ଆଜିକାଲି ବାଇକ୍ ବଜାରରେ ଅନେକ କମ୍ପାନି ଅଛନ୍ତି। ନିୟମିତ ବ୍ୟବଧାନରେ କମ୍ପାନି ଗୁଡ଼ିକ ଅନେକ ନୂଆ ନୂଆ ମଡେଲର ବାଇକ୍ ମଧ୍ୟ ବଜାରକୁ ଆଣୁଛନ୍ତି। ବାଇକ୍ ଗୁଡ଼ିକର ବିକ୍ରି ବି ଭଲ ହେଉଛି। କିନ୍ତୁ ଏବେ ବି ଭାରତୀୟ ବାଇକ୍ ପ୍ରେମୀଙ୍କ ମନରୁ ଅତୀତର କେତୋଟି ବାଇକ୍ର ଛାପ ଲିଭିନାହିଁ। ଦୀର୍ଘଦିନ ଧରି ଭାରତୀୟ ସଡ଼କରେ ସେହି ବାଇକ୍ ଗୁଡ଼ିକ ଯା’ଆସ କରୁଛି। ଯଦିଓ ଏସବୁ ବାଇକ୍ ସଡ଼କରେ ପୂର୍ବଭଳି ଦେଖାଯାଉ ନାହିଁ ତଥାପି କିଛି ବ୍ୟକ୍ତି ସେସବୁ ବାଇକ୍କୁ ଚଢ଼ୁଛନ୍ତି ଏବଂ ଯତ୍ନର ସହ ସାଇତି ରଖିଥିବା ଦେଖାଯାଉଛି। ଭାରତୀୟ ଗ୍ରାହକଙ୍କ ମନକୁ ଜିଣିଥିବା ସେହି କେତୋଟି ମନଲୋଭା ବାଇକ୍କୁ ନେଇ ଆମର ଏହି ସ୍ୱତନ୍ତ୍ର ଉପସ୍ଥାପନା
Sambad is now on WhatsApp
Join and get latest news updates delivered to you via WhatsApp
ରାଜଦୁତ୍ ୩୫୦ ଆର୍ଡି
ଗତ ଶତାବ୍ଦୀର ଅଷ୍ଟମ ଏବଂ ନବମ ଦଶକରେ ରାଜଦୁତ ୩୫୦ ଏକ ଲୋକପ୍ରିୟ ବାଇକ୍ ହୋଇ ରହିଥିଲା। ଏହା ଏକ ଆରାମଦାୟକ ବାଇକ୍ ହୋଇଥିବାରୁ ଚାଳକ ଘଣ୍ଟା ଘଣ୍ଟା ଧରି ଏହାକୁ ଚଳାଇଲେ ମଧ୍ୟ ଥକିଯିବା ଅନୁଭବ କରୁ ନଥିଲା। ଏହି ଗାଡ଼ିରେ ୩୪୭ ସିସିର ୨ ଷ୍ଟ୍ରୋକ୍ ଇଞ୍ଜିନ ଲାଗିଥିଲା।
ୟେଜ୍ଦି ରୋଡକିଙ୍ଗ୍ ୨୫୦
ମହୀଶୂରର ଜାଓ୍ଵା ଲିମିଟେଡ ପକ୍ଷରୁ ଏହି ବାଇକ୍ ନିର୍ମାଣ ହୋଇଥିଲା। ୧୯୭୮ରୁ ୧୯୯୬ ମସିହା ପର୍ଯ୍ୟନ୍ତ ଏହି ବାଇକ୍ର ଉତ୍ପାଦନ ହୋଇଥିଲା। ଏଥିରେ ସେମି ଅଟୋମେଟିକ୍ ଭାଲ୍ବ ରହିଥିଲା। ଅନେକ ହିନ୍ଦୀ ସିନେମାରେ ଏହି ବାଇକ୍ ଦେଖିବାକୁ ମିଳିଥାଏ। ୟେଜ୍ଦି ରୋଡକିଙ୍ଗ୍ରେ ୨୫୦ସିସିର ୨ ଷ୍ଟ୍ରୋକ୍ ଇଞ୍ଜିନ ଖଞ୍ଜା ଯାଇଛି।
ୟାମାହା ଆର୍ଏକ୍ସ ୧୦୦
ୟାମାହା ଆର୍ଏକ୍ସ ୧୦୦ ଏବେ ବି ଭାରତରେ ଏକ ଆଇକନିକ୍ ବାଇକ୍ ହୋଇ ରହିଛି। ଅନେକ ବ୍ୟକ୍ତି ଏବେ ଏହାକୁ ଚଢ଼ୁଥିବା ଦେଖାଯାଉଛି। ୧୯୭୬ ମସିହାରେ ଭାରତୀୟ ବଜାରକୁ ଆସିଥିବା ଏହି ବାଇକ୍ ଦୀର୍ଘଦିନ ପର୍ଯ୍ୟନ୍ତ ଲୋକଙ୍କ ପସନ୍ଦର ବାଇକ୍ ହୋଇ ରହିଥିଲା। ୧୯୭୬ରୁ ୨୦୦୬ ମସିହା ପର୍ଯ୍ୟନ୍ତ ଏହି ବାଇକ୍ର ଉତ୍ପାଦନ ହୋଇଥିଲା। ଏହି ବାଇକ୍ରେ ୧୦୦ସିସି କ୍ଷମତା ବିଶିଷ୍ଟ ଇଞ୍ଜିନ ରହିଛି।
ବଜାଜ୍ କାଓ୍ଵାସାକି କାଲିବର୍
ବଜାଜ ଏବଂ କାଓ୍ଵାସାକି ପକ୍ଷରୁ ପ୍ରସ୍ତୁତ କାଲିବର ବାଇକ୍ ବଜାରରେ ଚହଳ ସୃଷ୍ଟି କରିଥିଲା। ହୁଡ଼ି ବାବା ନାମରେ ଏହି ବାଇକ୍ର ବିଜ୍ଞାପନ କମ୍ପାନି କରିଥିଲା ଯାହାକି ଆଜି ପର୍ଯ୍ୟନ୍ତ ମଧ୍ୟ ଲୋକଙ୍କ ମନରେ ରହିଛି। କମ୍ପାନି ପକ୍ଷରୁ ୨୦୦୬ ମସିହା ପର୍ଯ୍ୟନ୍ତ ଏହି ବାଇକ୍ର ନିର୍ମାଣ କରାଯାଇଥିଲା। ଏହି ବାଇକ୍ରେ ୧୧୧.୬ସିସିର ଇଞ୍ଜିନ ରହିଛି।