ମେକ୍ ଇନ୍ ଓଡ଼ିଶାରେ ଯୋଗଦେବେ ମୁକେଶ ଅମ୍ବାନି

ଭୁବନେଶ୍ବର,: ଆସନ୍ତା ୧୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଥିବା ମେକ୍ ଇନ୍ ଓଡ଼ିଶା ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଅଧ୍ୟକ୍ଷ ମୁକେଶ ଅମ୍ବାନି ଯୋଗଦେବେ। ମୁକେଶଙ୍କ ସହିତ ତାଙ୍କ ପୁଅ ଆକାଶ ଅମ୍ବାନି ମଧ୍ୟ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ମେକ୍ ଇନ୍ ଓଡ଼ିଶା ସହ ଜଡ଼ିତ ଜଣେ ସରକାରୀ ଅଧିକାରୀଙ୍କ ସୂ୍ତ୍ରରୁ ଏହା ଜଣାପଡ଼ିଛି। ୧୨ ତାରିଖରେ ଅନୁଷ୍ଠିତ ଅଧିବେଶନରେ ଦେଶର ଏହି ଦୁଇ ଶିଳ୍ପପତି ଯୋଗଦେବା କାର୍ଯ୍ୟକ୍ରମ ରହିଛି। ମୁକେଶଙ୍କ ବ୍ୟତୀତ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ୍‌ଙ୍କ ସମେତ ବିଶିଷ୍ଟ ଶିଳ୍ପପତି କୁମାର ମଙ୍ଗଳମ ବିର୍ଲା, ଆନନ୍ଦ ମହିନ୍ଦ୍ରା ଓ ଗୌତମ ଆଦାନୀ ପ୍ରମୁଖ ଏହି ସମ୍ମିଳନୀରେ ‌ଯୋଗଦେବା କାର୍ଯ୍ୟକ୍ରମ ରହିଥିବା ଚର୍ଚ୍ଚା ହେଉଛି। ତେବେ ସେମାନଙ୍କ ସମ୍ମତିପତ୍ର ଏପର୍ଯ୍ୟନ୍ତ ସରକାରଙ୍କର ହସ୍ତଗତ ହୋଇ ନଥିବା ଜଣେ ଅଧିକାରୀ କହିଛନ୍ତି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସମ୍ମିଳନୀରେ ମୁକେଶଙ୍କ ଯୋଗଦେବା କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ତାଙ୍କ ପୁଅ ଆକାଶଙ୍କ ଯୋଗଦେବା ନେଇ କୌଣସି ନିର୍ଦ୍ଦିଷ୍ଟ ସୂଚନା ଏଯାଏ ମିଳିନାହିଁ।

ସମ୍ବନ୍ଧିତ ଖବର