ନରେଶ ଗୋୟଲଙ୍କ ଅଡ଼ୁଆ ବଢ଼ିଲା, ଇଡି ହାତରେ ଲାଗିଲା ବିଦେଶୀ ବ୍ୟାଙ୍କ ଆକାଉଣ୍ଟ

ସ୍ଥାନାନ୍ତର ହୋଇଛି ବିପୁଳ ଅର୍ଥ

ନୂଆଦିଲ୍ଲୀ: ଜେଟ୍ ଏୟାରୱେଜ୍‌ର ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ତାଙ୍କର ମୁମ୍ବାଇ ଏବଂ ଦିଲ୍ଲୀସ୍ଥିତ ବାସଭବନରେ ଚଢ଼ଉ ହୋଇଥିଲା। ବିଦେଶୀ ମୁଦ୍ରା ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ଇଡି ନରେଶଙ୍କ ସମେତ ତାଙ୍କର ଦୀର୍ଘଦିନର ଘନିଷ୍ଠ ସହଯୋଗୀ ହସମୁଖ ଗାର୍ଡିଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉବେଳେ ଇଡି ହାତରେ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ୍‌ ଲାଗିଛି। ଏଥିରେ ନରେଶଙ୍କ ନାମରେ ବିଦେଶରେ କେତେକ ବ୍ୟାଙ୍କ ଆକାଉଣ୍ଟ ଥିବା ସୂଚନା ମିଳିଛି। ଏହି ଆକାଉଣ୍ଟ ଗୁଡ଼ିକରେ ବିପୁଳ ପରିମାଣର ଅର୍ଥ ଜମା ରହିଛି।

ଏଥିରେ ଇଡି ଯେଉଁ ବିଦେଶୀ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ପାଇଛି ସେଗୁଡ଼ିକରେ ହୋଇଥିବା ଆର୍ଥିକ କାରବାରରେ ଫେମା ଉଲ୍ଲଂଘନ ହୋଇଥିବା ଜଣାଯାଇଛି। ବିଭିନ୍ନ ଅଭିଯୋଗ ସମେତ ଗୁଇନ୍ଦା ବିଭାଗର ତଥ୍ୟକୁ ଆଧାର କରି ଇଡି ଚଢ଼ଉ ଓ ଯାଞ୍ଚ କରିଥିଲା। ଚଢ଼ଉ ପରେ ଜଣାଯାଇଛି, ଜେଟ୍ ଏୟାରୱେଜ୍‌ର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋୟଲଙ୍କର ବିଶାଳ ବ୍ୟବସାୟିକ ସାମ୍ରାଜ୍ୟ ରହିଛି। ୧୯ଟି କମ୍ପାନି ତାଙ୍କର ରହିଛି। ଏଥିରୁ ୧୪ଟି କମ୍ପାନି ଭାରତରେ ପଞ୍ଜୀକୃତ ହୋଇଥିବାବେଳେ ବିଦେଶରେ ୫ଟି କମ୍ପାନି ପଞ୍ଜୀକୃତ ହୋଇଛି। ଇଡି ପକ୍ଷରୁ ଏହା ମଧ୍ୟ ଦାବି କରାଯାଇଛି, ବିଦେଶରେ ଅର୍ଥାତ୍ ଟିକସ ସ୍ବର୍ଗ ଭାବେ ପରିଚିତ ଦେଶ ଗୁଡ଼ିକରେ ଅନେକ କମ୍ପାନି ରହିଛି ଯେଉଁ ଗୁଡ଼ିକୁ ନରେଶ ପରୋକ୍ଷ ଭାବେ ପରିଚାଳନା କରୁଛନ୍ତି। ପ୍ରାରମ୍ଭିକ ଅନୁସନ୍ଧାନରୁ ଏହା ମଧ୍ୟ ଜଣାଯାଇଛି ଯେ, ନରେଶ ତାଙ୍କର ଘରୋଇ ଏବଂ ବିଦେଶୀ କମ୍ପାନିକୁ ନେଇ ଅନେକ ଟିକସ ଫାଙ୍କିବା ସ୍କିମ୍ ପ୍ରସ୍ତୁତ କରିଛନ୍ତି। ଏହା ମାଧ୍ୟମରେ ସେ ସନ୍ଦିଗ୍ଧ କାରବାର କରି ବିଦେଶକୁ ବିପୁଳ ପରିମାଣର ଅର୍ଥ ପ୍ରେରଣ କରିଛନ୍ତି। ଇଡିର କହିବାନୁଯାୟୀ, ଏୟାରଲାଇନ୍ ଲିଜ୍ ରାଜିନାମା, ବିମାନ ରକ୍ଷଣାବେକ୍ଷଣ ରାଜିନାମା ଆଦିକୁ ଆଳକରି ଏହି ଅର୍ଥ ବିଦେଶକୁ ପଠାଯାଇଛି। ଅଧିକ ତଥ୍ୟ ହାସଲ ପାଇଁ ଇଡି ଜବତ କରିଥିବା ଦସ୍ତାବିଜ୍‌ଗୁଡ଼ିକର ଛାନ୍‌ଭିନ ଜାରି ରଖିଛି। ଉଲ୍ଲେଖଯୋଗ୍ୟ, ଆର୍ଥିକ ସଙ୍କଟ କାରଣରୁ ଚଳିତବର୍ଷ ଏପ୍ରିଲ ୧୭ ତାରିଖରୁ ଜେଟ୍ ଏୟାରୱେଜ୍‌ର ବିମାନ ଉଡ଼ାଣ ବନ୍ଦ ହୋଇଯାଇଛି।

ସମ୍ବନ୍ଧିତ ଖବର