ନାଲ୍‌କୋର ରେକର୍ଡ ୧୦୭୨ କୋଟି ଲାଭାଂଶ ଘୋଷଣା

ଭୁବନେଶ୍ବର : ନବରତ୍ନ ଆଲୁମିନିୟମ କଂପାନି ନାଲ୍‌କୋ ପକ୍ଷରୁ ରେକର୍ଡ ୧୧୫% ଲାଭାଂଶ ଘୋଷଣା କରାଯାଇଛି। କଂପାନିର ୩୮ତମ ବାର୍ଷିକ ସାଧାରଣ ବୈଠକରେ ଏହି ପ୍ରସ୍ତାବକୁ ଅଂଶଧନକାରୀମାନେ ମଞ୍ଜୁରି ପ୍ରଦାନ କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ କଂପାନି ୧୦୭୨.୭୩ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ। ୧୯୮୧ରେ କଂପାନି ସ୍ଥାପନ ହେବା ପରଠାରୁ ଏହା ହେଉଛି ଏଯାବତ୍ ସର୍ବାଧିକ ଲାଭାଂଶ ପ୍ରଦାନ। ୨୦୧୭-୧୮ରେ ଏହି ସଂସ୍ଥା ୧୧୪% ଲାଭାଂଶ ପ୍ରଦାନ କରିଥିଲା। ଲାଭାଂଶ ବଣ୍ଟନ ଟିକସ ସହିତ ଲାଭାଂଶର ପରିମାଣ କଂପାନି ନିଟ୍ ଲାଭ ୯୮.୮୧% ଅଟେ। କଂପାନି ଆରମ୍ଭ ହେବା ଠାରୁ ୨୦୧୮-୧୯ ପର୍ଯ୍ୟନ୍ତ ନାଲ୍‌କୋ ପକ୍ଷରୁ ଟିକସ, ରୟାଲ୍‌ଟି ଓ ଲାଭାଂଶ ବାବଦରେ ୩୨,୮୮୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ କେନ୍ଦ୍ରକୁ ୨୫,୯୧୭ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କୁ ୬୯୬୯ କୋଟି ଟଙ୍କା ଦିଆଯାଇଛି।

ବାର୍ଷିକ ସାଧାରଣ ବୈଠକ ଅବସରରେ କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି ଯେ, ‘ଏକବଦ୍ଧ ଭାବେ କାର୍ଯ୍ୟ, ମିତବ୍ୟୟିତା ଉପରେ ଲକ୍ଷ୍ୟ ଏବଂ ବିଧିବଦ୍ଧ ଯୋଜନାକୁ ଠିକ୍ ଭାବେ କାର୍ଯ୍ୟକାରୀ କରାଯାଇପାରିଥିବାରୁ କଂପାନିକୁ ଏହି ସଫଳତା ମିଳିଛି। ୨୦୧୮-୧୯ ବର୍ଷଟି ନାଲ୍‌କୋ ପାଇଁ ଏକ ଅତ୍ୟନ୍ତ ସଫଳ ବର୍ଷ। ଏହି ବର୍ଷ କଂପାନି ଉତ୍ପାଦନ, ଉତ୍ପାଦକତା, ଆର୍ଥିକ ଲାଭ ଏବଂ ମାନବ ସମ୍ବଳ ନିୟୋଜନ ଆଦି ସବୁ କ୍ଷେତ୍ରରେ ସଫଳତା ହାସଲ କରିଛି। ଏଥି ସହିତ ସାମାଜିକ ଦାୟିତ୍ବବୋଧ ଏବଂ ସମ୍ବେଦନଶୀଳ କାର୍ଯ୍ୟ ପଦ୍ଧତି ପାଇଁ ମଧ୍ୟ କଂପାନି ମାନ୍ୟତା ଲାଭ କରିଛି। କଂପାନିର ନିଟ୍ ଲାଭ ୨୯% ବୃଦ୍ଧି ସହ ୧୭୩୨ କୋଟି ଟଙ୍କା ହୋଇଛି। କଂପାନି ମୋଟ ୪.୪୦ ଲକ୍ଷ ଟନ୍ ଧାତୁ ଉତ୍ପାଦନ କରିଛି।

କଂପାନି ବିକ୍ରି ଓ ରପ୍ତାନିରୁ ସର୍ବାଧିକ ଆୟ କରିଛି। ବିଗତ ୧୦ ବର୍ଷ ଭିତରେ ସର୍ବାଧିକ ଲାଭ ଅର୍ଜନ କରିଛି। ୯୧୯ କୋଟି ଟଙ୍କାର କ୍ୟାପେକ୍ସ ହାସଲ କରିଛି। କଂପାନି ସର୍ବାଧିକ ଆଲୁମିନା ହାଇଡ୍ରେଟ୍‌ ଉତ୍ପାଦନ କରିଥିବା ବେଳେ ସର୍ବାଧିକ ବକ୍ସାଇଟ୍ ପରିବହନ କରିଛି ଏବଂ ୧.୫୨ ଲକ୍ଷ ଟନ୍ ମୂଲ୍ୟଯୁକ୍ତ ଉତ୍ପାଦ ଉତ୍ପାଦନ କରିଛି।

ସମ୍ବନ୍ଧିତ ଖବର