ଖୁବ୍‌ଶୀଘ୍ର ବିମାନରେ ମିଳିବ ମୋବାଇଲ ସେବା

ଅଧିସୂଚନା ଜାରି କଲା ଟେଲିକମ୍ ବିଭାଗ

ନୂଆଦିଲ୍ଲୀ: ବିମାନ ଯାତ୍ରୀମାନେ ନିକଟ ଭବିଷ୍ୟତରେ ଉଡ଼ାଣ ବେଳେ ମୋବାଇଲରେ କଥାବାର୍ତ୍ତା ହେବା ସହିତ ଡାଟା ବ୍ୟବହାର କରିବା ସୁଯୋଗ ପାଇପାରିବେ। ଇନଫ୍ଲାଇଟ୍ କନେକ୍ଟିଭିଟି ପାଇଁ ଟେଲିକମ୍ ବିଭାଗ ଶୁକ୍ରବାର ଅଧିସୂଚନା ଜାରି କରିଛି। ଏବେ ବିମାନରେ ମୋବାଇଲ ସେବା ଯୋଗାଇବା ପାଇଁ ଆଗ୍ରହୀ ଟେଲିକମ୍ କମ୍ପାନି ଗୁଡ଼ିକ ଟେଲିକମ୍ ବିଭାଗ ଠାରୁ ଲାଇସେନ୍ସ ହାସଲ କରିପାରିବେ। ଯେଉଁ ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ ବିମାନ ଭିତରେ ଇନ୍‌ଫ୍ଲାଇଟ୍ ସେବା ଯୋଗାଇବାକୁ ଆଗ୍ରହ ପ୍ରକାଶ କରିବେ ଟେଲିକମ୍ କମ୍ପାନି ଗୁଡ଼ିକ ସେମାନଙ୍କୁ ଏହା ଯୋଗାଇ ପାରିବେ। ଏୟାରଟେଲ ଏବଂ ଜିଓ ଭଳି ସବୁ ବଡ଼ ଟେଲିକମ୍ ସେବା ପ୍ରଦାନକାରୀ ଏହି କ୍ଷେତ୍ରରେ ପ୍ରବେଶ ପାଇଁ ଆଗ୍ରହ ପ୍ରକାଶ କରିବେ ବୋଲି ଆଶା କରାଯାଉଛି। କେତେକ ବିଦେଶୀ ଏୟାରଲାଇନ୍ସ ବିମାନ ଭିତରେ ଏବେ ମୋବାଇଲ ସେବା ଯୋଗାଇ ଦେଉଛନ୍ତି। କିନ୍ତୁ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ମାତ୍ରେ ଏହି ସେବାକୁ ସେମାନଙ୍କୁ ବନ୍ଦ କରିବାକୁ ପଡ଼ୁଛି। ଭାରତୀୟ ଟେଲି ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ପକ୍ଷରୁ ଇନଫ୍ଲାଇଟ୍ ମୋବାଇଲ ସେବା ପ୍ରଦାନ ପାଇଁ ସୁପାରିସର ପ୍ରାୟ ୧୧ ମାସ ପରେ ଟେଲିକମ୍ ବିଭାଗ ଚୂଡ଼ାନ୍ତ ନିୟମର ଅଧିସୂଚନା ଜାରି କରିଛି।

ସମ୍ବନ୍ଧିତ ଖବର