ଅକ୍ଟୋବର ପହିଲାରେ ବଦଳିବ ଏହି ୫ ନିୟମ: ଗ୍ରାହକ ହୋଇପାରନ୍ତି ଲାଭବାନ୍

ଅକ୍ଟୋବର ପହିଲାରୁ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନଶୈଳୀ ସହ ଓତଃପ୍ରୋତ ଭାବେ ଜଡିତ ୫ଟି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ଏହା ସାଧାରଣ ଲୋକଙ୍କୁ ନିହାତି ଭାବେ ଫାଇଦା ଦେବ । ତେବେ କେଉଁ ୫ଟି ନିୟମ ପରିବର୍ତ୍ତନ ହେବାକୁ ଯାଉଛି ତାହା ଆସନ୍ତୁ ଜାଣିବା ।

ପୁରୁଣା ଏମ୍ଆରପିରେ ବିକ୍ରି ହେବନି ସାମଗ୍ରୀ :କୌଣସି ବି ବ୍ୟବସାୟୀ ଅକ୍ଟୋବର ୧ରୁ ପୁରୁଣା ଏମଆରପି ଲେଖା ଥିବା ସାମଗ୍ରୀ ବିକ୍ରି କରି ପାରିବେ ନାହିଁ । ୧ ତାରିଖରୁ ନୂଆ ଏମଆରପି ଲେଖାଥିବା ସାମଗ୍ରୀ ବିକ୍ରି କରିବେ । ଯଦି କୌଣସି ବ୍ୟବସାୟୀ ଏପରି ନ କରନ୍ତି ତେବେ ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୁର୍ବରୁ ସରକାର ଏ ନେଇ ଘୋଷଣା କରି ସାରିଛନ୍ତି । ପୁରୁଣା ଏମ୍ଆରପି ଥିବା ସାମଗ୍ରୀ ସେପ୍ଟେମ୍ବର ୩୦ ତାରିଖ ପରେ ବିକ୍ରି ନ କରିବାକୁ ସରକାର ଡେଡଲାଇନ ଦେଇଥିଲେ ।

ଏସବିଆଇ ଲାଗୁ କରିବ ନୂଆ ନିୟମ :ଗତକିଛି ଦିନ ଭିତରେ ଏସବିଆଇ ଗ୍ରାହକଙ୍କ ପାଇଁ ବିଭିନ୍ନ ନିୟମରେ ପରିବର୍ତ୍ତନ କରିଛି । ପୂର୍ବରୁ ଏସବିଆଇ ମେଟ୍ରୋ ଓ ବଡ ସହରରେ ଥିବା ଗ୍ରାହକଙ୍କ ପାଇଁ ନିୟମରେ କିଛି ପରିବର୍ତ୍ତନ କରିଥିଲା । ଏହି ସବୁ ସ୍ଥାନରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ ଖାତାରେ ସର୍ବନିମ୍ନ ୫୦୦୦ ହଜାର ଟଙ୍କା ରଖିବା ପାଇଁ ନିୟମ କରିଥିଲା । ଏସବିଆଇର ଏହି ନିୟମକୁ ନେଇ ସେତେବେଳେ ଗ୍ରାହକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଥିଲା । କିନ୍ତୁ ଏବେ ସେହି ନିୟମରେ ପରିବର୍ତ୍ତନ ଆଣିଛି ଏସବିଆଇ । ଏଣିକି ଅକ୍ଟୋବର ୧ରୁ ଆଉ ଖର୍ଚ୍ଚାନ୍ତ ହେବାକୁ ପଡିବନି ମେଟ୍ରୋ ଓ ସହରରେ ଆକାଉଣ୍ଟ ଥିବା ଗ୍ରାହକଙ୍କୁ । ୧ ଅକ୍ଟୋବରରୁ ଏସବିଆଇ ମେଟ୍ରୋ ଓ ବଡ଼ ବଡ଼ ସହରର ଖାତାଧାରକଙ୍କ ସର୍ବନିମ୍ନ ଜମାରାଶି ୫ହଜାର ଟଙ୍କାରୁ ୩ ହଜାର ଟଙ୍କାକୁ ହ୍ରାସ କରିଛି ।

ଆକାଉଣ୍ଟ ବନ୍ଦ କରିବାକୁ ଶୁଳ୍କ ପଡିବନି:ଯଦି ଷ୍ଟେଟ ବ୍ୟାଙ୍କରେ ଖାତା ବନ୍ଦ କରିବାକୁ ଚିନ୍ତା କରୁଥାନ୍ତି ତେବେ କିଛି ଦିନ ଅପେକ୍ଷା କରନ୍ତୁ । କାରଣ ୧ ଅକ୍ଟୋବର ପରେ ଏସବିଆଇରେ ଆକାଉଣ୍ଟ ବନ୍ଦ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବନି । ପୂର୍ବରୁ ଆକାଉଣ୍ଟ ବନ୍ଦ କରିବା ପାଇଁ ବ୍ୟାଙ୍କ କିଛି ଚାର୍ଜ ନେଉଥିଲା । ଯାହା ୧ ଅକ୍ଟୋବର ପରେ ସମ୍ପୂର୍ଣ୍ଣ ଭାବେ ବନ୍ଦ ହେବ । କିନ୍ତୁ ଏହି ନିୟମରେ କିଛି ସର୍ତ୍ତାବଳୀ ମଧ୍ୟ ଲାଗୁ କରାଯାଇଛି । ଖାତା ଖୋଲିବାର ୧୪ ଦିନ ମଧ୍ୟରେ କିମ୍ବା ଖାତା ଖୋଲିବାର ୧ ବର୍ଷ ପରେ ଆକାଉଣ୍ଟ ବନ୍ଦ କରିବା ଦ୍ୱାରା ଏହି ସୁବିଧାର ଲାଭ ପାଇ ପାରିବେ । କିନ୍ତୁ ଯଦି ଆପଣ ୧୪ ଦିନ ପରେ କିମ୍ବା ଏକବର୍ଷ ମଧ୍ୟରେ ଖାତା ବନ୍ଦ କରନ୍ତି ତେବେ ୫୦୦ ଟଙ୍କା ସହ ଜିଏସଟି ଟ୍ୟାକ୍ସ ମଧ୍ୟ ଗ୍ରାହକଙ୍କୁ ଦେବାକୁ ପଡିବ।

ଏସବିଆଇରେ ମିଶ୍ରଣ ହୋଇଥିବା ବ୍ୟାଙ୍କର ଚେକ୍ ଚଳିବନି :ଦେଶର ବ୍ୟାଙ୍କକୁ ବିଶ୍ୱସ୍ତରୀୟ ବ୍ୟାଙ୍କରେ ପରିଣତ କରିବା ପାଇଁ ବିଭିନ୍ନ ଛୋଟ ଛୋଟ ବ୍ୟାଙ୍କକୁ ବଡ଼ ରାଷ୍ଟ୍ରାୟତ ବ୍ୟାଙ୍କ ସହ ମିଶ୍ରଣ କରାଯାଇଥିଲା । ଏସବିଆଇରେ ମଧ୍ୟ କିଛି ଛୋଟ ଛୋଟ ବ୍ୟାଙ୍କକୁ ମିଶ୍ରଣ କରାଯାଇଛି । ତେବେ ମିଶ୍ରଣ ହୋଇଥିବା ବ୍ୟାଙ୍କର ଗ୍ରାହକଙ୍କ ପାଇଁ ଅକ୍ଟୋବର ୧ରୁ ଏକ ନୂଆ ନିୟମ ଆସିବାକୁ ଯାଉଛି । ଯେଉଁ ଛୋଟ ଛୋଟ ବ୍ୟାଙ୍କକୁ ଏସବିଆଇରେ ମିଶ୍ରଣ କରାଯାଇଛି ସେହିସବୁ ବ୍ୟାଙ୍କର ଚେକ୍ ୧ ଅକ୍ଟୋବରରୁ ଚଳିବ ନାହିଁ । ଏଥିପାଇଁ ଗ୍ରାହକଙ୍କୁ ଏସବିଆଇ ବ୍ରାଞ୍ଚରୁ ନୂଆ ଚେକ୍ ନେବାକୁ ପଡିବ । ଯଦି ଆପଣ ଏହି କାମ ଏବେ ଯାଏଁ ସମାପ୍ତ କରିନାହାନ୍ତି ତେବେ ୧ ଅକ୍ଟୋବର ପୂର୍ବରୁ ଏହି କାମକୁ କରାଇ ନିଅନ୍ତୁ ।

କମିବ ମୋବାଇଲ୍ ଫୋନ୍ କଲ୍ ରେଟ : ମୋବାଇଲ ବ୍ୟବହାରକାରୀଙ୍କୁ ଦଶହରା ଭେଟି ଦେବାକୁ ଯାଉଛନ୍ତି ସରକାର । ୧ ଅକ୍ଟୋବରରୁ ମୋବାଇଲ ଗ୍ରାହକ ଶସ୍ତା କଲ୍ ରେଟର ସୁବିଧା ପାଇପାରିବେ । ଟେଲିକମ ରେକୁଲେଟର ଅଥରିଟି ଅଫ ଇଣ୍ଡିଆ(ଟ୍ରାଇ) ୧ ଅକ୍ଟୋବରରୁ ଇଣ୍ଟରକନେକ୍ସନ ଚାର୍ଜ କମାଇବାକୁ ଘୋଷଣା କରିଛି । ଫଳରେ ବିଭିନ୍ନ ଟେଲିକମ କମ୍ପାନି ଶସ୍ତା କଲ ରେଟ ଅଫର ଗ୍ରାହକଙ୍କୁ ଦେଇପାରନ୍ତି ।

ସମ୍ବନ୍ଧିତ ଖବର