ରୀର ଆବଶ୍ୟକତା ଜଣାଇବା ପାଇଁ ଇସ୍ପାତ ଓ ଖଣି ବିଭାଗ ଗ୍ରାମ୍ୟ ଉନ୍ନୟନ, ଜଳ ସମ୍ପଦ, ଗୃହ ଏବଂ ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ଏବଂ ପୂର୍ତ୍ତ ବିଭାଗକୁ ଚିଠି ଲେଖିଛି। ରୁଲ୍‌-୩୯ ଅଧୀନରେ ଚିହ୍ନଟ ଖଣିକୁ ସଂରକ୍ଷିତ ରଖିବା ପାଇଁ ସରକାରୀ ସଂସ୍ଥା ଗୁଡ଼ିକ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଆବେଦନ କରିବେ ବୋଲି ଏଥିରେ କୁହାଯାଇଛି। ବିଭିନ୍ନ ପ୍ରକାର ବିକାଶମୂଳକ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବା ନିମନ୍ତେ ଆବଶ୍ୟକ ଲଘୁ ଖଣିଜର ଚାହିଦା ପୂରଣ ନିମନ୍ତେ ଏହା କରିବାକୁ ହେବ। ବିଭିନ୍ନ ବିଭାଗ ମଧ୍ୟ ଏଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏହି ମର୍ମରେ ସର୍ବୋଚ୍ଚ ଯନ୍ତ୍ରୀ (ସିଭିଲ), ମୁଖ୍ୟ ଯନ୍ତ୍ରୀ ଏବଂ ଓବିସିସିର ଏମ୍‌ଡିଙ୍କୁ ଚିଠି ଲେଖାଯାଇଛି। ସରକାରୀ ପ୍ରତିଷ୍ଠାନ ଗୁଡ଼ିକୁ ଉକ୍ତ ନିୟମ ଅନୁଯାୟୀ ଖଣି ୩୦ ବର୍ଷ ପର୍ଯ୍ୟନ୍ତ ପ୍ରଦାନ କରାଯିବ। ଏହାପରେ ୨୦ ବର୍ଷ ପାଇଁ ତାହାର ନବୀକରଣ କରାଯିବ। ଯେଉଁ ସଂସ୍ଥା ନାମରେ ଖଣି ଲିଜ ପ୍ରଦାନ କରାଯିବ ସେହି ସଂସ୍ଥା ବିଭିନ୍ନ ପ୍ରକାର ଶୁଳ୍କ ସରକାରଙ୍କ ନିକଟରେ ଦାଖଲ କରିବାକୁ ହେବ।

ସମ୍ବନ୍ଧିତ ଖବର