ଅନିଶ୍ଚିତତାରେ ମୋଦିଙ୍କ ପ୍ରିୟ ପ୍ରକଳ୍ପ:• ୬ ମେଗା ପ୍ରକଳ୍ପରେ ଖର୍ଚ ହୋଇଛି ୨୧% ପାଣ୍ଠି

• ସ୍ମାର୍ଟ ସିଟିରେ ମାତ୍ର ୧.୮% ଖର୍ଚ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ପ୍ରମୁଖ ଜାତୀୟ ଭିତ୍ତିଭୂମି ବିକାଶ  ପ୍ରକଳ୍ପଗୁଡ଼ିକୁ ନେଇ ଏବେ ସମସ୍ୟା ମୁଣ୍ଡ ଟେକିଛି। ସ୍ମାର୍ଟ ସିଟି ସମେତ ୬ଟି ମେଗା ପ୍ରକଳ୍ପର   ସଠିକ୍‌ କାର୍ଯ୍ୟାନ୍ଵୟନ ହୋଇପାରୁ ନଥିବାରୁ ଏବେ ସରକାରଙ୍କର ଏହି ହାଇ ପ୍ରୋଫାଇଲ ଜାତୀୟ ପ୍ରକଳ୍ପଗୁଡ଼ିକର ଭବିଷ୍ୟତକୁ ନେଇ  ସହରାଞ୍ଚଳ ବିକାଶ ସଂକ୍ରାନ୍ତ ସଂସଦୀୟ  ସ୍ଥାୟୀ କମିଟି  ପ୍ରଶ୍ନ ଉଠାଇଛିି।

ମୋଦିଙ୍କ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ୬ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ ୫୬୦ କୋଟି ଡଲାର ମଞ୍ଜୁର ହୋଇଥିବାବେଳେ ଏହାର ମାତ୍ର ୧୨୦ କୋଟି ଡଲାର ଅର୍ଥାତ୍‌ ୨୧%  ଅର୍ଥ ପ୍ରକଳ୍ପ ବାବଦରେ  ଖର୍ଚ୍ଚ ହୋଇଛି। ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମଞ୍ଜୁର ହୋଇଥିବା ୧୫୦ କୋଟି ଡଲାରରୁ ମାତ୍ର ୨୮ ନିୟୁତ ଡଲାର ଖର୍ଚ୍ଚ ହୋଇଛି, ଯାହା ମଞ୍ଜୁର ହୋଇଥିବା ଅର୍ଥର ମାତ୍ର ୧.୮%। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଲାଗି ମଞ୍ଜୁର ପାଣ୍ଠିର ମାତ୍ର ୩୦%ରୁ କମ୍‌  ବ୍ୟବହାର ହୋଇଛିି ବୋଲି ସଂସଦୀୟ ଷ୍ଟାଣ୍ଡିଂ କମିଟି ରିପୋର୍ଟରେ କୁହାଯାଇଛି। ରାଜ୍ୟଗୁଡ଼ିକରେ ଏହି ସବୁ ଅଭିଯାନର କାର୍ଯ୍ୟକ୍ରମ ପାଇଁ କେନ୍ଦ୍ର ସରକାର ପାଣ୍ଠି ଦେଇଥିଲେ, କିନ୍ତୁ କେନ୍ଦ୍ର ସରକାରଙ୍କ ଆବାସ ଏବଂ ସହରାଞ୍ଚଳ ବିକାଶ   ମନ୍ତ୍ରାଳୟ ଏହି ସବୁ ପ୍ରକଳ୍ପ ଲାଗି ସଠିକ୍‌ ଯୋଜନା କରିନାହିଁ ଓ ବାସ୍ତବ ରୂପାୟନ  ପାଇଁ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ବିଫଳ ହୋଇଛି। ଏନେଇ ବିଜୁ ଜନତା ଦଳ ସାଂସଦ ତଥା ଷ୍ଟାଣ୍ଡିଂ କମିଟିି ଅଧ୍ୟକ୍ଷ ପିନାକୀ ମିଶ୍ର କହିଛନ୍ତି ଯେ  ବିଭିନ୍ନ ପ୍ରକଳ୍ପ ନାମରେ ଅନେକ କିଛି  ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁୁ ବାସ୍ତବରେ କୌଣସି ପ୍ରକଳ୍ପର ସଫଳ ରୂପାୟନ  ପାଇଁ ଆଶାନୁରୂପ କାମ ହୋଇପାରୁନି। ଅନ୍ୟପକ୍ଷରେ ରିପୋର୍ଟକୁ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପ୍ରତ୍ୟାଖ୍ୟାନ କରିଛି। ରିପୋର୍ଟରେ ଦର୍ଶାଯାଇଥିବା ସ୍ୱଳ୍ପ ଖର୍ଚ୍ଚ ନିର୍ମାଣ କାର୍ଯ୍ୟକ୍ରମକୁ ପ୍ରତିଫଳିତ କରୁନାହିଁ ବୋଲି ମନ୍ତ୍ରାଳୟର ମୁଖପାତ୍ର ରାଜୀବ ଜୈନ କହିଛନ୍ତି।  ସେ  କହିଛନ୍ତି ଯେ ସମସ୍ତ କାର୍ଯ୍ୟରେ ଅର୍ଥ ଖର୍ଚ୍ଚ ସଂକ୍ରାନ୍ତ ବିବରଣୀ ସଂପୃକ୍ତ ପ୍ରକଳ୍ପ ମ୍ୟାନେଜରମାନଙ୍କଠାରୁ ହସ୍ତଗତ ହୋଇନାହିଁ।  ପ୍ରକଳ୍ପ ଶେଷ ହେବାପରେ ପ୍ରୋଜେକ୍ଟ ମ୍ୟାନେଜର ଯେଉଁ ‘ବିନିଯୋଗ ପ୍ରମାଣପତ୍ର’ ଦେବେ ସେହି ଆଧାରରେ ସରକାର ଅର୍ଥ ଖର୍ଚ୍ଚର ରିପୋର୍ଟ ସାର୍ବଜନୀନ କରିବେ। ପ୍ରକଳ୍ପ ପାଇଁ ସୀମିତ ସମୟର ଖର୍ଚ୍ଚ ବବରଣୀ ଓ ଅଗ୍ରଗତିକୁ ନେଇ ସେଭଳି କୌଣସି ମାପକାଠି ପୂର୍ବରୁ ନିର୍ଦ୍ଧାରିତ ହୋଇନାହିଁ।   କୌଣସି ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା  କମ୍ପାନିକୁ ଏ ବାବଦ ପ୍ରାପ୍ୟ ପ୍ରକଳ୍ପ କାର୍ଯ୍ୟ ଶେଷ ହେବାପରେ ହିଁ ଦିଆଯାଇଥାଏ। ଏଥିରେ ୩.୭ ବିଲିଅନ୍‌ ଡଲାରର କାର୍ଯ୍ୟ ହୋଇଛି ବୋଲି ଜୈନ କହିଛନ୍ତି।

ସମ୍ବନ୍ଧିତ ଖବର