ମୋଦୀଙ୍କୁ ଘାରିବ ଦରହ୍ରାସ ଚିନ୍ତା

କୃଷକଙ୍କ ଆୟ ବୃଦ୍ଧି ପାଇଁ ଅଧିକ ସବ୍‌ସିଡି ଦେବାକୁ ହେବ : ବିତ୍ତୀୟ ନିଅଣ୍ଟ ବଢ଼ିଯିବ

ନୂଆଦିଲ୍ଲୀ,: ନିର୍ବାଚନ ବର୍ଷରେ ଦରଦାମ ହ୍ରାସ ଯେକୌଣସି ସରକାର ପାଇଁ ଏକ ଖୁସିର ବିଷୟ। ବିଶେଷକରି ଖାଦ୍ୟସାମଗ୍ରୀର ଦରଦାମ କମ୍ ରହିଲେ ଏହା ସରକାରଙ୍କୁ ଆଶ୍ବସ୍ତି ଦେଇଥାଏ। କିନ୍ତୁ ଖାଦ୍ୟ ସାମଗ୍ରୀର ଦରଦାମ ହ୍ରାସ ମୋଦୀ ସରକାରଙ୍କ ପାଇଁ ଆଶ୍ବସ୍ତି ହେବା ପରିବର୍ତ୍ତେ ଚିନ୍ତାର କାରଣ ‌ପାଲଟିବାକୁ ଯାଉଛି। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ଏକ ଖବରରେ କୁହାଯାଇଛି ‌େଯ, ନିର୍ଦ୍ଧାରିତ ହାରଠାରୁ ମୁଦ୍ରାସ୍ଫୀତି କମ୍ ରହିଲେ ତାହା ସରକାରଙ୍କ ଅଡ଼ୁଆ ବଢ଼ାଇବ।
ଉଲ୍ଲେଖଯୋଗ୍ୟ ‌େଯ, ୨୦୨୨ ସୁଦ୍ଧା ମୋଦୀ ସରକାର ଦେଶର କୃଷକଙ୍କ ଆୟ ଦୁଇଗୁଣ ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ମୁଦ୍ରାସ୍ଫୀତି କମ୍ ରହିଲେ କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ କମ୍ ଦରରେ ବିକ୍ରି କରିବାକୁ ପଡ଼ିବ। ଫଳରେ କୃଷକଙ୍କ ଆୟ ବୃଦ୍ଧି ପାଇଁ ସରକାର ରଖିଥିବା ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡ଼ିବ। କୃଷକଙ୍କ ଆୟ ବୃଦ୍ଧି ପ୍ରତିଶ୍ରୁତି ପୂରଣ କରିବାକୁ ହେଲେ ସରକାରଙ୍କୁ ଏ ବାବଦରେ କ୍ଷତିପୂରଣ କରିବାକୁ ହେବ। ଏହା ହେଲେ ସରକାରଙ୍କ ବଜେଟ ମଧ୍ୟ ଏପଟସେପଟ ହୋଇଯିବା ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଅାର୍ଥିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କୁହନ୍ତି, ଖାଦ୍ୟଶସ୍ୟ ଉତ୍ପାଦନ ଅଧିକ ରହିଲେ ଦର କମ୍ ରହିବ। ତେଣୁ କୃଷକଙ୍କୁ ଏ ବାବଦରେ କ୍ଷତିପୂରଣ ଦେବାବେଳେ ସରକାରଙ୍କୁ ବିଭିନ୍ନ ନିଅଣ୍ଟ ବୃଦ୍ଧି ନେଇ ମଧ୍ୟ ସଚେତନ ରହିବାକୁ ହେବ। ଖାଦ୍ୟ ସାମଗ୍ରୀର ଦରହ୍ରାସ ମୋଦୀ ସରକାରଙ୍କ ପାଇଁ ଅଭିଶା‌ପ ସଦୃଶ ହୋଇପାରେ ବୋଲି ଶ୍ରୀ ଘୋଷ କହିଛନ୍ତି। କେନ୍ଦ୍ର ସରକାରଙ୍କ ଉପରେ ଏ ବାବଦରେ କେତେ ଆର୍ଥିକ ବୋଝ ପଡ଼ିବ ତାହା ରାଜ୍ୟ ସରକାରଙ୍କ ରଣନୀତି ଗ୍ରହଣ ଉପରେ ନିର୍ଭର କରୁଛି। କୃଷକମାନଙ୍କୁ ସହଯୋଗ କରିବା ଲାଗି ରାଜ୍ୟ ସରକାର ଯେତିକି ବୋଝ ବହନ କରିବେ କେନ୍ଦ୍ର ସରକାରଙ୍କ ବୋଝ ସେତିକି ମାତ୍ରାରେ ହାଲକା ହେବ।

ଗତ ଜୁଲାଇରେ କେନ୍ଦ୍ର ସରକାର କପାଠାରୁ ଆରମ୍ଭ କରି ସୋୟାବିନ, ଧାନ ଆଦିର ସର୍ବନିମ୍ନ ସହାୟକ ମୂଲ୍ୟରେ ଆଖିଦୃଶିଆ ବୃଦ୍ଧି ଘୋଷଣା କରି ସାରିଛନ୍ତି। ଏହି ଘୋଷଣାବେଳେ କୃଷକମାନେ ସେମାନଙ୍କ ଖର୍ଚ୍ଚ ତୁଳନାରେ ଅତିକମ୍‌ରେ ଯେଭଳି ୫୦ ପ୍ରତିଶତ ଅଧିକ ଦର ପାଇପାରିବେ ତାହାକୁ ସରକାର ଧ୍ୟାନ ଦେଇଛନ୍ତି। ତେଣୁ ବଜାର ଦର ହ୍ରାସ ପାଇଲେ ସରକାରଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ ଏବଂ କୃଷକଙ୍କ ଉତ୍ପାଦିତ ସାମଗ୍ରୀ ଯେଭଳି ଅଧିକ ଦରରେ ବିକ୍ରି ହୁଏ ତାହାକୁ ଧ୍ୟାନ ଦେବାକୁ ହେବ। ବିଭିନ୍ନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟରେ ଯେଉଁ ବୃଦ୍ଧି ଘୋଷଣା କରାଯାଇଛି ସେ ବାବଦରେ ସରକାରଙ୍କୁ ଅତିରିକ୍ତ ୧୫ ହଜାର କୋଟି ଟଙ୍କାର ବୋଝ ବହନ କରିବାକୁ ହେବ ବୋଲି ଗୃ‌ହମନ୍ତ୍ରୀ ରାଜନାଥ ସିଂହ କହି ସାରିଛନ୍ତି। ତେବେ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟକୁ ଜିଡିପିର ୩.୩%ରେ ରଖିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। କିନ୍ତୁ ଆସନ୍ତାବର୍ଷ ସରକାର ସାଧାରଣ ନିର୍ବାଚନକୁ ଓହ୍ଲାଉଥିବାରୁ ସରକାର ଏହି ଲକ୍ଷ୍ୟ ହାସଲ କରିବାରେ ସମର୍ଥ ହେବା ନେଇ ସନ୍ଦେହ ରହିଛି। ଗ୍ରାମାଞ୍ଚଳରେ ଖାଦ୍ୟସାମଗ୍ରୀର ଦରଦାମ ନିରବଚ୍ଛିନ୍ନ ଭାବେ କମିବାରେ ଲାଗିଥିବାରୁ ସରକାରଙ୍କ ପାଇଁ ଏହା ଚିନ୍ତାର କାରଣ ବୋଲି ଶ୍ରୀ ଘୋଷ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର