କଣ୍ଟ୍ରୋଲ ଦୋକାନ, ଜନସେବା କେନ୍ଦ୍ରରେ ମିଳିବ ଟଙ୍କା ଉଠାଣ ସୁବିଧା

୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ହେବ
ଭୁବନେଶ୍ୱର: ଘର ନିକଟରେ ବ୍ୟାଙ୍କ ନଥିଲେ ବି ଲୋକଙ୍କୁ ଆଗାମୀ ଦିନରେ ସହଜରେ ଟଙ୍କା ମିଳିପାରିବ। କଣ୍ଟ୍ରୋଲ ଦୋକାନ ଏବଂ କମନ ସର୍ଭିସ ସେଣ୍ଟରରେ ଲୋକଙ୍କୁ ଟଙ୍କା ଉଠାଣ ସେବା ଯୋଗାଇ ଦେବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଅର୍ଥ ବିଭାଗ ଏ ନେଇ ପଦକ୍ଷେପ ନେବା ଆରମ୍ଭ କରିଛି। ଗତ ଗୁରୁବାର ଅନୁଷ୍ଠିତ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ ବ୍ୟାଙ୍କ ଅଧିକାରୀଙ୍କ ସହ ଏ ନେଇ ଆଲୋଚନା କରି ଯଥାଶୀଘ୍ର ଏହାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ଚଳିତ ସପ୍ତାହରେ ଏ ନେଇ ବ୍ୟାଙ୍କ ଗୁଡ଼ିକ ସହିତ ଚୂଡ଼ାନ୍ତ ବୈଠକ ହେବାକୁ ସ୍ଥିର କରାଯାଇଛି। ସୂଚନା ଅନୁଯାୟୀ ଫେୟାର ପ୍ରାଇସ୍‌ ସପ୍‌ (କଣ୍ଟ୍ରୋଲ ଦୋକାନ) ଏବଂ କମନ ସର୍ଭିସ ସେଣ୍ଟର ବା ଜନସେବା କେନ୍ଦ୍ର ଗୁଡ଼ିକରେ ଲୋକେ ବ୍ୟାଙ୍କିଙ୍ଗ୍‌ ସୁବିଧା ପାଇବେ। ସେଠାରେ କିନ୍ତୁ ଲୋକଙ୍କୁ ଟଙ୍କା ଜମା କରିବା ସୁବିଧା ମିଳିବ ନାହିଁ। କେବଳ ଟଙ୍କା ଉଠାଣ ସୁବିଧା ମିଳିବ। ଜଣେ ହିତାଧିକାରୀ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ। ଏଥିପାଇଁ ଗ୍ରାହକଙ୍କୁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ। ରାଜ୍ୟରେ ଥିବା ୧୨,୬୨୫ଟି କଣ୍ଟ୍ରୋଲ ଦୋକାନ ଏବଂ ୧୭ ହଜାର ଜନସେବା କେନ୍ଦ୍ରରେ ଏହି ସୁବିଧା ଲୋକଙ୍କୁ ମିଳିବ। ଲୋକମାନେ ପିଓଏସ୍‌ ମେସିନ୍‌ରେ ଯେଭଳି ନିଜର ଅଙ୍ଗୁଳି ଛାପ ଦେଇ ରାସନ ସାମଗ୍ରୀ ନେଉଛନ୍ତି ଠିକ୍‌ ସେହିଭଳି ନିଜ ଆକାଉଣ୍ଟରୁ ଟଙ୍କା ଉଠାଇବା ସୁଯୋଗ ପାଇବେ। ରାତି ଅଧରେ ମଧ୍ୟ ଲୋକଙ୍କୁ ଏହି ସୁବିଧା ମିଳିବ। ସ୍ଥାନୀୟ ବ୍ୟାଙ୍କ ସହିତ ଏଥିପାଇଁ କଣ୍ଟ୍ରୋଲ ଦୋକାନ ଓ ଜନସେବା କେନ୍ଦ୍ରକୁ ଯୋଡ଼ାଯିବ। ସ୍ଥାନୀୟ ବ୍ୟାଙ୍କରେ ଯେଉଁ ବ୍ୟକ୍ତିମାନଙ୍କର ଜମାଖାତା ରହିଛି ସେମାନେ ଏହି ଟଙ୍କା ଉଠାଣ ସୁବିଧା ପାଇବେ। ଜମା ଅର୍ଥ ଉଠାଇବା ସହିତ ଲୋକଙ୍କୁ ଏଠାରେ ପେନସନ୍‌, ଛାତ୍ରବୃତ୍ତି, ଇନ୍ଦିରା ଆବାସ ଓ ବିଜୁ ପକ୍କା ଘର ଅର୍ଥ ମନରେଗା ମଜୁରି ଏବଂ ସମସ୍ତ ସରକାରୀ ଯୋଜନାର ଟଙ୍କା ମିଳିପାରିବ।

ସମ୍ବନ୍ଧିତ ଖବର