ମୁମ୍ବାଇ: ଦିଲ୍ଲୀରୁ ମୁମ୍ବାଇ ଦେଇ ଲକ୍ଷ୍ନୌ ଯାଉଥିବା ଇଣ୍ଡିଗୋ ବିମାନରେ ବୋମା ଅଛି ବୋଲି ଗୁଜବ ଶନିବାର ପ୍ରକାଶ ପାଇବା ପରେ ବିମାନଟି ମୁମ୍ବାଇଠାରେ ୧ ଘଣ୍ଟା ବିଳମ୍ବରେ ଉଡ଼ାଣ ଭରିଥିବାର ସୂଚନା ବିମାନ ଚଳାଚଳ ମନ୍ତ୍ରାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିମାନ ମଧ୍ୟରେ ସମୁଦାୟ ୧୬୯ ଜଣ ଯାତ୍ରୀ ଥିଲେ। ଶନିବାର ସକାଳ ୬.୦୫ରେ ଉଡ଼ାଣ ଭରିବାକୁ ଥିଲା ବେଳେ ଅନ୍ୟ ଏକ ବିମାନର ଯାତ୍ରୀ ଏକ ଗୁଜବ ଦ୍ୱାରା ଆତଙ୍କ ଖେଳାଇଥିଲେ। ସେ କହିଥିଲେ କି ମୁମ୍ବାଇ-ଦିଲ୍ଲୀ ବିମାନ ୬ଇ ୩୬୧୨ରେ ବୋମା ଅଛି। ଇଣ୍ଡିଗୋ କର୍ତ୍ତୃପକ୍ଷଙ୍କୁ ଏ ସଂପର୍କରେ ଖବର ମିଳିବା ପରେ ଅନୁସନ୍ଧାନ କରାଯାଇଥିଲା ବୋଲି ଇଣ୍ଡିଗୋ ମୁଖପାତ୍ର ପ୍ରକାଶ କରିଛନ୍ତି।
ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ମିଳିଥିଲା ଯେ ଏପରି ଗୁଜବ ପ୍ରଚାର କରିଥିବା ଯାତ୍ରୀ ଜଣକ ହେଉଛନ୍ତି ଜଣେ ମାନସିକ ରୋଗୀ। ତାଙ୍କ କଥାକୁ ବିଶ୍ୱାସ କରି ବିମାନ ଉଡ଼ାଣକୁ ଅଯଥାରେ ୧ ଘଣ୍ଟା ବିଳମ୍ବ କରିବାକୁ ପଡ଼ିଥିଲା।
ରିପୋର୍ଟରୁ ଜାଣିବାକୁ ମିିଳିଛି ଯେ ଗୋ ଏୟାର୍ ବିମାନ ଜି୮ରେ ଦିଲ୍ଳୀ ଯାତ୍ରା କରୁଥିବା ଜଣେ ମହିଳା ଏପରି ପ୍ରଚାର କରିଥିଲେ। ଏପରିକି ସେ କେତେକ ଲୋକଙ୍କ ଫଟୋ ଦେଖାଇ ଏମାନେ ହିଁ ବିସ୍ଫୋରଣକାରୀ ବୋଲି କହି ବିଶ୍ୱାସ ସୃଷ୍ଟି କରାଇଥିଲେ।
ପରେ ମହିଳାଙ୍କୁ ପଚରାଉଚରା ପାଇଁ ବିମାନବନ୍ଦରର ପୁଲିସ୍ ଷ୍ଟେସନ୍କୁ ନେଇ ଯାଇଥିଲେ। ପରେ ଜାଣିବାକୁ ମିଳିଥିଲା ଯେ କୌଣସି ବୋମା ନାହିଁ। ବିମାନଟି ସଂପୂର୍ଣ୍ଣ ସୁରକ୍ଷିତ। ମହିଳାଙ୍କ ମାନସିକ ସ୍ଥିତି ଠିକ ନଥିବା ଜଣାପଡ଼ିଛି।