ଅନିଲଙ୍କୁ ସଙ୍କଟରୁ ଉଦ୍ଧାର କଲେ ଭାଇଭାଉଜ, ଜେଲ୍‌ ଯିବାରୁ ବର୍ତ୍ତିଲେ

ମୁମ୍ବାଇ: ବିପଦ ବେଳେ ରକ୍ତର ସମ୍ପର୍କ ପାଖରେ ଠିଆ ହେଲେ। ସବୁ ପୁରୁଣା ଝଗଡ଼ା ଓ ବିବାଦକୁ ଭୁଲି ସଙ୍କଟରେ ଫସିିିଥିବା ସାନ ଭାଇକୁ ଉଦ୍ଧାର କରି ସାରା ଦେଶରେ ଦେଶର ଏକ ନମ୍ବର ଧନୀ ମୁକେଶ ଅମ୍ବାନି ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବଡ଼ ଭାଇ ମୁକେଶଙ୍କ ସମୟୋପଯୋଗୀ ସହାୟତା ଯୋଗୁ ଅନିଲଙ୍କ କଂପାନି ରିଲାଏନ୍‌ସ କମ୍ୟୁନିକେସନ ସ୍ବି‌େଡନର ଏରିକ୍ସନକୁ ସୁପ୍ରିମକୋର୍ଟ ଦେଇଥିବା ମହଲତ ଶେଷ ହେବାର ଗୋଟିଏ ଦିନ ପୂର୍ବରୁ ୪୬୨ କୋଟି ଟଙ୍କା ପେମେଣ୍ଟ୍‌ କରିଛି। ଏଥି ସହିତ ନିଶ୍ଚିତ ଜେଲ୍‌ ଦଣ୍ଡରୁ ସେ ବର୍ତ୍ତି ଯାଇଛନ୍ତି। ଏହି ସହାୟତା ପାଇଁ ଅନିଲ ଆଜି ବଡ଼ ଭାଇ ମୁକେଶ ଏବଂ ଭାଉଜ ନୀତା ଅମ୍ବାନିକୁ ଧନ୍ୟବାଦ ଜଣାଇଛନ୍ତି। ଅନିଲ କହିଛନ୍ତି ଯେ, ମୋ କଠିନ ସମୟରେ ସମ୍ମାନନୀୟ ବଡ଼ ଭାଇ ମୁକେଶ ଓ ଭାଉଜ ନୀତାଙ୍କୁ ମୁଁ ହୃଦୟର ଗଭୀର ପ୍ରଦେଶରୁ କୃତଜ୍ଞତା ଜଣାଉଛି। ଉଚିତ ସମୟରେ ସହାୟତା ପ୍ରଦାନ କରି ସେମାନେ ପରିବାରର ମୂଲ୍ୟବୋଧ ଓ ପରିବାରର ମହତ୍ବକୁ ସୁଦୃଢ଼ କରିଛନ୍ତି। ଆମ ପରିବାର ବହୁତ ଖୁସି ଯେ, ପୁରୁଣା କଥାକୁ ଭୁଲି ଆମେ ଆଗକୁ ବଢ଼ିଛୁ। ସେମାନଙ୍କର ଏହି ସାହାଯ୍ୟ ମୋତେ ଗଭୀର ଭାବେ ପ୍ରଭାବିତ କରିଛି ବୋଲି ଅନିଲ ଜଣାଇଛନ୍ତି।

ଅନିଲଙ୍କ ବନ୍ଦ ହୋଇଯାଇଥିବା ମୋବାଇଲ୍ କଂପାନି ରିଲାଏନ୍ସ କମ୍ୟୁନିକେସନର ନେଟ୍‌ୱର୍କକୁ ସ୍ବିଡେନ୍‌ର କଂପାନି ଏରିକ୍ସନ ସମ୍ଭାଳୁଥିଲା। ସେବାବଦରେ ଏରିକ୍ସନ ୫୮୦ କୋଟି ଟଙ୍କା ପାଇବାର ଥିଲା। ମାତ୍ର ରିଲାଏନ୍ସ କମ୍ୟୁନିକେସନ ସେହି ପେମେଣ୍ଟ୍‌ ଦେଇପାରିନଥିଲା। ବାରମ୍ବାର ଅନୁରୋଧ କରିବା ପରେ ନିଜ ପେମେଣ୍ଟ୍‌ ପାଇବାରେ ବିଫଳ ହେବାରୁ ଏରିକ୍ସନ ପକ୍ଷରୁ ସୁପ୍ରିମକୋର୍ଟରେ ଅନିଲଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ସେହି ମାମଲାର ରାୟ ଏରିକ୍ସନ ସପକ୍ଷରେ ଯାଇଥିଲା। ଏକ ନିର୍ଦିଷ୍ଟ ସମୟ ଭିତରେ ଏରିକ୍ସନର ସବୁ ଟଙ୍କା ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଥିଲେ। କିନ୍ତୁ ଧାର୍ଯ୍ୟ ସମୟ ଭିତରେ ଅନିଲ ଟଙ୍କା ଯୋଗାଡ଼ କରିପାରିନଥିଲେ। ଏହା ପରେ ଏରିକ୍ସନ ପକ୍ଷରୁ ପୁଣି ଥରେ ସୁପ୍ରି‌ମକୋର୍ଟରେ ଅନିଲଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଦାୟର କରାଗଲା ଓ ସେଥିରେ ଅନିଲ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଚଳିତ ମା‌ର୍ଚ ୧୯ (ଆସନ୍ତାକାଲି) ସୁଦ୍ଧା ଏରିକ୍ସନର ପେମେଣ୍ଟ୍‌ ନଦେଲେ ତିନି ମାସ ଜେଲ୍ ଯିବା ପାଇଁ ପ୍ରସ୍ତୁତ ରହିବାକୁ ସୁପ୍ରିମକୋର୍ଟ ଅନିଲ ଅମ୍ବାନିଙ୍କୁ କହିଥିଲେ। ପୂର୍ବରୁ ରିଲାଏନ୍ସ କମ୍ୟୁନିକେସନ୍ ତରଫରୁ ଏରିକ୍ସନକୁ ୧୧୮ କୋଟି ଟଙ୍କା ଦିଆଯାଇସାରିଥିଲା। ବଳକା ୪୫୮ କୋଟି ଟଙ୍କା ଯୋଗାଡ଼ କରିବାକୁ ଅନିଲଙ୍କୁ ଅନେକ କଷ୍ଟ କରିବାକୁ ପଡ଼ିଥିଲା। କୌଣସି ବ୍ୟାଙ୍କ କିମ୍ବା ଆର୍ଥିକ ସଂସ୍ଥା ତାଙ୍କୁ ଋଣ ଦେବାକୁ ମନା କରିଦେଇଥିଲେ। ନିଜ ପାଖରେ ଥିବା ମୋବାଇଲ୍ କଂପାନିର ସମ୍ପତ୍ତି ଓ ସ୍ପେକ୍ଟ୍ରମ ବିକ୍ରି କରିବାକୁ ସେ ଉଦ୍ୟମ କରି ବିଫଳ ହୋଇଥିଲେ। ‌ରିଲାଏନ୍ସ କମ୍ୟୁନିକେସନ ନାମରେ ଯେଉଁ ୨୬୦ କୋଟି ଟଙ୍କାର ଆୟକର ରିଫଣ୍ଡ୍ ଆସିଥିଲା ତାହାକୁ ଏରିକ୍ସନ ପେମେଣ୍ଟ୍ ବାବଦରେ ବ୍ୟବହାର କରିବାକୁ ମଧ୍ୟ ଅନୁମତି ମିଳିନଥିଲା। ତେଣୁ ଅନିଲ ନିଶ୍ଚୟ ଜେଲ୍ ଯିବେ ବୋଲି ଅନୁମାନ କରାଯାଉଥିଲା।

ସମ୍ବନ୍ଧିତ ଖବର