ଜିଓକୁ ନେଇ ଏହି ସବୁ ନୂଆ ଘୋଷଣା କଲେ ମୁକେଶ ଅମ୍ବାନୀ

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ ପକ୍ଷରୁ ଆୟୋଜିତ ୪୨ ତମ ବାର୍ଷିକ ବୈଠକରେ କମ୍ପାନୀର ଅଧ୍ୟକ୍ଷ ମୁକେଶ ଅମ୍ବାନୀ କିଛି ନୂଆ ଘୋଷଣା କରିଛନ୍ତି | ବହୁ ପ୍ରତିକ୍ଷିତ ଜିଓ ଫାଇବର ସେବା ବାବଦରେ ଆଜି ମୁକେଶ ଘୋଷଣା କରିବା ସହ ଜିଓ ସେଟଟପ ବକ୍ସ ବାବଦରେ ମଧ୍ୟ ଘୋଷଣା କରିଛନ୍ତି | ମୁକେଶ କହିଛନ୍ତି ଯେ ଆସନ୍ତା ସେପ୍ଟେମ୍ବର ୫ରୁ ବାଣିଜ୍ୟିକ ଜିଓ ଫାଇବର ସେବା ଆରମ୍ଭ ହେବ | ୨ କୋଟି ଘରକୁ ଜିଓ ଫାଇବର ସେବା ଯୋଗାଣ ଲକ୍ଷ୍ୟ ଥିବାବେଳେ ୧୬୦୦ ସହରର ଦେଢ଼କୋଟି ବ୍ୟାବସାୟିକ ସଂସ୍ଥାକୁ ସେବା ଯୋଗାଣ ଲକ୍ଷ୍ୟ ରଖାଯାଇଛି | ଜିଓ ଗିଗା ଫାଇବର ସେବାରେ ୩ଟି ପ୍ଲାନ୍‌ ଓ ୩ଟି ମୁଖ୍ୟ ସୁବିଧା ରହିବ | ମାଗଣା ଇନ୍‌ଷ୍ଟଲେସନ ସହ ଜିଓ ସେଟ୍‌ଟପ୍‌ ବକ୍ସରେ ଭିଡିଓ କଲିଂ ସୁବିଧା ମିଳିବ |

ଜିଓ ଗିଗା ଫାଇବରର ତିନିଟି ପ୍ଲାନ
ମାସିକ ୫୦୦ ଟଙ୍କାରେ ମିଳିବ ୧୦୦ ଏମବିପିଏସ ସ୍ପିଡ୍‌ର ଇଣ୍ଟରନେଟ୍‌
ମାସିକ ୬୦୦ ଟଙ୍କାରେ ମିଳିବ ବ୍ରଡ୍‌ବ୍ୟାଣ୍ଡ, ଡିଟିଏଚ ଓ ଟିଭି ସେବା
ମାସିକ ୧୦୦୦ ଟଙ୍କାରେ ମିଳିବ ବ୍ରଡ୍‌ବ୍ୟାଣ୍ଡ, ଡିଟିଏଚ, ଟିଭି ଓ ଲ୍ୟାଣ୍ଡଲାଇନ୍‌ ସେବା

ଏହି ଅବସରରେ ମୁକେଶ କହିଛନ୍ତି ଯେ ଲୋକଙ୍କ ବିଶ୍ୱାସ ଯୋଗୁଁ ଜିଓର ଗ୍ରାହକଙ୍କ ସଂଖ୍ୟା ୩୪ କୋଟିରେ ପହଞ୍ଚିଛି | ସେହିପରି ସାଉଦି ଆରବର ସର୍ବବୃହତ ତୈଳ କମ୍ପାନି ଆରାମ୍‌କୋ କମ୍ପାନି ସହ ରିଲାଏନ୍ସର ସହଭାଗିତା ଫଳରେ ରିଲାଏନ୍ସକୁ ଦୈନିକ ୫ ଲକ୍ଷ ବ୍ୟାରେଲ ଅଶୋଧିତ ତୈଳ ଯୋଗାଇବ ଆରାମ୍‌କୋ | ତୈଳରୁ ରାସାୟନିକ ବିଭାଗରେ ୨୦% ଅଂଶଧନ ବିକିବ ରିଲାଏନ୍ସ | ଏହି ଅବସରରେ ମୁକେଶ କହିଛନ୍ତି ଯେ ରିଲାଏନ୍ସ ଦେଶରେ ସବୁଠୁ ଅଧିକ ଲାଭ କରୁଥିବା କମ୍ପାନି ସହ ସର୍ବାଧିକ ଜିଏସଟି ମଧ୍ୟ ଦେଉଛି | ସେହିପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି ଯେ ଜାମ୍ମୁ ଓ କାଶ୍ମୀର ଏବଂ ଲଦାଖର ବିକାଶରେ ଭାଗୀଦାର ହେବ ରିଲାଏନ୍ସ | ଜାମ୍ମୁକାଶ୍ମୀର ଓ ଲଦାଖରେ ବିକାଶ ପାଇଁ ରିଲାଏନ୍ସ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଢ଼ିବ ବୋଲି ମୁକେଶ କହିଛନ୍ତି |

ସମ୍ବନ୍ଧିତ ଖବର