ରେଳବାଇରେ ବରିଷ୍ଠମାନେ ଅଧସ୍ତନଙ୍କୁ ‘ତୁ’ କହିପାରିବେନି

ନୂଆଦିଲ୍ଲୀ: ରେଳବାଇର କର୍ମ ସଂସ୍କୃତିରେ ବଡ଼ ଧରଣର ପରିବର୍ତନ ଆଣିବା ଦିଗରେ ରେଳ ବୋର୍ଡର ଅଧ୍ୟକ୍ଷ ଅଶ୍ୱିନୀ ଲୋହାନି କାମ କରୁଛନ୍ତି। ସେ ରେଳବାଇର ଡିଆର୍‌ଏମ୍‌, ଜିଏମ୍‌ ଓ ପିଏଚ୍‌ଓଡିମାନଙ୍କୁ ସଠିକ୍‌ ନେତୃତ୍ୱ ନେବାକୁ ଆହ୍ଵାନ ଦେଇଛନ୍ତି। ଅଧସ୍ତନ କର୍ମଚାରୀମାନଙ୍କୁ ‘ତୁ’ କିମ୍ବା ‘ତୁମ୍‌’ ନ ଡାକିବାକୁ ସେମାନଙ୍କୁ ପରାମର୍ଶ ଦିଆଯାଇଛି। ସଂସ୍ଥାର ବିଭିନ୍ନ ସୁପରଭାଇଜର୍‌ ଓ ଷ୍ଟାଫ୍‌ମାନଙ୍କ ସହିତ ଆଲୋଚନା ବେଳେ ଶ୍ରୀ ଲୋହାନି ଜାଣିବାକୁ ପାଇଥିଲେ ଯେ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ କିଭଳି ଭାଷାରେ ଡାକନ୍ତି। ସେମାନେ କେବେ ବି ‘ତୁମ୍‌’ କୁହନ୍ତି ନାହିଁ। ଏଭଳି ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ନିଜ ସହଯୋଗୀମାନଙ୍କ ସହିତ ବାର୍ତାଳାପ କରିବା ବେଳେ ସଂସ୍କୃତି ସମ୍ପନ୍ନ ବ୍ୟବହାର କରିବାକୁ ରେଳ ବୋର୍ଡର ମୁଖ୍ୟ ବରିଷ୍ଠ ଅଧିକାରୀମାନଙ୍କୁ କହିଛନ୍ତି। ରେଳବାଇର କର୍ମ ସଂସ୍କୃତିରେ ପରିବର୍ତନ ଆଣିବା ପାଇଁ ଶ୍ରୀ ଲୋହାନି ଆରମ୍ଭରୁ କାମ କରୁଛନ୍ତି। ୨୦୧୭ ଅଗଷ୍ଟରେ ଏହି ପଦରେ ଯୋଗ ଦେବା ପରେ ସେ ରେଳବାଇରେ ଥିବା ‘ଭିଆଇପି ସଂସ୍କୃତି’ ବନ୍ଦ କରିବାକୁ ପଦକ୍ଷେପ ନେଇଥିଲେ। ରେଳ ବୋର୍ଡର ସଦସ୍ୟମାନଙ୍କ ପାଇଁ ଯେଉଁ ଭିଆଇପି ପ୍ରୋଟୋକଲ୍‌ ଥିଲା ତାହାକୁ ମଧ୍ୟ ଲୋହାନି ବନ୍ଦ କରିଦେଇଥିଲେ। ଶ୍ରୀ ଲୋହାନି ସ୍ୱୀକାର କରିଛନ୍ତି ଯେ ରେଳବାଇ ଭଳି ବୃହତ ସଂସ୍ଥାର କର୍ମ ସଂସ୍କୃତିରେ ପରିବର୍ତନ ଆଣିବାକୁ ହେଲେ ବହୁତ ସମୟ ଲାଗିବ। ଟ୍ରାକ୍‌ମ୍ୟାନ୍‌ମାନଙ୍କୁ ନିଜ ଘରେ ସହାୟକ ଭାବେ କାମ କରାଉଥିବା ଚାରି ଜଣ ବରିଷ୍ଠ ଅଧିକାରୀଙ୍କୁ ନିକଟରେ ରେଳବାଇ ପକ୍ଷରୁ ନିଲମ୍ବନ କରାଯାଇଥିଲା। ଲୋହାନିଙ୍କ ପକ୍ଷରୁ କର୍ମ ସଂସ୍କୃତିରେ ଉନ୍ନତି ଆଣିବା ଉପରେ ବିଶେଷ ଜୋର ଦିଆଯିବା ପରେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା କନିଷ୍ଠମାନଙ୍କ ପ୍ରତି ବ୍ୟବହାରରେ ପରିବର୍ତ୍ତନ ଆସିଛି ବୋଲି ରେଳ ୟୁନିଅନ୍‌ର ମୁଖ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର