ବଜାରରେ ନୂଆ ସ୍ମାର୍ଟ ସ୍ପିକର୍‌

ଭୁବନେଶ୍ୱର: ପ୍ରଯୁକ୍ତି କ୍ଷେତ୍ରରେ ଏକ ବଡ଼ ଧରଣର ବିପ୍ଳବ ଆରମ୍ଭ ହୋଇଛି। ତାହା ହେଉଛି ସ୍ମାର୍ଟ ସ୍ପିକର୍‌। ସାଧାରଣ ସ୍ପିକରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ। ଲୋକମାନଙ୍କ ଅନେକ କାମ ସହଜ କରିବାରେ ଏହା ସହାୟକ ହେବ। ଗୀତ ଶୁଣାଇବାଠାରୁ ଆରମ୍ଭ କରି ଟ୍ରାଫିକ୍‌ ସୂଚନା ଦେବା ପର୍ଯ୍ୟନ୍ତ ଅନେକ କାମ ଏହା କରିବ। ଏସି ଅନ୍‌ କରିପାରିବ ଓ ଲାଇଟ୍‌ ବନ୍ଦ କରିପାରିବ। ପ୍ରତିଦିନର ଖବର ଜଣାଇବ ଓ ପାଣିପାଗ ସୂଚନା ମଧ୍ୟ ଦେବ। ଭାରତର ସ୍ମାର୍ଟ ସ୍ପିକର୍‌ ବଜାର ଉପରେ ନଜର ପକାଇଛନ୍ତି ଆମାଜନ୍‌, ସାଓମି ଓ ଗୁଗୁଲ।
ସ୍ମାର୍ଟ ସ୍ପିକର୍‌ ଲୋକମାନଙ୍କ ପାଇଁ ଅନେକ କାମ କରିଦେବ। ଏହା ଡିଜିଟାଲ୍‌ ସହାୟକ ଭାବେ କାମ କରିବ। ଏହା ଦେଖିବାକୁ ସାଧାରଣ ସ୍ପିକର୍‌ ଭଳି। କିନ୍ତୁ ଏହା ଅସାଧାରଣ କାମ କରିପାରୁଛି। ଏହା କେବଳ ଗୀତ ଶୁଣିବାର ସ୍ପିକର୍‌ ନୁହେଁ। ଏସିର ତାପମାତ୍ରାକୁ ନିୟନ୍ତ୍ରଣ କରିବାଠାରୁ ଆରମ୍ଭ କରି ଘରର ଲାଇଟ୍‌କୁ ଅନ୍‌ କିମ୍ବା ଅଫ୍‌ କରିବା ପର୍ଯ୍ୟନ୍ତ ବହୁତ କିଛି କାମ ଏହି ସ୍ପିକର୍‌ କରିପାରୁଛି। ଏହା ହେଉଛି ଭଏସ୍‌ ଆସିଷ୍ଟାଣ୍ଟ୍‌ର କମାଲ୍‌। ଆମାଜନ୍‌ର ଭଏସ୍‌ ଆସିଷ୍ଟାଣ୍ଟ୍‌ ନାମ ହେଉଛି ଆଲେକ୍ସା। ଗୁଗୁଲ୍‌ର ଗୁଗୁଲ୍‌ ଆସିଷ୍ଟାଣ୍ଟ୍‌, ଆପଲ୍‌ର ସିରି ଓ ମାଇକ୍ରୋସଫ୍ଟର କୋର୍ଟାନା ହେଉଛି ସେମାନଙ୍କର ନିଜସ୍ୱ ଭଏସ୍‌ ଆସିଷ୍ଟାଣ୍ଟ୍‌ ପ୍ରଯୁକ୍ତି। ଯେଉଁ କଂପାନିର ସ୍ମାର୍ଟ ସ୍ପିକର୍‌ କିଣିବେ ସେଥିରେ ସେହି ସଂସ୍ଥାର ଭଏସ୍‌ ଆସିଷ୍ଟାଣ୍ଟ୍‌ ରହିବ। ଆଲେକ୍ସା ଓ ଗୁଗୁଲ୍‌ ଆସିଷ୍ଟାଣ୍ଟ୍‌ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ବେଳେ ସିରି ଓ କୋର୍ଟାନାର ବ୍ୟବହାର ସୀମିତ ରହିଛି।
ଆମାଜନ୍‌ ଓ ଗୁଗୁଲ୍‌ ପକ୍ଷରୁ ସ୍ମାର୍ଟ ସ୍ପିକର୍‌କୁ ଯଥା ସମ୍ଭବ ଟ୍ରେଣ୍ଡି କରିବାକୁ ପ୍ରୟାସ କରାଯାଇଛି। ସେଗୁଡ଼ିକ ଘରର ସୌନ୍ଦର୍ଯ୍ୟ ବଢ଼ାଇବାରେ ବିଶେଷ ସହାୟକ ହେବ। ବିଭିନ୍ନ ରଙ୍ଗର ସ୍ମାର୍ଟ ସ୍ପିକର୍‌ ବଜାରରେ ମିଳୁଛି। ଆମାଜନ୍‌ କିଛି ପାଦ ଆଗକୁ ବଢ଼ି ସ୍କ୍ରିନ୍‌ ଥିବା ସ୍ମାର୍ଟ ସ୍ପିକର୍‌ ପ୍ରଦାନ କରୁଛି।
ଆମାଜନ୍‌ ପକ୍ଷରୁ ଭାରତରେ ଇକୋ, ଇକୋ ପ୍ଲସ୍‌ ଓ ଇକୋ ଡଟ୍‌ ନାମକ ତିନି ପ୍ରକାର ସ୍ମାର୍ଟ ସ୍ପିକର୍‌ ବିକ୍ରି କରାଯାଉଛି। ଇଂରାଜୀ ସମେତ ବିଭିନ୍ନ ଆଞ୍ଚଳିକ ଭାଷାକୁ ମଧ୍ୟ ଏହି ସ୍ପିକର୍‌ ବହୁତ ଭଲ ଭାବେ ବୁଝିପାରୁଛି। ତେଣୁ ଯେକୌଣସି ବ୍ୟକ୍ତି ଏହି ସ୍ପିକର୍‌ଗୁଡ଼ିକୁ ସହଜରେ ବ୍ୟବହାର କରିପାରିବେ। ସହଜରେ ବ୍ୟବହାର କରିହେବା ଭଳି ଏହି ସ୍ପିକର୍‌କୁ ପ୍ରସ୍ତୁତ କରାଯାଇଛି। ଆମାଜନ୍‌ ଇକୋ ଡଟ୍‌ର ମୂଲ୍ୟ ୪୪୯୯ ଟଙ୍କା, ଇକୋର ମୂଲ୍ୟ ୯୯୯୯ ଟଙ୍କା ଓ ଇକୋ ପ୍ଲସ୍‌ର ମୂଲ୍ୟ ୧୪,୯୯୯ ଟଙ୍କା ରହିଛି। ଯେଉଁ ସ୍ପିକର୍‌ର ମୂଲ୍ୟ ଯେତେ ଅଧିକ ସେଥିରେ ସେହିଭଳି ଅତିରିକ୍ତ ସୁବିଧା ରହିଛି।
ଗୁଗୁଲ୍‌ ଏହାର ସ୍ମାର୍ଟ ସ୍ପିକର୍‌ ଗୁଗୁଲ୍‌ ହୋମ୍‌ ଓ ହୋମ୍‌ ମିନିକୁ ଚଳିତ ମାସ ୧୦ ତାରିଖରେ ଭାରତରେ ଉନ୍ମୋଚନ କରିବ। ଏହାକୁ ନେଇ ଗ୍ରାହକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଏହି ସ୍ପିକର୍‌ରେ ଗୁଗୁଲ୍‌ ପ୍ଲେ ମ୍ୟୁଜିକ୍‌, ଗୁଗୁଲ୍‌ ସର୍ଚ ଭଳି ସୁବିଧା ରହିବ। ଏହି ସ୍ପିକର୍‌ ପାଣିପାଗ ସୂଚନାଠାରୁ ଆରମ୍ଭ କରି ପ୍ରତିଦିନର ଖବର, ଟ୍ରାଫିକ୍‌ର ସ୍ଥିତି ଆଦି ବିଷୟରେ ସୂଚନା ଦେବ। ଗୁଗୁଲ୍‌ ହୋମ୍‌ର ମୂଲ୍ୟ ପାଖାପାଖି ୮୫୦୦ ଟଙ୍କା ଓ ହୋମ୍‌ ମିନିର ମୂଲ୍ୟ ୩୨୦୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ଚୀନ୍‌ କମ୍ପାନି ସାଓମି ଏହାର ସ୍ମାର୍ଟ ସ୍ପିକର୍‌ ଏମ୍‌ଆଇ ଏଆଇକୁ ଉନ୍ମୋଚନ କରିଛି। ଧଳା ରଙ୍ଗରେ କମ୍ପାନି ଏହି ମିନି ସ୍ପିକରକୁ ଆଣିଛି। ଏହି ସ୍ପିକର ଉପରେ ୪ଟି ବଟନ୍‌ ରହିଛି ଯେଉଁଥିରେ ପ୍ଲେ, ପଜ୍‌, ଆକ୍ଟିଭେଟ୍‌ ଏବଂ ନେକ୍ସଟ ସୁବିଧା ରହିଛି। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ପରିଚାଳିତ ହେଉଥିବାରୁ ଏଥିରେ ଗ୍ରାହକ ୩୫ ନିୟୁତ ଗୀତ, ବହି ଆଦି ପାଇବା ସୁବିଧା ରହିଛି। ଏହାର ମୂଲ୍ୟ ୧୮୦୦ ଟଙ୍କା ପାଖାପାଖି ରହିଛି।

ସମ୍ବନ୍ଧିତ ଖବର