ଆସିଲା ଆଉ ଏକ ସାଇକେଲ ସେୟାରିଂ ଷ୍ଟାର୍ଟ ଅାପ୍‌ : ୟୁଲୁ

ବାଙ୍ଗାଲୋର : ଦେଶରେ ଏବେ ପରିବେଶ ପ୍ରଦୂଷଣକୁ ନେଇ ଚିନ୍ତା ବଢିଚାଲିଛି । ପରିବେଶକୁ ନିର୍ମଳ ରଖିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଇଲେକ୍‌ଟ୍ରିକ୍‌ ଗାଡି ଓ ସାଇକେଲ ଚଳାଇବା ଲାଗି ସରକାର ପ୍ରେତ୍ସାହିତ କରୁଛନ୍ତି । ସହରାଞ୍ଚଳରେ ଟ୍ରାଫିକ୍‌ ସମସ୍ୟା ମଧ୍ୟ ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଦେଶରେ ଏବେ ଅଧିକରୁ ଅଧିକ ସାଇକେଲ୍‌ ସେୟାରିଂ ଷ୍ଟାର୍ଟଅପ ଆରମ୍ଭ ହେଉଛି । ଓଲା ଓ ମୋବିସାଇ ପରେ ଏବେ ଆଉ ଏକ କମ୍ପାନି ସାଇକେଲ ସେୟାରିଂ ସେବା ଯୋଗାଇବା ବିଷୟରେ ଘୋଷଣା କରିଛି । ସେ ହେଉଛି ୟୁଲୁ । ଚୀନା ଭାଷାରେ ୟୁଲୁର ଅର୍ଥ ହେଉଛି ସରଳ । ଏହି କମ୍ପାନି ଏକ ମାସ ମଧ୍ୟରେ ବାଙ୍ଗାଲୋରରେ ସେବା ଆରମ୍ଭ କରିବାକୁ ଯାଉଛି । ଏହାକୁ ଆରମ୍ଭ କରିଛନ୍ତି ଇନମୋବି କମ୍ପାନିର ପ୍ରତିଷ୍ଠାତା ଅମିତ ଗୁପ୍ତା ।

The Quint

ଏହା ପୂର୍ବରୁ ମଧ୍ୟ କେତେକ କମ୍ପାନି ସାଇକେଲ ସେୟାରିଂ ସେବା ଆରମ୍ଭ କରିବା ବିଷୟ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଓଲା, ମୋବିସାଇ ଓ ପିଇଡିଏଲ୍‌ ।  ଓଲା ପକ୍ଷରୁ ପେଡାଲ ନାମକ ସାଇକେଲ ସେବା ଆରମ୍ଭ କରାଯିବା ସଂପର୍କରେ ଘୋଷଣା କରାଯାଇଥିବାବେଳେ  ମୋବିକ୍ୱିକ୍‌ର ପୂର୍ବତନ ମାର୍କେଟିଂ ମୁଖ୍ୟ ଆକାଶ ଗୁପ୍ତା ମଧ୍ୟ ମୋବିସାଇ ନାମକ ସାଇକ୍ଲିଂ ଆପ୍‌ ଆରମ୍ଭ କରିବା ବିଷୟରେ ଘୋଷଣା କରିଛନ୍ତି । ଏହି ଷ୍ଟାର୍ଟ ଅପ୍‌ରେ ସେ ପ୍ରାୟ ୫ ଲକ୍ଷ ଡଲାର ବା ୩.୩ କୋଟି ଟଙ୍କା ନିବେଶ କରିବେ ।  ମୋବିସାଇ ଚଳିତ କିମ୍ବା ଆସନ୍ତା ସପ୍ତାହରେ ଏହି ସେବା ଆରମ୍ଭ କରିବାକୁ ଯାଉଥିବାବେଳେ ଓଲାକୁ ଆଉ କିଛି ଦିନ ଲାଗିବ । ଓଲା ପକ୍ଷରୁ ଏବେ ଏହି ସେବାର ପାଇଲଟିଂ ଚାଲିଛି । ସେହିପରି ଫୋର୍ଡ କମ୍ପାନି ଦ୍ୱାରା ସହାୟତା ପ୍ରାପ୍ତ କମ୍ପାନି ଜୁମ କାର ପକ୍ଷରୁ ପିଇଡିଏଲ୍‌ ନାମକ ସାଇକେଲ ସେବା ଆରମ୍ଭ କରାଯିବା ବିଷୟ ଘୋଷଣା କରାଯାଇଛି ।

ସମ୍ବନ୍ଧିତ ଖବର