ନ୍ୟୁୟର୍କ ଅପେକ୍ଷା ହଂକଂରେ ଅଧିକ ଧନୀ

ବିଶ୍ୱର ବଡ଼ ଧନୀଙ୍କ ମଧ୍ୟରେ ୩୫ ପ୍ରତିଶତ ମହିଳା

ନ୍ୟୁୟର୍କ: ବଡ଼ ବଡ଼ ଧନୀ ବ୍ୟକ୍ତି ବାସ କରୁଥିବା ସହର ଗୁଡ଼ିକ ମଧ୍ୟରେ ହଂକଂ ଏବେ ଆମେରିକାର ନ୍ୟୁୟର୍କ ସହରକୁ ପଛରେ ପକାଇ ଦେଇଛି। ଅତିକମ୍‌ରେ ୩୦ ନିୟୁତ ଡଲାରର ସମ୍ପତ୍ତି ଥିବା ଧନୀ ବ୍ୟକ୍ତିମାନଙ୍କ ସଂଖ୍ୟା ଏବେ ନ୍ୟୁୟର୍କ ତୁଳନାରେ ହଂକଂରେ ଅଧିକ ବୋଲି ଗବେଷଣା ସଂସ୍ଥା େଓ୍ଵଲ୍‌ଥ ଏକ୍ସ ପକ୍ଷରୁ କୁହାଯାଇଛି। ଗତବର୍ଷ ଏହି ବୃହତ୍‌ ଧନୀବ୍ୟକ୍ତିଙ୍କ ସଂଖ୍ୟା ହଂକଂରେ ୩୧ ପ୍ରତିଶତ ବୃଦ୍ଧି ଘଟି ପ୍ରାୟ ୧୦ ହଜାରରେ ପହଞ୍ଚିଛି। ତେବେ ନ୍ୟୁୟର୍କରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟା ଏବେ ପ୍ରାୟ ୯ ହଜାର ରହିଛି। ନ୍ୟୁୟର୍କ ପଛକୁ ଏହି ତାଲିକାର ତୃତୀୟ ସ୍ଥାନରେ ଜାପାନ ରାଜଧାନୀ ଟୋକିଓ ରହିଛି। ସେହିଭଳି ଚତୁର୍ଥ ସ୍ଥାନରେ ପ୍ୟାରିସ୍‌ ଏବଂ ପଞ୍ଚମ ସ୍ଥାନରେ ଲଣ୍ଡନ ରହିଛି। ପୂର୍ବରୁ ଲଣ୍ଡନ ଚତୁର୍ଥ ସ୍ଥାନରେ ଥିବାବେଳେ ବ୍ରେକ୍‌ଜିଟ୍‌ ପ୍ରଭାବରେ ଏହି ସହର ଏବେ ପଞ୍ଚମ ସ୍ଥାନକୁ ଖସିଯାଇଛି। ତେବେ ସମଗ୍ର ବିଶ୍ୱରେ ଉପରୋକ୍ତ ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ବିଶ୍ୱରେ ଏମାନଙ୍କ ସଂଖ୍ୟା ୨,୫୬,୦୦୦ରେ ପହଞ୍ଚିଥିବା ବେଳେ ସେମାନଙ୍କ ମୋଟ ସମ୍ପତ୍ତି ୩୧.୫ ଲକ୍ଷ କୋଟି ଡଲାର ଛୁଇଁଛି। ଏହି ରିପୋର୍ଟରୁ ଅନ୍ୟ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଷୟ ପଦାକୁ ଆସିଛି ତାହା ହେଲା ଏସିଆ ସବୁଠୁ ଅଧିକ ମାତ୍ରାରେ ଏ କ୍ଷେତ୍ରରେ ଆଗକୁ ବଢ଼ିଛି। ଏଥିରେ ଚୀନ୍‌ ଏବଂ ହଂକଂର ଯୋଗଦାନ ଅଧିକ ରହିଛି। ଏକ ଦଶନ୍ଧି ପୂର୍ବେ ଏସିଆରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟା ପାଖାପାଖି ୧୮ ପ୍ରତିଶତ ଥିବାବେଳେ ଏବେ ଏହା ୨୫ ପ୍ରତିଶତରୁ ଅଧିକ ହୋଇଯାଇଛି। ଆସନ୍ତା ୫ ବର୍ଷ ମଧ୍ୟରେ ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଉପରୋକ୍ତ ବର୍ଗର ଧନୀଙ୍କ ସଂଖ୍ୟା ବୃଦ୍ଧି ପାଇବ। ବିଶ୍ୱର ଅନ୍ୟାନ୍ୟ ଅଞ୍ଚଳ ତୁଳନାରେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳର ପାର୍ଥକ୍ୟ ହ୍ରାସ ପାଇବ। ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଏହି ବର୍ଗର ଧନୀ ବ୍ୟକ୍ତିଙ୍କ ସଂଖ୍ୟାରେ ବାର୍ଷିକ ୮.୩% ବୃଦ୍ଧି ଘଟିବ। ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବର୍ଗର ଧନୀଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ହେଉଛି ପ୍ରାୟ ୩୫ ହଜାର। ଅର୍ଥାତ୍‌ ମୋଟ ବୃହତ୍‌ ଧନୀଙ୍କ ମଧ୍ୟରେ ପ୍ରାୟ ୧୪ ପ୍ରତିଶତ ମହିଳା ରହିଛନ୍ତି। ସେହିଭଳି ଧନୀବ୍ୟକ୍ତିଙ୍କ ନିକଟରେ ଥିବା ମୋଟ ସମ୍ପତ୍ତିର ପ୍ରାୟ ୩୫ ପ୍ରତିଶତ ସମ୍ପତ୍ତି ନଗଦ ଅର୍ଥ ଆକାରରେ ରହିଛି ବୋଲି ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର