ସୁଲଭ ସେବା ଯୁଗ ଶେଷ, ମହଙ୍ଗା ହେଲା ମୋବାଇଲ୍ ସେବା

ଦାମ୍ ବଢ଼ାଇଲେ ଏୟାରଟେଲ୍, ଭୋଡାଫୋନ୍ ଆଇଡିଆ

ନୂଆଦିଲ୍ଲୀ: ‌ଦୀର୍ଘ ଚାରି ବର୍ଷ ପରେ ଦେଶରେ ପୁଣି ଥରେ ମହଙ୍ଗା ମୋବାଇଲ୍‌ ସେବା ଯୁଗ ଆରମ୍ଭ ହେବାକୁ ଯାଉଛି। ଦେଶର ଦୁଇ ପ୍ରମୁଖ ଟେଲିକମ୍ କଂପାନି ଭୋଡାଫୋନ୍ ଆଇଡିଆ ଓ ଭାରତୀ ଏୟାରଟେଲ୍‌ ପକ୍ଷରୁ କଲ୍ ଓ ଡାଟା ଦାମ୍‌ରେ ବୃଦ୍ଧି ଘୋଷଣା କରାଯାଇଛି। ଏହି ଦୁଇ କଂପାନି ପୂର୍ବରୁ ଏନେଇ ସୂଚନା ଦେଇଥିଲେ। ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍‌ର ଦର ବୃଦ୍ଧି ଚଳିତ ମାସ ତିନି ତାରିଖରୁ ଲାଗୁ ହେବ। ସେହିପରି, ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ମଧ୍ୟ ଚଳିତ ମାସ ଛଅ ତାରିଖରୁ ଏହାର ସେବାର ଦାମ୍ ବଢ଼ାଇବାକୁ ଯାଉଛି ବୋଲି ସୂଚନା ଦେଇଛି।

MySmartPrice

ଆଜି ଭୋଡାଫୋନ୍ ଆଇଡିଆ ପକ୍ଷରୁ ଏହାର ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ କଲ୍ ଓ ଡାଟା ଦରରେ ୪୨% ପର୍ଯ୍ୟନ୍ତ ବୃଦ୍ଧି ଘୋଷଣା କରାଯାଇଛି। ଏହା ବ୍ୟତୀତ ଅନ୍ୟ କଂପାନିର ନମ୍ବରକୁ କରାଯାଉଥିବା ପ୍ରତି ଆଉଟ୍‌ଗୋଇଙ୍ଗ୍‌ କଲ୍ ପାଇଁ କଂପାନି ପକ୍ଷରୁ ଗ୍ରାହକଙ୍କ ଠାରୁ ମିନିଟ୍ ପିଛା ୬ ପଇସା ଆଦାୟ କରାଯିବ। ରିଲାଏନ୍ସ ଜିଓ ଏହି ବ୍ୟବସ୍ଥା ପୂର୍ବରୁ ଲାଗୁ କରିସାରିଥିବା ବେଳେ ଭୋଡାଫୋନ୍ ଆଇଡିଆ ଦ୍ବିତୀୟ ଟେଲିକମ୍ କଂପାନି ଭାବେ ଏଭଳି ପଦକ୍ଷେପ ଗ୍ରହଣ କରିଛି। କଂପାନି ପକ୍ଷରୁ ଅସୀମିତ ପ୍ଲାନ୍ ବର୍ଗରେ ୨ ଦିନ, ୨୮ ଦିନ, ୮୪ ଦିନ ଓ ୩୬୫ ଦିନ ଲାଗି ସ୍ବତନ୍ତ୍ର ପ୍ଲାନ୍ ଅଣାଯାଇଛି। ସେହିପରି, ଏୟାରଟେଲ୍‌ ମଧ୍ୟ କହିଛି ଯେ ଡିସେମ୍ବର ୩ରୁ ଏହାର ସେବା ମହଙ୍ଗା ହେବାକୁ ଯାଉଛି। କଂପାନି ଏହାର ପ୍ରିପେଡ୍ ଗ୍ରାହକଙ୍କ ଲାଗି ଯେଉଁ ଅସୀମିତ ପ୍ଲାନ୍ ଘୋଷଣା କରିଛି ତାହା ପୂର୍ବରୁ ପ୍ରଚଳନରେ ଥିବା ପ୍ଲାନ୍‌ ତୁଳନାରେ ୪୨% ପର୍ଯ୍ୟନ୍ତ ମହଙ୍ଗା। ଏୟାରଟେଲ୍‌ର ବିଭିନ୍ନ ପ୍ଲାନ୍‌ରେ ଦୈନିକ ମୂଲ୍ୟ ବୃଦ୍ଧି ୫୦ ପଇସାରୁ ଆରମ୍ଭ କରି ୨ ଟଙ୍କା ୮୫ ପଇସା ପର୍ଯ୍ୟନ୍ତ ହୋଇଛି। ରିଲାଏନ୍ସ ଜିଓ ଏହାର ଅଲ୍‌ ଇନ୍ ୱାନ୍ ପ୍ଲାନ୍‌ର ଦାମ୍ ୪୦% ପର୍ଯ୍ୟନ୍ତ ବଢ଼ାଇବ ବୋଲି ଘୋଷଣା କରିଛି। ଏଥି ସହିତ କଂପାନି ପ୍ରତିଶ୍ରୁତି ଦେଇଛି ଯେ ଏହା ଗ୍ରାହକଙ୍କୁ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ଲାଭ ପ୍ରଦାନ କରିବ।

ଛଅ ତାରିଖରୁ ଜିଓ ବି ବଢ଼ାଇବ
ଘରୋଇ କଂପାନି ମାସକୁ ୩୬ ହଜାର କୋଟି ପାଇବେ: କଂଗ୍ରେସ

ଘରୋଇ ଟେଲିକମ୍ କଂପାନିଗୁଡ଼ିକ ଦରବୃଦ୍ଧି ଘୋଷଣା କରିବା ପରେ ‌କଂଗ୍ରେସ ପକ୍ଷରୁ ଏହା ଉପରେ ମନ୍ତବ୍ୟ ଦିଆଯାଇଛି। କଂଗ୍ରେସ ପ୍ରବକ୍ତା ପୱନ ଖେରା କହିଛନ୍ତି, ଦରବୃଦ୍ଧିରୁ ଘରୋଇ ଟେଲିକମ୍ କଂପାନିଗୁଡ଼ିକ ମାସକୁ ୩୬ ହଜାର କୋଟି ଟଙ୍କା ପାଇବେ। ତାହା ଗ୍ରାହକମାନଙ୍କ ପକେଟ୍‌ରୁ ଯିବ। ଘରୋଇ କଂପାନିଙ୍କ ଲାଭ ବଢ଼ାଇବା ଲାଗି ସରକାରୀ କଂପାନିଗୁଡ଼ିକୁ ନଷ୍ଟ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। କାହିଁକି ୪-୫ ବର୍ଷ ପର୍ଯ୍ୟନ୍ତ ସରକାରୀ ଟେଲିକମ୍ କଂପାନିଙ୍କୁ ୪ଜି ସ୍ପେକ୍ଟ୍ରମ୍ ଦିଆଗଲା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଭୋଡାଫୋନ୍ ଆଇଡିଆ ଓ ଏୟାରଟେଲ୍‌ ବିପୁଳ କ୍ଷତି ସହିଛନ୍ତି। ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସରେ (ଜୁଲାଇ-ସେପ୍ଟେମ୍ବର) କଂପାନି ୫୦,୯୨୧ କୋଟି ଟଙ୍କାର କ୍ଷତି ସହିଥିଲା ଯାହା ଭାରତୀୟ କର୍ପୋରେଟ୍ ଜଗତ ଇତିହାସରେ ସର୍ବାଧିକ ଥିଲା। ଏହା ବ୍ୟତୀତ ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁକୁ ନେଇ ସୁପ୍ରିମକୋର୍ଟ ଦେଇଥିବା ରାୟ ଯୋଗୁ କଂପାନି ସରକାରଙ୍କୁ ଆଉ ୪୪,୧୫୦ କୋଟି ଟଙ୍କା ଗଣିବାକୁ ଯାଉଛି। ସେହି ସମୟରେ ଭାରତୀ ଏୟାରଟେଲ୍‌ ୨୩,୦୪୫ କୋଟି ଟଙ୍କାର କ୍ଷତି ସହିଥିଲା।

ଦରବୃଦ୍ଧି ପଛର କାରଣ
ଜିଓ ଆସିବା ପରେ ପୁରୁଣା ଟେଲିକମ୍ କଂପାନିଗୁଡ଼ିକ ପାଖରେ ସର୍ବଭାରତୀୟ ୪ଜି ନେଟ୍‌ୱର୍କ ନଥିବାରୁ ଅନେକ କଂପାନି ବନ୍ଦ ହୋଇଯାଇଥିଲେ ଓ ବିଭିନ୍ନ କଂପାନି ଭିତରେ ମିଶ୍ରଣ ହୋଇଥିଲା। ଏହା ପରେ ଜିଓ ବ୍ୟତୀତ ଦୁଇ ସରକାରୀ କଂପାନି ବିଏସ୍‌ଏନ୍‌ଏଲ୍‌, ଏମ୍‌ଟିଏନ୍‌ଏଲ୍‌ ଓ ଦୁଇ ଘରୋଇ କଂପାନି ଭାରତୀ ଏୟାରଟେଲ୍ ଓ ଭୋଡାଫୋନ୍ ଆଇଡିଆ କାରବାରରେ ତିଷ୍ଠି ରହିଛନ୍ତି। ପୁରୁଣା ଟେଲିକମ୍ କଂପାନିଗୁଡ଼ିକ ବିପୁଳ କ୍ଷତି ସହିବା ପରେ ଏବେ ନିଜର ଆର୍ଥିକ ସ୍ଥିତି ସୁଧାରିବା ଲାଗି କିଛି କଂପାନି ଦରବୃଦ୍ଧି ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି। ଟେଲିକମ୍ କଂପାନିଗୁଡ଼ିକ ଉପରେ ୭ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଋଣ ବୋଝ ରହିଥିବା ବେଳେ ଆୟ ବହୁତ ଖରାପ ସ୍ତରରେ ରହିଛି। ଆର୍ଥିକ କ୍ଷତିକୁ ଭରଣା କରିବା ଲାଗି ପୁରୁଣା ଟେଲିକମ୍ କଂପାନିଗୁଡ଼ିକ ସଂଘର୍ଷ କରୁଛନ୍ତି। ଅନ୍ୟ ପକ୍ଷରେ ଆଗକୁ ୫ଜି ସ୍ପେକ୍ଟ୍ରମ୍‌ର ନିଲାମ ହେବାକୁ ଯାଉଛି। ତାହାର ଦାମ୍ ବହୁତ ଅଧିକ ରହିଥିବାରୁ ଟେଲିକମ୍ କଂପାନିଗୁଡ଼ିକୁ ଆଗୁଆ ବିପୁଳ ପରିମାଣର ପାଣ୍ଠି ଯୋଗାଡ଼ କରିବାକୁ ପଡ଼ିବ। ପୁରୁଣା ଟେଲିକମ୍ କଂପାନିଗୁଡ଼ିକ ୪ଜି ସେବାରେ କରିଥିବା ଭୁଲ୍‌କୁ ୫ଜିରେ ଦୋହରାଇବାକୁ ଚାହିବେ ନାହିଁ।

ଆଡ୍‌ଜଷ୍ଟେଡ୍‌ ଗ୍ରସ୍‌ ରେଭିନ୍ୟୁ (ଏଜିଆର୍‌)କୁ ନେଇ ସୁପ୍ରିମକୋର୍ଟ ସରକାରଙ୍କ ସପକ୍ଷରେ ରାୟ ଦେବା ପରେ ଟେଲିକମ୍ କଂପାନିଗୁଡ଼ିକୁ ୯୨ ହଜାର କୋଟି ଟଙ୍କା ଯୋଗାଡ଼ କରି ସରକାରଙ୍କୁ ଗଣିବାକୁ ପଡ଼ିବ। ଏହା ଦର ବୃଦ୍ଧିର ଅନ୍ୟତମ କାରଣ ହୋଇଥାଇପାରେ। ଇଣ୍ଟରକନେକ୍ଟ ୟୁସେଜ୍ ଚାର୍ଜ (ଆଇୟୁସି) ହେଉଛି ଦ୍ବିତୀୟ କାରଣ। ଗୋଟିଏ କଂପାନିର ଗ୍ରାହକ ଅନ୍ୟ କଂପାନିର ନମ୍ବରକୁ ଆଉଟ୍‌ଗୋଇଙ୍ଗ୍‌ କଲ୍ କରିବା ବେଳେ ପ୍ରତି ମିନିଟ୍ ପାଇଁ ପ୍ରଥମ କଂପାନି ଅନ୍ୟ କଂପାନିକୁ ୬ ପଇସା (ଆଇୟୁସି) ଗଣୁଛି। ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ (ଟ୍ରାଇ) ଏହି ଦର ଧାର୍ଯ୍ୟ କରିଛନ୍ତି। ଏହି ଦର ୨୦୨୦ ଜାନୁଆରିରେ ଶୂନ ହୋଇଯିବ ବୋଲି ଟ୍ରାଇ ବହୁ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ କିଛି ମାସ ତଳେ ଏହା ନିଜ ମନ ବଦଳାଇ ଦେବା ସହିତ ଏହି ନିଷ୍ପତ୍ତିର ପୁନର୍ବିଚାର କରାଯିବ ବୋଲି କହିବା ପରେ ଗ୍ରାହକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ କଲ୍ କରିବାର ସୁବିଧା ପ୍ରଦାନ କରୁଥିବା ରିଲାଏନ୍ସ ଜିଓ ପକ୍ଷରୁ ଗ୍ରାହକଙ୍କ ଅନ୍ୟ ମୋବାଇଲ୍‌ ନମ୍ବରକୁ କରାଯାଉଥିବା ଆଉଟ୍‌ଗୋଇଙ୍ଗ୍‌ କଲ୍ ଉପରେ ମିନିଟ୍ ପିଛା ୬ ପଇସାର ଶୁଳ୍କ ଲାଗୁ କରାଯାଇଥିଲା।

ସମ୍ବନ୍ଧିତ ଖବର