ନାଲ୍‌କୋ ଦେଲା ୫୪୬ କୋଟିର ଅନ୍ତରୀଣ ଲାଭାଂଶ

ଭୁବନେଶ୍ୱର,: ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ପକ୍ଷରୁ ୫୪୬.୯୫ କୋଟି ଟଙ୍କାର ଅନ୍ତରୀଣ ଲାଭାଂଶ ପ୍ରଦାନ କରାଯାଇଛି। ୨୦୧୭-୧୮ ଆର୍ଥିକ ବର୍ଷ ପାଇଁ ପାଞ୍ଚ ଟଙ୍କାର ସେୟାର ଉପରେ ୪ ଟଙ୍କା ୭୦ ପଇସା ହିସାବରେ ୯୦୮.୪୮ କୋଟି ଟଙ୍କାର ଲାଭାଂଶ ଘୋଷଣା କରାଯାଇଛି। ଏହା କଂପାନିର ମୋଟ ପେଡ୍‌ଅପ୍‌ ଇକ୍ୱିଟି ପୁଞ୍ଜି ୯୬୬.୪୬ କୋଟି ଟଙ୍କାର ୯୪% ସହିତ ସମାନ। କଂପାନି ପ୍ରତିଷ୍ଠା ହେବା ପରଠାରୁ ଏହା ହେଉଛି ସର୍ବାଧିକ ଲାଭାଂଶ ଘୋଷଣା। ନାଲ୍‌କୋର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଲାଭାଂଶ ବାବଦ ୫୪୬.୯୫ କୋଟି ଟଙ୍କାର ଚେକ୍‌କୁ କେନ୍ଦ୍ର ଗ୍ରାମୀଣ ବିକାଶ, ପଞ୍ଚାୟତିରାଜ ଏବଂ ଖଣି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର୍‌ଙ୍କୁ ପ୍ରଦାନ କରିଛନ୍ତି। ଏହି ଅବସରରେ ଖଣି ରାଷ୍ଟ୍ର ମନ୍ତ୍ରୀ ହରିଭାଇ ପାର୍ଥୀଭାଇ ଚୌଧୁରୀ, କେନ୍ଦ୍ର ଖଣି ସଚିବ ଅରୁଣ କୁମାର ଏବଂ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକରେ ଲାଭ ପରିମାଣ ପାଞ୍ଚ ଗୁଣ ବଢ଼ାଇବା ଏବଂ ନାଲକୋକୁ ସୁଚାରୁ ରୂପେ ପରିଚାଳନା କରିବାରେ ଡକ୍ଟର ଚାନ୍ଦ ଏବଂ ତାଙ୍କ ଟିମ୍‌ର ଅବଦାନକୁ ଶ୍ରୀ ତୋମର୍‌ ପ୍ରଶଂସା କରିଛନ୍ତି। କଂପାନି ପ୍ରତିଷ୍ଠା ହେବା ପରଠାରୁ ନାଲ୍‌କୋ ପକ୍ଷରୁ ୭୨୭୩.୫୯ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରାଯାଇଛି। ଏଥିରେ କେନ୍ଦ୍ର ସରକାରଙ୍କ ଅଂଶ ହେଉଛି ୫୯୧୮.୩୯ କୋଟି ଟଙ୍କା।

ସମ୍ବନ୍ଧିତ ଖବର