ମାରୁତି ସୁଜୁକିର ନୂଆ ସ୍ୱିଫ୍ଟ

ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ପକ୍ଷରୁ ଚଳିତ ବର୍ଷର ଅଟୋ ଏକ୍ସପୋରେ ନୂଆ ପିଢ଼ିର ସ୍ୱିଫ୍ଟ ଉନ୍ମୋଚନ କରାଯାଇଛି। ମାରୁତି ସୁଜୁକିର ଏମ୍‌ଡି ତଥା ସିଇଓ କେନିଚି ଆୟୁକାଓ୍ଵା ଏହି ନୂଆ କାର୍‌ର ଉନ୍ଚୋଚନ କରିଛନ୍ତି। ୨୦୦୫ରେ ସ୍ୱିଫ୍ଟ ବଜାରକୁ ଆସିବା ପରେ ଏହି କାର ଦେଶର ଏକ ଲୋକପି୍ରୟ ହ୍ୟାଚ୍‌ବ୍ୟାକ୍‌ କାରରେ ପରିଣତ ହୋଇଛି। ଏଥିଯୋଗୁ ୧.୮ ନିୟୁତରୁ ଅଧିକ ସ୍ୱିଫ୍ଟ ବିକ୍ରି ହୋଇପାରିଛି। ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଏହି କାର ଭାରତର ୫ଟି ସର୍ବାଧିକ ବିକ୍ରି ହେଉଥିବା କାର୍‌ ବ୍ରାଣ୍ଡ୍‌ ମଧ୍ୟରେ ସାମିଲ ହୋଇପାରିଛି। ନୂଆ ସ୍ପିଫ୍ଟକୁ ମଧ୍ୟ ଗ୍ରାହକମାନେ ପସନ୍ଦ କରିବେ ବୋଲି ସେ କହିଛନ୍ତି। ପେଟ୍ରୋଲରେ ପରିଚାଳିତ ନୂଆ ସ୍ୱିଫ୍ଟର ମାଇଲେଜ୍‌ ଲିଟର ପିଛା ୨୨ କିମି ରହିଥିବାବେଳେ ଡିଜେଲ ସ୍ୱିଫ୍ଟର ମାଇଲେଜ୍‌ ୨୮.୪ କିମି ରହିଛି। ଏହି କାର ବିକାଶ ପାଇଁ କମ୍ପାନିକୁ ୭୦୦ କୋଟି ଟଙ୍କା ନିବେଶ କରିବାକୁ ପଡ଼ିଛି। ପୂର୍ବ ମଡେଲ ତୁଳନାରେ ନୂଆ ମଡେଲର ସ୍ପିଫ୍ଟ (ଡିଜେଲ)ରେ ୧୨.୭ ପ୍ରତିଶତ ଏବଂ ପେଟ୍ରୋଲରେ ୭.୮ ପ୍ରତିଶତ ମାଇଲେଜ୍‌ ମିଳିପାରୁଛି ବୋଲି କମ୍ପାନି ଦାବି କରିଛି। ସେହିଭଳି ଏହି କାର୍‌ରେ ୨୮ ପ୍ରତିଶତ ଅଧିକ ବୁଟ୍‌ ସ୍ପେସ୍‌, ୨୪ ମିମିର ଅଧିକ ହେଡ୍‌ରୁମ୍‌ ରହିଛି। ୬ଟି ରଙ୍ଗରେ ଉପଲବ୍ଧ ଏହି କାରର ପେଟ୍ରୋଲ ଭାରିଆଣ୍ଟ ଏକ୍ସସୋ’ରୁମ୍‌ ମୂଲ୍ୟ (ଦିଲ୍ଲୀ) ୪ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୬ ଲକ୍ଷ ୯୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିଭଳି ଡିଜେଲ ଭାରିଆଣ୍ଟର ଏକ୍ସସୋ’ରୁମ୍‌ ମୂଲ୍ୟ(ଦିଲ୍ଲୀ) ୫ ଲକ୍ଷ ୯୯ ହଜାର ଟଙ୍କାରୁ ଆରମ୍ଭ ହୋଇ ୭ ଲକ୍ଷ ୯୬ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି।

ସମ୍ବନ୍ଧିତ ଖବର