ନାବାର୍ଡର ରାଜ୍ୟ ଫୋକସ୍ ପେପର୍ ଉନ୍ମୋଚିତ: ଓଡ଼ିଶା‌ ପାଇଁ ୭୫,୬୧୨ କୋଟି ଋଣ ଯୋଜନା

ଭୁବନେଶ୍ବର: ଜାତୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ଓଡ଼ିଶା ପାଇଁ ୭୫,୬୧୧.୯୭ କୋଟି ଟଙ୍କାର ଋଣ ଯୋଜନା ପ୍ରସ୍ତୁତ କରାଯାଇଛି। ଅଗ୍ରାଧିକାର କ୍ଷେତ୍ର, କୃଷି ଓ ତତ୍ ସଂକ୍ରାନ୍ତୀୟ କ୍ଷେତ୍ରର ଋଣ ଆବଶ୍ୟକତାକୁ ନେଇ ଏହି ଯୋଜନା ପ୍ରସ୍ତୁତ ହୋଇଛି। ଆଜି ରାଜ୍ୟ ଋଣ ସେମିନାରରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ନାବାର୍ଡର ଷ୍ଟେଟ୍ ଫୋକସ୍‌ ପେପର୍‌କୁ ଉନ୍ମୋଚନ କରିଛନ୍ତି। ସମୁଦାୟ ୭୫୯୧୧.୯୭ କୋଟି ଟଙ୍କାର ଋଣ ଯୋଜନା ମଧ୍ୟରୁ କୃଷି କ୍ଷେତ୍ର ପାଇଁ ୪୧,୩୨୦ କୋଟି ଟଙ୍କାର ଋଣ ପ୍ରଦାନ ନେଇ ଆକଳନ କରାଯାଇଛି। ଚଳିତବର୍ଷର ଫୋକସ୍ ପେପରରେ ନିରନ୍ତର କୃଷି ଅଭ୍ୟାସକୁ ଗୁରୁତ୍ବ ଦିଆଯାଇଛି। ମୁଖ୍ୟ ସଚିବ ଶ୍ରୀ ପାଢ଼ୀ ଏହି ସେମିନାରକୁ ଉଦଘାଟନ କରିବା ସହିତ କୃଷକମାନଙ୍କୁ ଅଧିକ ଋଣ ପ୍ରଦାନ କରିବା ଲାଗି ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଥିଲେ। ମୁଖ୍ୟ ସଚିବ କହିଥିଲେ ଗତ ଦୁଇ ଦଶନ୍ଧି ହେଲା ଓଡ଼ିଶା ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହାସଲ କରି ଆସୁଛି। ନିକଟରେ ରାଜ୍ୟ ସରକାର କୃଷକଙ୍କ ପାଇଁ କାଳିଆ ଯୋଜନା ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ କୃଷକମାନଙ୍କୁ ସହାୟତା ପ୍ରଦାନ ଲାଗି ବ୍ୟାଙ୍କ ଗୁଡ଼ିକ ଆଗେଇ ଆସିବା ଉଚିତ ବୋଲି ସେ କହିଥିଲେ। ସେମିନାରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ ଯୋଗଦେଇ କୃଷକମାନଙ୍କୁ ଅଧିକ ମିଆଦି ଋଣ ଯୋଗାଇ ଦେଇ ସେମାନଙ୍କ ଆୟ ବୃଦ୍ଧିରେ ସହାୟକ ହେବାକୁ ବ୍ୟାଙ୍କ ଗୁଡ଼ିକୁ ପରାମର୍ଶ ଦେଇଥିଲେ। ନାବାର୍ଡର ସିଜିଏମ୍ ଏ ଚନ୍ଦ୍ରଶେଖର ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ଅଗ୍ରାଧିକାର କ୍ଷେତ୍ର ପାଇଁ ପ୍ରସ୍ତୁତ ହୋଇଥିବା ମୋଟ ୭୫୬୧୨ କୋଟି ଟଙ୍କାର ଋଣ ଯୋଜନା ମଧ୍ୟରୁ ୪୧୩୨୦ କୋଟି ଟଙ୍କା କୃଷି ପାଇଁ, ୧୯୦୨୧ କୋଟି ଟଙ୍କାର ଋଣ ଏମଏସଏମଇ ପାଇଁ, ୪୩୪ କୋଟି ଟଙ୍କାର ଋଣ ଋପ୍ତାନି ପାଇଁ, ୧୨୦୬ କୋଟି ଟଙ୍କାର ଋଣ ଶିକ୍ଷା ପାଇଁ, ୪୮୨୭ କୋଟି ଟଙ୍କାର ଋଣ ଗୃହ ନିର୍ମାଣ ପାଇଁ, ୧୨୮ କୋଟି ଟଙ୍କାର ଋଣ ଅକ୍ଷୟ ଶକ୍ତି ପାଇଁ, ୩୨୨ କୋଟି ଟଙ୍କାର ଋଣ ସାମାଜିକ ଭିତ୍ତିଭୂମି ପାଇଁ ଏବଂ ୮୩୫୩ କୋଟି ଟଙ୍କାର ଋଣ ଅନ୍ୟାନ୍ୟ ଅଗ୍ରାଧିକାର କ୍ଷେତ୍ର ପାଇଁ ଯୋଜନା କରାଯାଇଛି। ଏହି ସେମିନାରରେ ଅନ୍ୟମାନଙ୍କ ମଧ୍ୟରେ ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏମ. କେ ମଲ୍, ଷ୍ଟେଟ ବ୍ୟାଙ୍କର ସିଜିଏମ ପ୍ରବୀଣା କାଲା, ୟୁକୋ ବ୍ୟାଙ୍କର ଡିଜିଏମ ତଥା ଏସଏଲବିସିର ଆବାହକ ପି କେ ସି ଦାଶ, ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ସମେତ ବିଭିନ୍ନ ବିଭାଗ ଓ ବ୍ୟାଙ୍କର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର