ସରକାରଙ୍କ ଧରପଗଡ ସତ୍ତ୍ୱେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ କଳାଧନ ୫୦% ବୃଦ୍ଧି

0 210

ଜୁରିକ୍‌ : କଳାଧନ ବିରୋଧରେ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ସ୍ୱିସ ବ୍ୟାଙ୍କରେ ଭାରତୀୟଙ୍କ ଗଚ୍ଛିତ ଟଙ୍କା ପରିମାଣ ବଢିଚାଲିଛି । ୨୦୧୫ ଓ ୨୦୧୬ରେ ଏହା କମିଥିବାବେଳେ ୨୦୧୭ରେ ଆଶ୍ଚର୍ଯ୍ୟଜନକଭାବେ ୫୦ ପ୍ରତିଶତ ବୃଦ୍ଧି ପାଇ ୭ ହଜାର କୋଟି ଟଙ୍କାରେ ପହଞ୍ଚିଛି । ସ୍ୱିଜରଲାଣ୍ଡର କେନ୍ଦ୍ରୀୟ ବ୍ୟାଙ୍କ ସ୍ୱିସ ନାସନାଲ ବ୍ୟାଙ୍କ ପକ୍ଷରୁ ଜାରି ୨୦୧୭ର ବାର୍ଷିକ ରିପୋର୍ଟରୁ ଏହା ଜଣାଯାଇଛି ।
ସ୍ୱିଜରଲାଣ୍ଡରେ ଅର୍ଥ ରଖିଥିବା ବିଭିନ୍ନ ବିଦେଶୀ ବ୍ୟକ୍ତିଙ୍କ ଜମା ପରିମାଣ ହାରାହାରି ୩ ପ୍ରତିଶତ ବଢିଥିବାବେଳେ ଭାରତୀୟଙ୍କ ଜମାଅର୍ଥ ଏତେ ପରିମାଣରେ ବଢିବା ସରକାରଙ୍କୁ ଚିନ୍ତାରେ ପକାଇଦେଇଛି । ସ୍ୱିଜରଲାଣ୍ଡର ବ୍ୟାଙ୍କଗୁଡ଼ିକରେ ଏବେ ବିଭିନ୍ନ ଦେଶର ଲୋକମାନେ ୧.୪୬ ଟ୍ରିଲିୟନ ସ୍ୱିସ ଫ୍ରାଙ୍କ ବା ମୋଟ ୧୦୦ ଲକ୍ଷ କୋଟି ଟଙ୍କା ଜମା ରଖିଛନ୍ତି । ୨୦୧୬ରେ ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଜମା ପରିମାଣ ୪୫ ପ୍ରତିଶତ ହ୍ରାସ ପାଇ ୪୫୦୦ କୋଟି ଟଙ୍କାକୁ କମିଯାଇଥିଲା । ଅବଶ୍ୟ ସରକାରଙ୍କ ବିଭିନ୍ନ କଟକଣା ଯୋଗୁଁ ବିଗତ ଏକ ଦଶନ୍ଧି ମଧ୍ୟରେ ସ୍ୱିସ ବ୍ୟାଙ୍କରେ ଥିବା ଭାରତୀୟଙ୍କ ଜମା ଅନେକ ପରିମାଣରେ ହ୍ରାସ ପାଇଛି । ୨୦୦୬ ବେଳକୁ ଏହି ପରିମାଣ ୨୩ ହଜାର କୋଟି ଥବାବେଳେ ୨୦୧୬ରେ ତାହା ସର୍ବନିମ୍ନ ୪୫୦୦ କୋଟିକୁ ହ୍ରାସ ପାଇଥିଲା ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.