ଅନୁଗୁଳରେ ଖୋଲିଲା ନାଲକୋ-ଏଲ୍‌ଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ

ନାଲକୋନଗର/ବଅଁରପାଳ: ନାଲ୍‌କୋ ସିପିପି ଛକ ନିକଟରେ ବହୁ ପ୍ରତୀକ୍ଷିତ ଅତ୍ୟାଧୁନିକ ନାଲ୍‌କୋ- ଏଲ.ଭି .ପ୍ରସାଦ ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପିତ କରିଛନ୍ତି। ୪ ଏକର ପରିମିତ ଜାଗାରେ ୨୫ କୋଟି ଟଙ୍କା ବ୍ୟୟରେ ନାଲକୋ ଓ ଏଲ.ଭି. ପ୍ରସାଦ ଚକ୍ଷୁ ସଂସ୍ଥାନର ମିଳିତ ସହଯୋଗରେ ନିର୍ମିତ ଏହି ଅତ୍ୟାଧୁନିକ ଚକ୍ଷୁ ଚିକିତ୍ସାଳୟରେ ୩୦ଟି ଶଯ୍ୟା ରହିଛି। ତେବେ ଦୈନିକ ଶହେ ପର୍ଯ୍ୟନ୍ତ ରୋଗୀଙ୍କୁ ଅସ୍ତ୍ରୋପଚାର କରାଯାଇପାରିବ। ବର୍ଷକୁ ୬୦ ହଜାର ରୋଗୀଙ୍କୁ ଚିକିତ୍ସା ଏବଂ ୬ ହଜାର ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇପାରିବ। କେନ୍ଦ୍ରମନ୍ତ୍ରୀ ଏହି ଅବସରରେ ବୟୋଶ୍ରୀ ଯୋଜନାର ହିତାଧିକାରୀଙ୍କୁ ହୁଇଲ ଚେୟାର ଓ ଶ୍ରବଣ ଯନ୍ତ୍ର ପ୍ରଦାନ କରିଥିଲେ। ସଭାରେ ଅଧ୍ୟକ୍ଷତା କରି ନାଲ୍‌କୋର ସିଏମ୍‌ଡି ଡ. ତପନ କୁମାର ଚାନ୍ଦ କହିଲେ, ଗତ ୩ ବର୍ଷରେ ନାଲ୍‌କୋ ଅନୁଗୁଳରେ ସିଏସ୍ଆର୍ କାର୍ଯ୍ୟରେ ୭୫ କୋଟି ଟଙ୍କା ଖର୍ଚ୍ଚ କରିଛି। ୨୦୧୯ ମସିହାରେ ଏହି ପାଣ୍ଠିକୁ ୧୦୦ କୋଟି ଟଙ୍କାକୁ ପହଞ୍ଚାଇବାର ଲକ୍ଷ୍ୟ ରଖାଯାଇଛି। ପୂର୍ବତନ ସାଂସଦ ରୁଦ୍ର ପାଣି, ଏଲ୍‌ଭିପିଇଆଇର ଉପାଧ୍ୟକ୍ଷ ଡାକ୍ତର ତାରାପ୍ରସାଦ ଦାସ, ନାଲକୋ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ରାଜକିଶୋର ମିଶ୍ର ପ୍ରମୁଖ ମଂଚାସୀନ ଥିଲେ। ନାଲକୋ ମାନବ ସମ୍ବଳ ବିଭାଗ ନିର୍ଦ୍ଦେଶକ ବି.କେ.ଠାକୁର ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର