ଇଏସ୍‌ଆଇ ସଦସ୍ୟଙ୍କ ପାଇଁ ନୂଆ ଯୋଜନା

ବେରୋଜଗାର ହେଲେ ମିଳିବ ଆର୍ଥିକ ସହାୟତା

ନୂଆଦିଲ୍ଲୀ: କର୍ମଚାରୀ ରାଜ୍ୟ ବୀମା ନିୟମ, ୧୯୪୮ର ସଦସ୍ୟ ଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ନୂଆ କଲ୍ୟାଣ ଯୋଜନା ଘୋଷଣା କରାଯାଇଛି। ଏହାର ନାମ ରହିଛି ‘ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନା’। ଏହି ଯୋଜନାରେ ଇଏସ୍‌ଆଇ ସଦସ୍ୟଙ୍କୁ ବିଭିନ୍ନ ପ୍ରକାର ସୁବିଧା ପ୍ରଦାନ କରାଯିବ। ଚାକିରି ହରାଇ ଯେଉଁ ସଦସ୍ୟମାନେ ବେରୋଜଗାର ହୋଇଥିବେ କିମ୍ବା ନୂତନ ଚାକିରି ସନ୍ଧାନରେ ଥିବେ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯିବ। ସେମାନଙ୍କ ବ୍ୟାଙ୍କ ଖାତାରେ ଏହି ଅର୍ଥ ସିଧାସଳଖ ଜମା କରାଯିବ। ତେବେ କେଉଁ ସଦସ୍ୟମାନେ ଏହି ସୁବିଧା ପାଇବେ ଓ ଏଥିପାଇଁ ଯୋଗ୍ୟତାର ମାନଦଣ୍ଡ କ’ଣ ରହିବ ତାହା ସ୍ପଷ୍ଟ ହୋଇନାହିଁ। ଆଧାର ସିଡିଂକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତି ବ୍ୟକ୍ତିପିଛା ୧୦ ଟଙ୍କା ଲେଖାଏଁ ନିଯୁକ୍ତିଦାତାଙ୍କୁ ଫେରସ୍ତ କରିବାକୁ ରାଜ୍ୟ କର୍ମଚାରୀ ବୀମା ନିଗମ (ଇଏସ୍‌ଆଇସି) ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହା ଦ୍ୱାରା କଂପାନିଗୁଡ଼ିକ ସେମାନଙ୍କ କର୍ମଚାରୀମାନଙ୍କ ଆଧାର ସିଡିଂ କରିବାକୁ ଆଗ୍ରହ ପ୍ରକାଶ କରିବେ ଓ ଇଏସ୍‌ଆଇର ସଦସ୍ୟ କିମ୍ବା ତାଙ୍କ ପରିବାର ଲୋକମାନଙ୍କୁ ବିଭିନ୍ନ ସ୍ଥାନରେ ପଞ୍ଜୀକରଣ କରିବାକୁ ପଡ଼ିବନି।

• ଶବ ସତ୍କାର ବାବଦରେ ମିଳିବ ୧୫ ହଜାର ଟଙ୍କା
• ସୁପର ସ୍ପେସିଆଲିଟି ଚିକିତ୍ସା ନିୟମ କୋହଳ

ସୁପର ସ୍ପେସିଆଲିଟି ଚିକିତ୍ସା ପାଇଁ ଯୋଗ୍ୟତାର ମାନଦଣ୍ଡକୁ ମଧ୍ୟ କୋହଳ କରାଯାଇଛି। ଛଅ ମାସରୁ ଅଧିକ ସମୟ ପର୍ଯ୍ୟନ୍ତ ବୀମାଭୁକ୍ତ ହୋଇଥିବା ଓ ୭୮ ଦିନ ପାଇଁ ଅବଦାନ ପ୍ରଦାନ କରିଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳିବ। ପୂର୍ବ ପ୍ରଚଳିତ ନିୟମ ଅନୁସାରେ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବୀମାଭୁକ୍ତ ଥିବା କର୍ମଚାରୀଙ୍କୁ ଏହି ସୁବିଧା ମିଳୁଥିଲା। ଇଏସ୍‌ଆଇ ସଦସ୍ୟଙ୍କ ଉପରେ ନିର୍ଭରଶୀଳ ଥିବା ବ୍ୟକ୍ତିଙ୍କ ପାଇଁ ସୁପର ସ୍ପେସିଆଲିଟି ଚିକିତ୍ସା ହାସଲ କରିବା ନିୟମ ମଧ୍ୟ କୋହଳ ହୋଇଛି। ଯେଉଁ ସଦସ୍ୟମାନେ ଏକ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ବୀମାଭୁକ୍ତ ହୋଇଥିବେ ଓ ୧୬୫ ଦିନର ଅବଦାନ ପ୍ରଦାନ କରିଥିବେ ସେମାନଙ୍କୁ ଏହି ସୁବିଧା ମିଳିବ।ବୀମାଧାରକଙ୍କ ମୃତ୍ୟୁରେ ଶବ ସତ୍କାର ବାବଦ ଖର୍ଚକୁ ମଧ୍ୟ ୧୫ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି ଯାହା ପୂର୍ବରୁ ୧୦ ହଜାର ଟଙ୍କା ଥିଲା। ଶ୍ରମ ଓ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗଓ୍ଵାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଇଏସ୍‌ଆଇ ନିଗମର ୧୭୫ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର