ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ଉଦ୍‌ଯାପିତ

ଭୁବନେଶ୍ବର: ୨୨ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଚଳିତ ସଂସ୍କରଣରେ ରାଜ୍ୟର ୮୨ଟି ଖଣି ସାମିଲ ହୋଇଥିଲେ। ଏଥିରେ କେନ୍ଦୁଝର, ସୁନ୍ଦରଗଡ଼, ଯାଜପୁର, କୋରାପୁଟ, ବଲାଙ୍ଗୀର, ଗଞ୍ଜାମ, କଟକ ଓ ବରଗଡ଼ ଜିଲ୍ଲାରେ ଥିବା ବକ୍ସାଇଟ, କ୍ରୋମାଇଟ, ଡୋଲୋମାଇଟ, ଚୂନପଥର, ଲୁହା ପଥର, ମାଙ୍ଗାନିଜ ଓ ଗ୍ରାଫାଇଟ ଖଣିଗୁଡ଼ିକ ଅଂଶଗ୍ରହଣ କରିଥିଲେ। ଇଣ୍ଡିଆନ ବ୍ୟୁରୋ ଅଫ ମାଇନ୍ସ (ଆଇବିଏମ), ଭୁବନେଶ୍ବର ଆନୁକୂଲ୍ୟରେ ଏହି ସପ୍ତାହକୁ ଇଷ୍ଟର୍ଣ୍ଣ ଜୋନ୍ ମାଇନିଂ ଆସୋସିଏସନ ତରଫରୁ ଗତ ଜାନୁଆରି ୨୦ରୁ ୨୬ ପର୍ଯ୍ୟନ୍ତ ପାଳନ କରାଯାଇଥିଲା। ଏହି ଅବସରରେ ପରିବେଶ ପରିଚାଳନାକୁ ନେଇ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳନ ଅବସରରେ ଏକ ସ୍ବତନ୍ତ୍ର ଟିମ୍ ବିଭିନ୍ନ ଖଣି ପରିଦର୍ଶନ କରି ବନୀକରଣ, ବର୍ଜ୍ୟ ପରିଚାଳନା, ଉପରଭାଗ ମୃତିକା ପରିଚାଳନା, ସବ୍‌-ଗ୍ରେଡ୍‌ ଖଣିଜ ପଦାର୍ଥର ପରିଚାଳନା, ବାୟୁର ମାନ, ଜଳ ପରିଚାଳନା ଏବଂ ଖଣିର ସୌନ୍ଦର୍ଯ୍ୟକରଣ ଆଦି କ୍ଷେତ୍ରରେ ହୋଇଥିବା କାର୍ଯ୍ୟର ନିରୀକ୍ଷଣ କରିଥିଲେ। ଆଇବିଏମ୍‌ର ଅଧିକାରୀଙ୍କ ସହାୟତାରେ ଏକ ନିରୀକ୍ଷଣ ଟିମ୍ ପକ୍ଷରୁ ବିଜେତା ଚୟନ କରାଯାଇଥିଲା। ଆଜି ବିଜୟୀ ଖଣିଗୁଡ଼ିକୁ ପୁରସ୍କୃତ କରାଯାଇଛି। ପରିବେଶ ପରିଚାଳନା ଲାଗି ‘ପର୍ଯ୍ୟାବରଣ ବନ୍ଧୁ’ ନାମକ ସ୍ବତନ୍ତ୍ର ପୁରସ୍କାର ଦିଆଯାଇଥିବା ବେଳେ ଶ୍ରେଷ୍ଠ କର୍ମଚାରୀ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର