ଦୁର୍ଘଟଣା ହାର କମାଇବାକୁ ଖୁବ୍ ଶୀଘ୍ର ଗାଡ଼ିଗୁଡ଼ିକରେ ଲାଗିବ ସ୍ୱୟଂଚାଳିତ ବ୍ରେକ୍; ସାମ୍ନାରେ ବ୍ୟକ୍ତି କିମ୍ବା ବସ୍ତୁ ଥିଲେ ଆପେ ରହିଯିବ ଗାଡ଼ି
ନୂଆଦିଲ୍ଲୀ: ଦୁର୍ଘଟଣାରେ ପ୍ରତିବର୍ଷ ନାହି ନଥିବା ମୁଣ୍ଡ ଗଡୁଥିବା ବେଳେ ଏବେ ଏହି ସମସ୍ୟାକୁ ଦୂରେଇ ଦେବା ପାଇଁ ଏକ ଆଶାର କିରଣ ଦେଖା ଦେଇଛି। ଆଶା କରାଯାଉଛି ଯେ ୨୦୨୨ ମସିହା ସୁଦ୍ଧା ଗାଡ଼ିଗୁଡ଼ିକରେ ଏକ ସ୍ୱୟଂଚାଳିତ ବ୍ରେକ୍ ଖଞ୍ଜା ଯିବ। ଫଳରେ ସାମ୍ନାରେ କୌଣସି ବି ପ୍ରକାର ବସ୍ତୁ, ବ୍ୟକ୍ତି କିମ୍ବା ଦୁର୍ଘଟଣା ଘଟିବା ପରି ଜିନିଷ ସାମ୍ନାରେ ପଡ଼ିଲେ ଗାଡ଼ିଟି ଆପେ ବନ୍ଦ ହୋଇଯିବ।
ଏହି ନୂଆ ଫିଚର୍ ଆଡଭାନ୍ସ ଡ୍ରାଇଭର୍ ଆସିଷ୍ଟାନ୍ସ ସିଷ୍ଟମ୍(ଏଡିଏଏସ୍)କୁ ସରକାର ଗାଡ଼ିଗୁଡ଼ିକରେ ଲଗାଇବା ବାଧ୍ୟତାମୂଳକ କରିଦେବେ ବୋଲି ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଗୁରୁବାର ଘୋଷଣା କରିଛନ୍ତି।
ଏହି ଏଡିଏଏସ ଫିଚର୍ରେ ଇଲେକ୍ଟ୍ରୋନିକ୍ ଷ୍ଟାବିଲିଟି କଣ୍ଟ୍ରୋଲ୍, ଅଟୋନୋମସ୍ ଏମ୍ର୍ଜେନ୍ସି ବେକ୍ରିଂ ସିଷ୍ଟମ୍ , ଆଣ୍ଟି ଲକ୍ ବ୍ରେକ୍ସ, ଲେନ୍ ଡିପାର୍ଚର୍ ଓ୍ଵାର୍ଣ୍ଣିଂ, ଏବଂ ଆଡପ୍ଟିଭ୍ କ୍ରୁଇସ୍ କଣ୍ଟ୍ରୋଲ୍ ଆଦି ରହିବ।
ସଡ଼କ ପରିବହନ ମନ୍ତ୍ରାଳୟ ପକ୍ଷରୁ ଜାଣିବାକୁ ମିଳିଛି ଯେ ‘ଏମ୍ର୍ଜେନ୍ସି ବେକ୍ରିଂ ସିଷ୍ଟମ୍ ଆକ୍ଟିଭ୍ ହେବା ପରେ ସରକାର ଚାଳକଙ୍କ ଗତି ସଂପର୍କରେ ବି ଅବଗତ ହୋଇପାରିବେ। ଏହି ନୂଆ ଫିଚର୍ ସଂପର୍କରେ ଆମେ ଷ୍ଟେକ୍ହୋଲଡର୍ସ ଏବଂ କମ୍ପାନିମାନଙ୍କ ସହ କଥା ହୋଇସାରିଛୁ। ୨୦୨୧ ମସିହା ସୁଦ୍ଧା ବାହାର ଦେଶମାନଙ୍କରେ ଏହି ଫିଚର୍ କାର୍ଯ୍ୟକାରୀ ହେବା ବେଳେ ୨୦୨୨ ସୁଦ୍ଧା ଆମ ଦେଶରେ କାର୍ଯ୍ୟକାରୀ ହେବ ବୋଲି ଆଶା ରହିଛି।’
ଉଲ୍ଲେଖଯୋଗ୍ୟ, ବାର୍ଷିକ ସଡ଼କ ଦୁର୍ଘଟଣା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପୂରା ବିଶ୍ୱରେ ଭାରତରେ ହିଁ ୮୦ ପ୍ରତିଶତ ସଡ଼କ ଦୁର୍ଘଟଣା ଘଟୁଛି। ଭାରତରେ ବର୍ଷକୁ ୨ ଲକ୍ଷ ଜୀବନ ସଡ଼କ ଦୁର୍ଘଟଣା ହେତୁ ଯାଉଛି।