ଅଣ ଦରକାରୀ ସାମଗ୍ରୀ ଆମଦାନି ଉପରେ କଟକଣା, ମୋଦୀଙ୍କ ଟଙ୍କା ଚିନ୍ତା

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଦୁର୍ବଳ ହୋଇପଡ଼ୁଥିବା ଟଙ୍କାକୁ ଶକ୍ତି ଦେବା ପାଇଁ ଆଜି ୫ଟି ପ୍ରମୁଖ ନିଷ୍ପତ୍ତି ନିଆଯାଇଛି। ସେଥି ମଧ୍ୟରୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିଟି ହେଉଛି ଅଣ ଦରକାରୀ ସାମଗ୍ରୀର ଆମଦାନି ଉପରେ କଟକଣା ଲଗାଇବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଅର୍ଥନୈତିକ ପରାମର୍ଶଦାତାଙ୍କ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ତେବେ କେଉଁ ସବୁ ସାମଗ୍ରୀଗୁଡ଼ିକର ଆମଦାନି ଉପରେ କଟକଣା ଲଗାଯିବ ତାହା ଜଣାପଡ଼ିନାହିଁ। ଏ ସଂକ୍ରାନ୍ତରେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି କହିଛନ୍ତି ଯେ ବିଭିନ୍ନ ମନ୍ତ୍ରଣାଳୟଗୁଡ଼ିକ ସହିତ ଆଲୋଚନା କରିବା ପରେ ଆମଦାନି କଟକଣା ଲଗାଯିବାକୁ ଥିବା ସାମଗ୍ରୀଗୁଡ଼ିକର ତାଲିକା ପ୍ରସ୍ତୁତ କରାଯିବ। ସବୁ କିଛି ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍‌ଲ୍ୟୁଟିଓ) ନିୟମ ଅନୁସାରେ ହେବ ବୋଲି ସେ କହିଛନ୍ତି।

ବୈଠକରେ ହୋଇଥିବା ଆଲୋଚନା ବିଷୟରେ ସେ କହିଲେ, ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଓ ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଆର୍ଥିକ ସ୍ଥିତି ବିଷୟରେ ସୂଚନା ପ୍ରଦାନ କରିଛନ୍ତି। ଦେଶରେ ଆମଦାନି ଓ ରପ୍ତାନି ମଧ୍ୟରେ ରହିଥିବା ଅନ୍ତରକୁ ଦୂର କରିବା ଓ ଅଧିକ ବିଦେଶୀ ମୁଦ୍ରା ଆଣିବା ଲକ୍ଷ୍ୟ ନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ରପ୍ତାନି ବଢ଼ାଇବା ପାଇଁ ପଦକ୍ଷେପ ନିଆଯିବ। ସାମଗ୍ରୀ ଉତ୍ପାଦନ କରୁଥିବା ସଂସ୍ଥାଗୁଡ଼ିକୁ ବିଦେଶରୁ ଋଣ ହାସଲ କରିବାର ଅନୁମତି ଦିଆଯିବ। ବାଧ୍ୟତାମୂଳକ ଭାବେ ଭିତ୍ତିଭୂମି ଋଣର ହେଜିଂ ପାଇଁ ଯେଉଁ ନିୟମ ରହିଛି ତାହାର ସମୀକ୍ଷା କରାଯିବ। ୨୦୧୮-୧୯ରେ ଜାରି କରାଯାଇଥିବା ମସାଲା ବଣ୍ଡ୍‌ରୁ ଓ୍ଵିଥ୍‌ହୋଲ୍‌ଡିଂ ଟିକସ ଉଚ୍ଛେଦ କରାଯାଇଛି। ଏଫ୍‌ପିଆଇଙ୍କ କର୍ପୋରେଟ୍‌ ବଣ୍ଡ୍‌ ପୋର୍ଟଫୋଲିଓ ପାଇଁ ରହିଥିବା ସୀମାକୁ କୋହଳ କରାଯିବାକୁୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସବୁ ନିଷ୍ପତ୍ତି ପଛର ଗୋଟିଏ ଲକ୍ଷ୍ୟ ହେଉଛି ଦେଶ ଭିତରକୁ ଅଧିକ ଡଲାର ଆଣିବା ଓ ଟଙ୍କାକୁ ସୁଦୃଢ଼ କରିବା।

ସମ୍ବନ୍ଧିତ ଖବର