ମୋବାଇଲ୍‌ ସହ ଆଧାର ଲିଙ୍କ୍‌ :ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବାଧ୍ୟତାମୂଳକ ଭାବେ ଆଧାର ସହ ମୋବାଇଲ୍‌ ନମ୍ବର ଲିଙ୍କ୍‌ ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ଦିଆଯାଇଥିବା ରାୟକୁ ସରକାର ଅସ୍ତ୍ର ଭାବେ ବ୍ୟବହାର କରାଯାଇଥିବା କୋର୍ଟ କହିଛନ୍ତି।
ମୋବାଇଲ୍‌ ନମ୍ବର-ଆଧାର ଲିଙ୍କ୍‌କୁ ନେଇ ଦାଖଲ ହୋଇଥିବା ବିଭିନ୍ନ ମାମଲାର ଶୁଣାଣୀ ଆଜି ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନେତୃତ୍ୱରେ ଗଠିତ ପାଞ୍ଚ ଜଣିଆ ସମ୍ବିଧାନ ପୀଠରେ ହୋଇଥିଲା।
ଲୋକନିତି ଫାଉଣ୍ଡେସନ ପକ୍ଷରୁ ଆଗତ ହୋଇଥିବା ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୬ରେ ରାୟ ଦେଇଥିଲେ ଯେ ଜାତୀୟ ସୁରକ୍ଷା ଦୃଷ୍ଟିରୁ ମୋବାଇଲ୍‌ ବ୍ୟବହାରକାରୀଙ୍କ ପରିଚୟ ଯାଞ୍ଚ ହେବା ଜରୁରୀ। ସେହି ରାୟର ଆଧାର ସହିତ କୌଣସି ସମ୍ପର୍କ ନଥିଲା। କିନ୍ତୁ ସରକାର ଉକ୍ତ ରାୟକୁ ଭିତ୍ତି କରି ମୋବାଇଲ୍‌ ନମ୍ବର ସହ ଆଧାର ଲିଙ୍କ୍‌ କରିବା ବିଷୟକୁ ବାଧ୍ୟତାମୂଳକ କରିଛନ୍ତି ବୋଲି ସମ୍ବିଧାନ ପୀଠ କହିଛନ୍ତି। ଏହି ସମ୍ବିଧାନ ପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଉଛନ୍ତି ବିଚାରପତି ଏ କେ ସିକ୍ରି, ଏ ଏମ୍‌ ଖାନଓ୍ଵିଲକର୍‌, ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଓ ଅଶୋକ ଭୂଷଣ।
ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ ଯୁକ୍ତି ଉପସ୍ଥାପନ କରିଥିଲେ ଯେ, ଇ-କେଓ୍ଵାସି ମାଧ୍ୟମରେ ମୋବାଇଲ୍‌ ନମ୍ବରର ପୁନଃ ଯାଞ୍ଚ କରିବାକୁ ଟେଲିକମ୍‌ ବିଭାଗ କହିଥିଲେ। ଟେଲିଗ୍ରାଫ୍‌ ନିୟମ ମଧ୍ୟ ସରକାରଙ୍କୁ ସେବା ପ୍ରଦାନକାରୀଙ୍କ ଲାଇସେନ୍ସ ସର୍ତ୍ତାବଳୀ ଉପରେ ନିଷ୍ପତ୍ତି ଗ୍ରହଣ କରିବାର କ୍ଷମତା ପ୍ରଦାନ କରିଛି।
ଏହାର ଜବାବରେ ଖଣ୍ଡପୀଠ କହିଛନ୍ତି ଯେ ଲାଇସେନ୍ସ ବୁଝାମଣା ସରକାର ଓ ସେବା ପ୍ରଦାନକାରୀ ସଂସ୍ଥା ଭିତରେ ହୋଇଥାଏ। ସେବା ହାସଲ କରୁଥିବା ବ୍ୟକ୍ତିଙ୍କ ଉପରେ ଟେଲିକମ୍‌ ବିଭାଗ କିଭଳି ସର୍ତ୍ତ ଲାଗୁ କରିବ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଭାରତୀୟ ଦୂରସଂଚାର ନିୟାମକ କର୍ତୃପକ୍ଷ (ଟ୍ରାଇ)ର ପ୍ରସ୍ତାବ ଅନୁଯାୟୀ ମୋବାଇଲ୍‌ ନମ୍ବର ସହିତ ଆଧାର ସିଡ୍‌ କରିବା ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଦ୍ୱିଦେବୀ କହିଥିଲେ। ଆଧାର ଜରିଆରେ ଲୋକମାନଙ୍କ ଉପରେ ସରକାର ୨୪ ଘଣ୍ଟା ନଜର ରଖିବେ ବୋଲି ଯେଉଁ ଚର୍ଚା ହେଉଛି ତାହା ଅମୁଳକ ବୋଲି ସେ କହିଥିଲେ।
କୋର୍ଟରେ ସେ ଏହା ମଧ୍ୟ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ ବ୍ୟାଙ୍କ ଓ ଟେଲିକମ୍‌ କଂପାନିଗୁଡ଼ିକ ପାଖରେ ଗ୍ରାହକମାନଙ୍କର ଅନେକ ତଥ୍ୟ ରହିଛି। ସେମାନଙ୍କୁ କେହି ପ୍ରଶ୍ନ କରୁନାହାନ୍ତି। ଆଧାରକୁ ଜାଣିଶୁଣି ଟାର୍ଗେଟ୍‌ କରାଯାଉଛି। ଗୁଗୁଲ୍‌ ପ୍ଲେ ଷ୍ଟୋର୍‌ରେ ଥିବା ଏକ ଆପ୍‌ ବିଷୟରେ ସେ ସମ୍ବିଧାନ ଖଣ୍ଡପୀଠକୁ ଜଣାଇଥିଲେ ଯେଉଁଥିରେ ଲୋକମାନଙ୍କ ଅନେକ ବ୍ୟକ୍ତିଗତ ତଥ୍ୟ ରହିଛି। ସେ ନିଜର ଅନେକ ଗୋପନୀୟ ତଥ୍ୟକୁ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ ଯାହା ଶୁଣି ସମ୍ବିଧାନ ପୀଠର ସଦସ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଆଧାର ନିୟମ କିଭଳି କାମ କରିବ ସେଥିପାଇଁ ଉପାୟ ବାହାର କରିବାକୁ ସେ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର