ନୂଆଦିଲ୍ଲୀ: ଦେଶର ୧ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନି ବର୍ଷକୁ ୧୫ କୋଟି ଟଙ୍କାର ଦରମା ନେଉଛନ୍ତି। ଗତ ୧୧ ବର୍ଷ ହେଲା ତାଙ୍କ ଦରମା ବଢ଼ିନାହିଁ। ୨୦୦୮-୦୯ ଆର୍ଥିକ ବର୍ଷରେ ମୁକେଶ ତାଙ୍କ ବେତନ, ଭତ୍ତା ଓ କମିସନ ବାବଦ ଅର୍ଥକୁ ୧୫ କୋଟି ଟଙ୍କା ଧାର୍ଯ୍ୟ କରିଥିଲେ। ଏହା ପୂର୍ବରୁ ସେ ବହୁ ଅଧିକ ବେତନ କମ୍ପାନିରୁ ନେଉଥିଲେ। ଦେଶରେ ସିଇଓମାନେ ଅତ୍ୟଧିକ ବେତନ ପାଉଥିବା ନେଇ ବିତର୍କ ହେବା ସମୟରେ ମୁକେଶ ଏଭଳି ପଦକ୍ଷେପ ନେଇ ଏକ ଉଦାହରଣ ସୃଷ୍ଟି କରିଥିଲେ। ୨୦୧୮-୧୯ରେ ମୁକେଶ ନେଇଥିବା ୧୫ କୋଟି ବେତନ ମଧ୍ୟରୁ ଭତ୍ତା ବାବଦରେ ୪.୪୫ କୋଟି, କମିସନ ବାବଦରେ ୯.୫୩ କୋଟି, ସୁବିଧା ବାବଦରେ ୩୧ ଲକ୍ଷ ଏବଂ ଅବସରକାଳୀନ ସୁବିଧା ବାବଦରେ ୭୧ ଲକ୍ଷ ଟଙ୍କା ନେଇଛନ୍ତି। ତେବେ ରିଲାଏନ୍ସର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ବେତନ ବଢ଼ିଚାଲିଛି। ମୁକେଶଙ୍କ ସମ୍ପର୍କୀୟ ନିଖିଳ ଆର ମେସୱାନି ଏବଂ ହିତଲ ଆର ମେସୱାନିଙ୍କ ଦରମା ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ କୋଟି ୫୭ ଲକ୍ଷ ଟଙ୍କା ଲେଖାଏଁକୁ ବୃଦ୍ଧି ପାଇଛି। କେବଳ ନିଖିଳ ଓ ହିତଲ ନୁହନ୍ତି, କମ୍ପାନିର ଅନ୍ୟ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକମାନଙ୍କ ବେତନରେ ମଧ୍ୟ ଆଖିଦୃଶିଆ ବୃଦ୍ଧି ଘଟି ଚାଲିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ମୁଖ୍ୟ ମୁକେଶଙ୍କ ପତ୍ନୀ ନୀତା ଅମ୍ବାନି ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ନୀତାଙ୍କ ସମେତ କମ୍ପାନିର ଅନ୍ୟ ଅଣ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ କମିସନ ୧.୬୫ କୋଟି ଲେଖାଏଁକୁ ବୃଦ୍ଧି ପାଇଛି। ଭାରତୀୟ ଷ୍ଟେଟ ବ୍ୟାଙ୍କର ପୂର୍ବତନ ଅଧ୍ୟକ୍ଷା ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟ ୨୦୧୮ ଅକ୍ଟୋବର ୧୭ରୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ବୋର୍ଡରେ ଯୋଗ ଦେଇଛନ୍ତି। ସେହି ଅନୁଯାୟୀ ତାଙ୍କୁ ଗତ ଆର୍ଥିକ ବର୍ଷରେ ୭୫ ଲକ୍ଷ ଟଙ୍କାର କମିସନ ମିଳିଛି। ନୀତା ଅମ୍ବାନିଙ୍କ ସମେତ କମ୍ପାନିର ଅନ୍ୟ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକମାନେ ଗତ ଆର୍ଥିକ ବର୍ଷରେ ବୈଠକରେ ଯୋଗଦେବା ବାବଦରେ ୭ ଲକ୍ଷ ଟଙ୍କା ଲେଖାଏଁ ପାଇଛନ୍ତି। ୨୦୧୭-୧୮ ଆର୍ଥିକ ବର୍ଷରେ ଏ ବାବଦରେ ସେମାନେ ୬ ଲକ୍ଷ ଟଙ୍କା ଲେଖାଏଁ ପାଇଥିଲେ। ମୁକେଶ ଏବଂ ମେସୱାନି ଭ୍ରାତାଙ୍କ ସମେତ ପ୍ରସାଦ ଏବଂ କପିଲ କମ୍ପାନିର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଭାବେ କାର୍ଯ୍ୟ କରୁଛନ୍ତି। ସେହିଭଳି ନୀତା ଅମ୍ବାନି ଏବଂ ଅରୁନ୍ଧତୀ ଭଟ୍ଟାଚାର୍ଯ୍ୟଙ୍କ ସମେତ ମାନସିଂହ ଏଲ୍ ଭକ୍ତ, ଯୋଗେନ୍ଦ୍ର ପି ତ୍ରିବେଦୀ, ଦୀପକ ସି ଜୈନ, ରଘୁନାଥ ଏ ମାସେଲକର, ଆଦିଲ ଜୈନୁଲଭାଇ, ରାମିନ୍ଦର ସିଂହ ଗୁଜରାଲ ଏବଂ ସୁମିତ ବାନାର୍ଜୀ କମ୍ପାନିରେ ଅଣକାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।
ମୁକେଶଙ୍କ ବେତନ ୧୫ କୋଟି, ୧୧ ବର୍ଷ ହେଲା ବଢ଼ିନି
/sambad/media/post_attachments/wp-content/uploads/2019/05/mukesh-ambani-antilla-home-mumbai-866x487.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)