ନାଲ୍‌କୋର ଲକ୍ଷ୍ୟ ୨୦୦୦ କୋଟି ନିଟ୍ ଲାଭ

ଭୁବନେଶ୍ବର: ନ୍ୟାସନାଲ୍‌ ଆଲୁମିନିୟମ୍ କଂପାନି (ନାଲ୍‌କୋ) ୨୦୨୦ ସୁଦ୍ଧା ଏହାର ନିଟ୍‌ ଲାଭକୁ ୨୦୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛି ବୋଲି କଂପାନିର ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ କହିଛନ୍ତି। ଏସିଆନ୍ ସ୍କୁଲ୍ ଅଫ୍ ବିଜନେସ୍‌ ମ୍ୟା‌ନେଜମେଣ୍ଟ୍ (ଏଏସ୍‌ବିଏମ୍‌) ଭୁବନେଶ୍ବର ପକ୍ଷରୁ ଆୟୋଜନ କରାଯାଇଥିବା ଦୁଇ ଦିନିଆ ପଞ୍ଚମ ଜାତୀୟ ମ୍ୟାନେଜମେଣ୍ଟ୍ ସମ୍ମିଳନୀରେ ଅତିଥି ଭାବେ ଯୋଗ ଦେଇ ଶ୍ରୀ ଚାନ୍ଦ କହିଛନ୍ତି ଯେ, ନୂଆ ବ୍ୟବସାୟ ମଡେଲ୍‌ ଅନୁସାରେ କାମ କରିଥିବା ନାଲ୍‌କୋର ନିଟ୍ ଲାଭ ପରିମାଣ ଦ୍ବିଗୁଣିତ ହୋଇ ୨୦୧୬-୧୭ର ୬୬୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୧୭-୧୮ରେ ୧୩୪୨ କୋଟି ଟଙ୍କା ହୋଇଛି। ୨୦୨୦ ସୁଦ୍ଧା ନିଟ୍‌ ଲାଭକୁ ୨୦୦୦ କୋଟି ଟଙ୍କା ଏବଂ ଆଗାମୀ ୩ ବର୍ଷ ଭିତରେ ୨୫୦୦ କୋଟି ଟଙ୍କାରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଚାନ୍ଦ କହିଛନ୍ତି। ଏହି ଅବସରରେ ସେ ସମ୍ମେଳନର କମ୍ପେଣ୍ଡିଅମ୍ ଏବଂ ଏଏସବିଏମ୍‌ର ନିଉଜ୍‌ଲେଟର୍‌କୁ ଉନ୍ମୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସବିଏମ୍‌ର ପ୍ରତିଷ୍ଠାତା ଓ ନିର୍ଦେଶକ ପ୍ରଫେସର ବିଶ୍ବଜିତ ପଟ୍ଟନାୟକ, ଆମେରିକାର ଲୁଇସିଆନା ସ୍ଥିତ ସଦର୍ଣ୍ଣ ୟୁନିଭର୍ସିଟିର ସିନିଅର ଆସୋସିଏଟ୍‌ ଭାଇସ୍‌ ଚାନ୍‌ସେଲର୍‌ ପ୍ରଫେସର ବିଜୟ କୁମାର ସାହୁ, ଆଇସିଏଓର ପୂର୍ବତନ ନିର୍ଦେଶକ ବିବେକ ପଟ୍ଟନାୟକ ଏବଂ ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଜି ଉପାଧ୍ୟାୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର