ମୋଦିଙ୍କ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ଝଟ୍‌କା:ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆକାଂକ୍ଷିତ ୯୮ ହଜାର କୋଟି ଟଙ୍କାର ମୁମ୍ବାଇ-ଅହମ୍ମଦାବାଦ ବୁଲେଟ୍‌ ଟ୍ରେନ୍‌ ପ୍ରକଳ୍ପକୁ ଆରମ୍ଭରୁ ବଡ଼ ଝଟ୍‌କା ଲାଗିଛି। ୨୦୨୨ ସୁଦ୍ଧା ଏହି ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଜମି ଅଧିଗ୍ରହଣକୁ ନେଇ ସମସ୍ୟା ମୁଣ୍ଡ ଟେକିଲାଣି। ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ସ୍ଥାନୀୟ ଲୋକେ ଏବଂ ଆଦିବାସୀମାନେ ଜମି ଅଧିଗ୍ରହଣକୁ ଜୋରଦାର ବିରୋଧ କରୁଛନ୍ତି।
ପାଲଘର ଜିଲ୍ଲାର ୭୩ଟି ଆଦିବାସୀ ଗ୍ରାମର ଲୋକେ ଉକ୍ତ ପ୍ରକଳ୍ପ ପାଇଁ ଜମି ଦେବାକୁ ରାଜିନାହାନ୍ତି। ଯେଉଁସବୁ ଗ୍ରାମ ଦେଇ ରେଳ କରିଡ଼ର ନିର୍ମାଣ ହେବ ସେଠାରେ ଆନ୍ଦୋଳନ ମୁଣ୍ଡ ଟେକୁଛି।
ପ୍ରସ୍ତାବିତ ମୁମ୍ବାଇ-ଅହମ୍ମଦାବାଦ ହେଉଛି ଦେଶର ପ୍ରଥମ ହାଇସ୍ପିଡ୍‌ ରେଳ ପ୍ରକଳ୍ପ। ୫୦୮ କିମି ଲମ୍ବ ବିଶିଷ୍ଟ ଏହି କରିଡରର ନିର୍ମାଣ କାର୍ଯ୍ୟ ୨୦୧୯ ଜାନୁଆରିରୁ ଆରମ୍ଭ ହେବାର ରହିଛି। ୫୦୮ କିମି ମଧ୍ୟରୁ ୧୧୦ କିମି କରିଡ଼ର ପାଲଘର ଜିଲ୍ଲାରେ ବିଛାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହେବାର ରହିଛି। ରେଳ ମନ୍ତ୍ରାଳୟର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଆମେ ମହାରାଷ୍ଟ୍ରର କେତେକ ସ୍ଥାନରେ ବିରୋଧର ସମ୍ମୁଖୀନ ହେଉଛୁ। ତେବେ ସମୟ ସାରଣୀ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ନେଇ ଆମେ ଆଶାବାଦୀ ଅଛୁ। ଜମି ହରାଉଥିବା ବ୍ୟକ୍ତିମାନଙ୍କୁ କ୍ଷତିପୂରଣ ବାବଦରେ ବହୁ ଅଧିକ ଅର୍ଥ ପ୍ରଦାନ କରାଯାଉଛି ବୋଲି ସେ କହିଛନ୍ତି। ଉକ୍ତ ପ୍ରକଳ୍ପ ପାଇଁ ଭାରତୀୟ ରେଳବାଇ ପକ୍ଷରୁ ମହାରାଷ୍ଟ୍ର ଏବଂ ଗୁଜରାଟରେ ପ୍ରାୟ ୧୪୦୦ ହେକ୍ଟର ଜମି ୧୦ ହଜାର କୋଟି ଟଙ୍କା ବ୍ୟୟରେ ଅଧିଗ୍ରହଣ କରାଯିବ। ପାଲଘର ଜିଲ୍ଲାରେ ପ୍ରାୟ ୨୦୦ ହେକ୍ଟର ଜମି ଏଥିପାଇଁ ଅଧିଗ୍ରହଣ କରାଯିବ। ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ଆଦିବାସୀ ବହୁଳ ଗ୍ରାମ। ସେମାନେ ସାଧାରଣତଃ ବିକାଶକୁ ବିରୋଧ କରିଥାନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର