ନଗଦ ସଙ୍କଟ: ୨୦୦୦ ଟଙ୍କିଆ ଛପା ବନ୍ଦ

ଦିନକୁ ଛପା ହେଉଛି ୩୦୦୦ କୋଟିର ୫୦୦ ଟଙ୍କିଆ 

ନୂଆଦିଲ୍ଲୀ: ଦେଶରେ ନୋଟ୍‌ ଅଭାବ ସମସ୍ୟାର କାରଣ ଏବେ ପଦାକୁ ଆସିଛି। ସରକାର ଆଉ ଦୁଇ ହଜାର ଟଙ୍କିଆ ନୋଟ୍‌ ଛାପୁ ନାହାନ୍ତି। ଏହାର ଛପାକୁ ବନ୍ଦ କରିଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ସୁଭାଷ ଚନ୍ଦ୍ର ଗର୍ଗ ଆଜି ଦେଇଥିବା ମନ୍ତବ୍ୟରୁ ଏହି ସତ୍ୟ ପଦାକୁ ଆସିଛି। ଗର୍ଗ କହିଛନ୍ତି, ଅର୍ଥନୀତିରେ ଏବେ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ଦୁଇ ହଜାର ଟଙ୍କିଆ ନୋଟ୍‌ ପ୍ରଚଳନ ହେଉଛି। ଏହା ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ। ତେଣୁ କୌଣସି ନୂଆ ଦୁଇ ହଜାର ଟଙ୍କିଆ ନୋଟ୍‌ ଜାରି ହେଉନାହିଁ । କାରବାର ପାଇଁ ଲୋକମାନେ ସାଧାରଣତଃ ୫୦୦, ୨୦୦ ଏବଂ ୧୦୦ ଟଙ୍କିଆ ନୋଟ୍‌କୁ ଅଧିକ ବ୍ୟବହାର କରିଥାନ୍ତି। କାରବାର ସମୟରେ ୨୦୦୦ ଟଙ୍କିଆ ନୋଟ୍‌କୁ ସୁବିଧାଜନକ ମନେ କରି ନଥାନ୍ତି। ୫୦୦ ଟଙ୍କିଆ ନୋଟ୍‌ର ଯୋଗାଣ ପର୍ଯ୍ୟାପ୍ତ ମାତ୍ରାରେ କରାଯାଉଛି। ୫୦୦ ଟଙ୍କିଆ ନୋଟ୍‌ ଛପାକୁ ଦୈନିକ ୨୫୦୦ରୁ ୩୦୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚାହିଦା ତୁଳନାରେ ଏହି ନୋଟ୍‌ର ଯୋଗାଣ ଯଥେଷ୍ଟ ଅଧିକ ରହିଛି। ଫଳରେ ଲୋକଙ୍କ ନୋଟ୍‌ ଆବଶ୍ୟକତା ପୂରଣ ପାଇଁ ସରକାର ଯଥେଷ୍ଟ ଯତ୍ନବାନ ଅଛନ୍ତି ବୋଲି ସେ କହିଛନ୍ତି। ଗର୍ଗ ଏହା ମଧ୍ୟ କହିଛନ୍ତି ଦେଶରେ ଟଙ୍କା ଯୋଗାଣ ସ୍ଥିତି ସମ୍ପୂର୍ଣ୍ଣ ଭାବେ ଭଲ ରହିଛି। ତେବେ ଅତିରିକ୍ତ ଚାହିଦା ପୂରଣ ପାଇଁ ଆମେ ୫୦୦ ଟଙ୍କିଆ ନୋଟ୍‌ର ଛପା ସଂଖ୍ୟାକୁ ବୃଦ୍ଧି କରିଛୁ। ଦେଶର ଏଟିଏମ୍‌ ଗୁଡ଼ିକରେ ନୋଟ୍‌ ଅଭାବ ଜନିତ ସମସ୍ୟାକୁ ସେ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି, ଗତ ସପ୍ତାହରେ ସେ ଦେଶରେ ଟଙ୍କା ଯୋଗାଣ ଏବଂ ଚାହିଦା ସମ୍ପର୍କରେ ସମୀକ୍ଷା କରିଥିଲେ। ମୋଟ ଏଟିଏମ୍‌ ମଧ୍ୟରୁ ୮୫ ପ୍ରତିଶତ ଏଟିଏମ୍‌ରେ ଟଙ୍କା ମିଳୁଥିବା ସେ ଜାଣିବାକୁ ପାଇଛନ୍ତି।

ଅର୍ଥନୀତିରେ ଜାଲ୍‌ ନୋଟ୍‌ର ପ୍ରଚଳନକୁ ରୋକିବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି। ଏଥିପାଇଁ ନୋଟ୍‌ ଗୁଡ଼ିକର ନିରାପତ୍ତା ବୈଶିଷ୍ଟ୍ୟକୁ ବୃଦ୍ଧି କରାଯାଉଛି। ନୋଟ୍‌କୁ ସମ୍ପୂର୍ଣ୍ଣ ଭାବେ ନକଲ କରିବା ଘଟଣା ପ୍ରାୟତଃ ଦେଖିବାକୁ ମିଳି ନାହିଁ ବୋଲି ସେ କହିଛନ୍ତି। ଏହା ସତ୍ତ୍ୱେ ରିଜର୍ଭ ବ୍ୟାଙ୍କ ସମୟକୁ ସମୟ ଏସବୁର ସମୀକ୍ଷା କରୁଛି ଏବଂ ନୂଆ ନୂଆ ବୈଶିଷ୍ଟ୍ୟ ସାମିଲ କରୁଛି ବୋଲି ଗର୍ଗ କହିଛନ୍ତି।

ଏତଦ୍‌ବ୍ୟତୀତ ସେ ଅର୍ଥନୀତିର ଅନ୍ୟ କେତୋଟି ପ୍ରସଙ୍ଗରେ ମଧ୍ୟ ମତ ରଖିଛନ୍ତି। ମୁଦ୍ରାସ୍ଫୀତିରେ ସେଭଳି କୌଣସି ଅଣଆନୁପାତିକ ବୃଦ୍ଧି କିମ୍ବା ଉତ୍ପାଦନରେ ଅତିରିକ୍ତ ବୃଦ୍ଧି ହୋଇ ନଥିବାରୁ ସୁଧ ହାର ବୃଦ୍ଧିର ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଆମକୁ ଅର୍ଥନୀତିର ବାସ୍ତବତାକୁ ଦେଖି ପଦକ୍ଷେପ ନେବାକୁ ହେବ। ଏଥିପାଇଁ ପରବର୍ତୀ ମୁଦ୍ରାନୀତି ସମୀକ୍ଷା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେବ ବୋଲି ସେ କହିଛନ୍ତି। ମୁଦ୍ରାନୀତି କମିଟିର ପରବର୍ତୀ ବୈଠକ ଜୁନ୍‌ ୪ ଓ ୫ରେ କରିବା ପାଇଁ ତାରିଖ ନିର୍ଧାରଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଅଧ୍ୟକ୍ଷତାରେ ଗଠିତ ୬ ଜଣିଆ ମୁଦ୍ରାନୀତି କମିଟି ଗତମାସରେ ମୁଦ୍ରାନୀତିର ସମୀକ୍ଷା କରିଥିଲା। କିନ୍ତୁ ଏଥିରେ ରେପୋ ରେଟ୍‌କୁ ୬ ପ୍ରତିଶତରେ ଅପରିବର୍ତିତ ରଖାଯାଇଛି।

ଶହେ ଟଙ୍କିଆର ଘୋର ଅଭାବ 

ପୁନେ: ବଜାରରେ ୨୦୦ ଏବଂ ୨୦୦୦ ଟଙ୍କିଆ ଭଳି ନୂଆ ଶହେ ଟଙ୍କିଆ ନୋଟ୍‌ର ମଧ୍ୟ ଘୋର ଅଭାବ ରହିଛି। ବିଶେଷକରି ଏଟିଏମ୍‌ରେ ରଖିବା ପାଇଁ ଉପଯୁକ୍ତ ଶହେ ଟଙ୍କିଆ ନୋଟ୍‌ ଏବେ ପ୍ରଚଳନରେ ପର୍ଯ୍ୟାପ୍ତ ମାତ୍ରାରେ ନାହିଁ। ତେଣୁ ଆଗାମୀ ଦିନରେ ଏହା ନୋଟ୍‌ ସଙ୍କଟକୁ ଆହୁରି ଜଟିଳ କରିପାରେ ବୋଲି ବ୍ୟାଙ୍କରମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବଜାରରେ ଏବେ ଯେଉଁ ଶହେ ଟଙ୍କିଆ ନୋଟ୍‌ ମିଳୁଛି ସେଥିରୁ ଅଧିକାଂଶ ମଇଳା ହୋଇଗଲାଣି। ଏପରିକି କେତେକ ନୋଟ୍‌ ୨୦୦୫ ମସିହା ପୂର୍ବରୁ ଛପା ହୋଇଥିଲା ବୋଲି ବ୍ୟାଙ୍କରମାନେ ମତ ଦେଇଛନ୍ତି। ନୋଟ୍‌ ସମସ୍ୟାକୁ ଦୂର କରିବା ପାଇଁ ରିଜର୍ଭ ବ୍ୟାଙ୍କ ତୁରନ୍ତ ପଦକ୍ଷେପ ନେବା ଉଚିତ। ରିଜର୍ଭ ବ୍ୟାଙ୍କ ତୁରନ୍ତ ନୂଆ ଶହେ ଟଙ୍କିଆ ନୋଟ୍‌ ବହୁସଂଖ୍ୟାରେ ଆଣିବା ଉଚିତ। ଏହା ହେଲେ ପାଞ୍ଚ ଶହ ଟଙ୍କିଆ ନୋଟ୍‌ ଉପରେ ଯେଉଁ ମାତ୍ରାଧିକ ଚାପ ରହିଛି ତାହା ହ୍ରାସ ପାଇବ ବୋଲି ବ୍ୟାଙ୍କରମାନେ ମତ ଦେଇଛନ୍ତି।

ଏଟିଏମ୍‌ରେ କେତେ ଟଙ୍କା ରହିପାରେ

ଗୋଟିଏ ଏଟିଏମ୍‌ରେ ଟଙ୍କା ରଖିବା ପାଇଁ ସାଧାରଣତଃ ୪ଟି କ୍ୟାସେଟ୍‌ ରହିଥାଏ। ଏଥିରୁ ଗୋଟିଏ କ୍ୟାସେଟ୍‌ରେ ୨୦୦୦ ଖଣ୍ଡ ଲେଖାଏ ନୋଟ୍‌ ରହିବାର ବ୍ୟବସ୍ଥା ରହିଛି। ଦୁଇ ହଜାର ଖଣ୍ଡର ଦୁଇ ହଜାର ଟଙ୍କିଆ ନୋଟ୍‌ ରହିଲେ ୪୦ ଲକ୍ଷ ଟଙ୍କା ରହିଥାଏ। ସେହିଭଳି ଦୁଇ ହଜାର ଖଣ୍ଡର ପାଞ୍ଚ ଶହ ଟଙ୍କିଆ ନୋଟ୍‌ ରହୁଥିବା କ୍ୟାସେଟ୍‌ରେ ୧୦ ଲକ୍ଷ ଟଙ୍କା, ୨୦୦ ଟଙ୍କିଆ ନୋଟ୍‌ ରହୁଥିବା କ୍ୟାସେଟ୍‌ରେ ୪ ଲକ୍ଷ ଟଙ୍କା ଏବଂ ଶହେ ଟଙ୍କିଆ ନୋଟ୍‌ ରହୁଥିବା କ୍ୟାସେଟ୍‌ରେ ୨ ଲକ୍ଷ ଟଙ୍କା ରହିବାର କ୍ଷମତା ରହିଛି। ତେଣୁ ମୋଟରେ ୫୬ ଲକ୍ଷ ଟଙ୍କା ରହିବାର ସୁବିଧା ଏଟିଏମ୍‌ରେ ରହିଛି। ତେବେ ଗୋଟିଏ କ୍ୟାସେଟ୍‌କୁ ଖାଲି ରଖାଯାଇଥାଏ। କାରଣ ସିଷ୍ଟମ ଏରର୍‌ ଦେଖାଇଲେ ଫେରି ଯାଉଥିବା ନୋଟ୍‌ ଗୁଡ଼ିକ ସେହି କ୍ୟାସେଟ୍‌ରେ ଜମା ରହିଥାଏ। ଏଟିଏମ୍‌ରେ ଏହି ବ୍ୟବସ୍ଥା ରହିଥିଲେ ମଧ୍ୟ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ନିକଟରେ ଉପଲବ୍ଧ ଥିବା ନୋଟ୍‌ ଏବଂ ଚାହିଦାକୁ ଦେଖି ଏଟିଏମ୍‌ରେ ନୋଟ୍‌ ଭର୍ତ୍ତି କରିଥାନ୍ତି। ଏହି ଦୃଷ୍ଟିରୁ ଅଧିକାଂଶ ଏଟିଏମ୍‌ରେ ପ୍ରାୟ ୧୨ ଲକ୍ଷରୁ ୩୯ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅର୍ଥ ରହିଥାଏ।

ଏବେ କ’ଣ ହେଉଛି

ବ୍ୟାଙ୍କରଙ୍କ କହିବାନୁଯାୟୀ, ଅଧିକାଂଶ ଏଟିଏମ୍‌ରେ ଖୁବ୍‌ କମ୍‌ ସଂଖ୍ୟକ କିମ୍ବା ଆଦୌ ୨୦୦୦ ଟଙ୍କିଆ ନୋଟ୍‌ ଭର୍ତ୍ତି କରାଯାଉ ନାହିଁ। ତେଣୁ ଦୁଇ ହଜାର ଟଙ୍କିଆ ନୋଟ୍‌ ପାଇଁ ଉଦ୍ଦିଷ୍ଟ କ୍ୟାସେଟ୍‌କୁ ଖାଲି ରଖାଯାଉଛି। ସେହିଭଳି ୨୦୦ ଟଙ୍କିଆର ଅଭାବ ଥିବାରୁ ଏହାକୁ ମଧ୍ୟ ଏଟିଏମ୍‌ରେ କମ୍‌ ସଂଖ୍ୟାରେ ରଖାଯାଉଛି। ତେଣୁ ଏଟିଏମ୍‌ରେ ବସ୍ତୁତଃ ଅଧିକ ସଂଖ୍ୟାରେ ଶହେ ଏବଂ ପାଞ୍ଚ ଶହ ଟଙ୍କିଆ ନୋଟ୍‌ ରଖାଯାଉଛି। ଫଳରେ ଏଟିଏମ୍‌ରେ ଏବେ ସର୍ବାଧିକ ୧୨ ଲକ୍ଷ ଟଙ୍କା ରହୁଛି। ଏଥିଯୋଗୁଁ ଏଟିଏମ୍‌ ଶୀଘ୍ର ଖାଲି ହୋଇଯାଉଛି। ଏଟିଏମ୍‌ରେ ରଖିବା ଭଳିଆ ନୂଆ ଶହେ ଟଙ୍କିଆ ମିଳୁ ନଥିବାରୁ ଆଗକୁ ନୋଟ୍‌ ସମସ୍ୟା ଜଟିଳ ହେବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର