ସମ୍ଭାବନାର ନୂଆବର୍ଷ

୨୦୧୭ରେ ବ୍ୟବସାୟ ଜଗତ ଅନେକ ଉତ୍‌ଥାନ ପତନ ଦେଇ ଗତି କରିଥିଲା। ସରକାରୀ ନୀତିରେ ପରିବର୍ତ୍ତନଠାରୁ ଆରମ୍ଭ କରି ଅର୍ଥନୀତିରେ ମାନ୍ଦାବସ୍ଥା କର୍ପୋରେଟ୍‌ ସଂସ୍ଥାଗୁଡ଼ିକ ପାଇଁ ଯେତିକି ସୁଯୋଗ ସୃଷ୍ଟି କରିଥିଲା ତା’ଠାରୁ ଅଧିକ ଯନ୍ତ୍ରଣା ଦେଇଥିଲା। ୨୦୧୮ କିନ୍ତୁ କର୍ପୋରେଟ୍‌ ଜଗତ ପାଇଁ ହେବ ସମ୍ଭାବନାର ବର୍ଷ। ଏହାକୁ ନେଇ ଆମର ଏହି ଉପସ୍ଥାପନା:

ମୋବାଇଲ୍‌ ବଜାରରେ ଉତ୍ସାହ ଫେରିବ
୨୦୧୭ ମୋବାଇଲ୍‌ ସେବା ପାଇଁ ଏକ ଖରାପ ବର୍ଷ ଥିଲା ବୋଲି କହିଲେ କିଛି ଭୁଲ ହେବ ନାହିଁ। ମୁକେଶ ଅମ୍ବାନିଙ୍କ କଂପାନି ରିଲାଏନ୍‌ସ ଜିଓର ଆଗମନ ପରେ ଅନେକ ଛୋଟ କଂପାନି କାରବାର ବନ୍ଦ କରିବାକୁ ବାଧ୍ୟ ହୋଇଛନ୍ତି। ଅନିଲ ଅମ୍ବାନି ଓ ଟାଟା ଗ୍ରୁପ୍‌ ନିଜର ମୋବାଇଲ୍‌ କାରବାରରୁ ବିଦାୟ ନେବା ଘୋଷଣା କରିଛନ୍ତି। କେବଳ ତିନିଟି କଂପାନି ଜିଓ, ଏୟାରଟେଲ୍‌ ଏବଂ ଭୋଡାଫୋନ୍‌ ନିଜର ସ୍ଥିତିକୁ ସୁଦୃଢ଼ କରିପାରିଛନ୍ତି। ଆଗାମୀ ଦିନରେ ଏହି ତିନି କଂପାନି ଭିତରେ ହେବ ପ୍ରତିଦ୍ୱନ୍ଦିତା। ୨୦୧୮ଠାରୁ ଟେଲିକମ୍‌ ଶିଳ୍ପ ଏକ ନୂତନ ଅଭିବୃଦ୍ଧି ପଥରେ ଯାତ୍ରା କରିବ। ଆଗାମୀ ଦୁଇ ବର୍ଷରେ ଟେଲିକମ୍‌ ଶିଳ୍ପରେ ୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବାକୁ ଯାଉଛି। ୨୦୧୭ରେ ଟେଲିକମ୍‌ ଶିଳ୍ପ ଯେଉଁଭଳି ସ୍ଥିତି ଦେଇ ଗତି କରିଥିଲା ପୂର୍ବରୁ ସେ ବିଷୟରେ ସ୍ୱପ୍ନରେ ବି କେହି ଭାବିନଥିଲେ। ଜିଓର ଆଗମନ ପରେ ଏବେ ଭାରତୀୟମାନେ ମାସକୁ ୧୫୦ ଜିବି ଡାଟା ବ୍ୟବହାର କରୁଛନ୍ତି ଯାହା ଆମେରିକା ଏବଂ ଚୀନ୍‌ର ବ୍ୟବହାରଠାରୁ ଅଧିକ। ନୂଆବର୍ଷଠାରୁ ଭାରତ ଏହାର ସ୍ଥିତିକୁ ଏ କ୍ଷେତ୍ରରେ ଆହୁରି ସୁଦୃଢ଼ କରିବ। ମୋବାଇଲ୍‌ ସେବା ପ୍ରଦାନକାରୀଗୁଡ଼ିକଙ୍କ ମଧ୍ୟରେ ମିଶ୍ରଣ ପର୍ବ ଶେଷ ହୋଇଯିବା ପରେ ସେମାନେ ଉନ୍ନତ ମାନର ସେବା ପ୍ରଦାନ କରିବା ପାଇଁ ନୂଆ ପ୍ରଯୁକ୍ତି ମୂତୟନ କରିବା ଏବଂ ନୂଆ ପ୍ରକାରର ପ୍ରତିଭାବାନ କର୍ମଚାରୀଙ୍କୁ ନିଯୁକ୍ତ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିବେ। କଂପାନିଗୁଡ଼ିକ ପରଷ୍ପର ସହ ମିଶିଯାଉଥିବାରୁ ଏହି କ୍ଷେତ୍ରର ପରିଚାଳନା ଖର୍ଚ ବହୁତ କମିଯିବ। ଫଳରେ ସେମାନେ ଗ୍ରାହକମାନେ ଆହୁରି ସୁଲଭ ମୂଲ୍ୟରେ ବିଭିନ୍ନ ପ୍ରକାର ସେବା ପ୍ରଦାନ କରିପାରିବେ।

ସୂଚନା ପ୍ରଯୁକ୍ତି ଖର୍ଚ ବଢ଼ିବ


ଅଟୋମେସନ୍‌, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ ଭଳି ନୂତନ ପ୍ରଯୁକ୍ତିରେ ବିଭିନ୍ନ କଂପାନି ସେମାନଙ୍କ ଖର୍ଚ ପରିମାଣ ବଢ଼ାଇବେ। ବ୍ୟବସାୟ ପ୍ରତିଦ୍ୱନ୍ଦିତାରେ ଆଗୁଆ ରହିବା ପାଇଁ ସେମାନଙ୍କୁ ଆଇଟିରେ ଖର୍ଚ ବଢ଼ାଇବାକୁ ପଡ଼ିବ। ଏହା ଦେଶର ସୂଚନା ପ୍ରଯୁକ୍ତି ଶିଳ୍ପ ପାଇଁ ଦରକାର ହେଉଥିବା ସହାୟତା ଯୋଗାଇ ଦେବ। ୨୦୧୭ରେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଘଟିଥିବା ଅନେକ ଘଟଣା ଯୋଗୁଁ ଭାରତୀୟ ସୂଚନା ପ୍ରଯୁକ୍ତି ଶିଳ୍ପ ଚାପ ମଧ୍ୟରେ ରହିଥିଲା। ଆମେରିକା ସରକାରଙ୍କ ଭିସା କଟକଣା ଆଇଟି କଂପାନିଗୁଡ଼ିକ ପାଇଁ ସବୁଠୁ ବଡ଼ ସମସ୍ୟା ସୃଷ୍ଟି କରିଥିଲା। ୨୦୧୮ରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ, ମେସିନ୍‌ ଲର୍ଣ୍ଣିଂ, ଇଣ୍ଟରନେଟ୍‌ ଅଫ୍‌ ଥିଙ୍ଗସ୍‌, ଥ୍ରିଡି ପ୍ରିଣ୍ଟିଂ ଓ ଡ୍ରୋନ୍‌ ଉପରେ ଅଧିକ ନିବେଶ ହେବ। ଏହା ଆଇଟି କଂପାନିଗୁଡ଼ିକ ପାଇଁ ନୂଆ ସମ୍ଭାବନା ସୃଷ୍ଟି କରିବ। ୨୦୧୭ରେ ଇନ୍‌ଫୋସିସ୍‌ରେ ଆନ୍ତଃ କନ୍ଦଳ ଦେଖିବାକୁ ମିଳିଥିଲା। ୨୦୧୮ରେ ଏହି କଂପାନି ବ୍ୟବସାୟ ଉପରେ ଅଧିକ ମନୋନିବେଶ କରିବ। ଟିସିଏସ୍‌ ଓ ଓ୍ଵିପ୍ରୋ ସେମାନଙ୍କ ସ୍ଥିତିକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ କରିବେ।

ଏନ୍‌ପିଏ ନିୟନ୍ତ୍ରଣ ଆହ୍ଵାନ
୨୦୧୭ରେ ସୁଧ ହାର ହ୍ରାସ ନକରି ସରକାରଙ୍କ ରୋଷର ଶିକାର ହୋଇଥିବା ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ୨୦୧୮ ଅଧିକ ଆହ୍ଵାନପୂର୍ଣ୍ଣ ହେବ। ଧୀରେ ଧୀରେ ବେଲଗାମ ହେଉଥିବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣରେ ରଖିବା ଉପରେ ରିଜର୍ଭ ବ୍ୟାଙ୍କ ଗୁରୁତ୍ୱ ଦେବ। ଫଳରେ ପ୍ରଥମ କିଛି ମାସ ସୁଧ ହାର କମିବାର ବହୁତ କମ୍‌ ସମ୍ଭାବନା ରହିଛି। ରିଜର୍ଭ ବ୍ୟାଙ୍କ ପାଇଁ ଅନ୍ୟତମ ବଡ଼ ଆହ୍ଵାନ ହେଉଛି ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ଥିତିକୁ ସୁଧାରିବା। ବିଶେଷ କରି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନାଦେୟ ଋଣ (ଏନ୍‌ପିଏ) ପରିମାଣ ବହୁତ ଅଧିକ ରହିଛି। ଏନ୍‌୍‌ପିଏ ପରିମାଣ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ରିଜର୍ଭ ବ୍ୟାଙ୍କ ଦୁଇଟି ପର୍ଯ୍ୟାୟରେ ଯେଉଁ ୪୦ ଋଣ ଖିଲାପୀଙ୍କ ତାଲିକା ଜାରି କରିଥିଲା ସେହି ସବୁ ଖାତାଗୁଡ଼ିକର ସ୍ୱଚ୍ଛ କରିବାକୁ ପ୍ରୟାସ କରିବ। କେନ୍ଦ୍ର ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କାର ପାଣ୍ଠି ସହାୟତା ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ସେହି କାମର ମଧ୍ୟ ଦେଖାଶୁଣା କରିବ। ୨୦୧୮ରେ ରିଜର୍ଭ ବ୍ୟାଙ୍କ ଇଲେକ୍ଟ୍ରୋରାଲ୍‌ ବଣ୍ଡ୍‌ ମଧ୍ୟ ଜାରି କରିପାରେ।

ଯାତାୟାତ ପାଇଁ ସିପ୍ଲେନ୍‌, ଇ-ରାଜପଥ


ଯାତୟାତକୁ ସୁଗମ କରିବା ପାଇଁ ୨୦୧୮ରେ ଅନେକ ବୈପ୍ଳବିକ ପ୍ରକଳ୍ପ ଉପରେ କାମ ଆରମ୍ଭ ହେବ। ଦେଶରେ ୧୦ ହଜାର ସିପ୍ଲେନ୍‌ ଚଳାଚଳ କରିବ। ଇଲେକ୍ଟ୍ରିକ୍‌ ଯାନ ପାଇଁ ସ୍ୱତନ୍ତ୍ର ଇ-ରାଜପଥ ପ୍ରସ୍ତୁତ କରାଯିବ। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସହିତ ମିଶି ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସିପ୍ଲେନ୍‌ ପ୍ରକଳ୍ପ ଆରମ୍ଭ କରାଯିବାର ସମ୍ଭାବନା ରହିଛି। ଏକ ଫୁଟ ପାଣି ଥିବା ସ୍ଥାନରେ ସିପ୍ଲେନ୍‌ ଅବତରଣ କରିପାରିବ ଏବଂ ମାତ୍ର ତିନି ମିଟର ଭିତରେ ଏହା ନିଜର ଗତିକୁ ନିୟନ୍ତ୍ରଣ କରିପାରିବ। ଏହା ଘଣ୍ଟାକୁ ୪୦୦ କିମି ବେଗରେ ଯାତ୍ରା କରିପାରିବ। ୨୦୧୮ରେ ସିପ୍ଲେନ୍‌, କ୍ରୁଜ୍‌, ଜଳପଥ, ଇଲେକ୍ଟ୍ରିକ୍‌ ଯାନ, ପଡ୍‌ ଟ୍ୟାକ୍ସି, କାଟାମାରନ୍‌ସ ଏବଂ ଏକ୍ସପ୍ରେସ୍‌େଓ୍ଵ କ୍ଷେତ୍ରରେ ଅନେକ କାମ ହେବ। ଏହି ସବୁ ପ୍ରକଳ୍ପ ଯୋଗୁଁ ବିପୁଳ ପରିମାଣର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଏସବୁ ନୂଆ କାର୍‌ ଆସିବ


୨୦୧୮ରେ ଭାରତୀୟ ବଜାରକୁ ଆସିବ ଅଡି କ୍ୟୁ୫, ମାରୁତିର ନୂଆ ସ୍ୱିଫ୍ଟ, ହୁଣ୍ଡାଇର ନୂଆ କ୍ରେଡା, ମିତସୁବିସ୍‌ ଆଉଟଲ୍ୟାଣ୍ଡର୍‌, ଫକ୍ସଓ୍ଵାଗନ ଜେଟା, ଫୋର୍ଡ ଫିଗୋ କ୍ରସ୍‌, ଜାଗୁଆର ଇ-ପେସ୍‌, ମର୍ସିଡିସ୍‌ ବେଞ୍ଜ ଏସ୍‌ କ୍ଲାସ୍‌, ବିଏମ୍‌ଡବ୍‌ଲ୍ୟୁ ଏକ୍ସ୩, ଟୟୋଟା ଭିଓସ୍‌, ଟୟୋଟାର ନୂଆ କାମ୍ରି, ଡାଟସନ୍‌ ଗୋ କ୍ରସ୍‌, ବିଏମ୍‌ଡବ୍‌ଲ୍ୟୁ ଆଇ୩, ଏକ୍ସ୨, ନିସାନ୍‌ ଏକ୍ସଟ୍ରେଲ୍‌, ମହିନ୍ଦ୍ରା ଏସ୍‌ ୨୦୧ ଭଳି ବହୁତ ନୂଆ ପ୍ରକାର ମଡେଲ୍‌।

ଆସିବ ଆକର୍ଷଣୀୟ ବାଇକ୍‌, ସ୍କୁଟର


ସିଜୁକି ଇଣ୍ଟ୍ରୁଡର୍‌ ଫୁଏଲ୍‌ ଇଞ୍ଜେକ୍ସନ, ସୁଜୁକି ସ୍ୱିସ୍‌ ୧୨୫, ୟାମାହା ଓ୍ଵାଇଜେଡ୍‌ଏଫ୍‌-ଆର୍‌୩, ୟାମାହା ଏମ୍‌ଟି-୦୩, ହୋଣ୍ଡା ସିବି ହର୍ନେଟ୍‌, ହୋଣ୍ଡା ସିବିଆର୍‌୧୫୦ ଆର୍‌, ସିବିଆର୍‌୩୦୦ଆର୍‌, ହୋଣ୍ଡାଏକ୍ସଆର୍‌ଇ୩୦୦, ଟିଭିଏସ୍‌ ଗ୍ରାଫାଇଟ୍‌ ୧୨୫ ସିସି ସ୍କୁଟର, ଟିଭିଏସ୍‌ ଆପାଚି ଆର୍‌ଟିଆର୍‌ ୧୬୦, ୧୮୦, ହିରୋ ଏକ୍ସପ୍ଲସ୍‌ ଭଳି ନୂଆ ମଡେଲ୍‌ ବଜାରକୁ ଆସିବ। ଏହା ବାଦ ବିଏମ୍‌ଡବ୍‌ଲ୍ୟୁ ଏବଂ କାଓ୍ଵାସାକି ଭଳି କଂପାନି ସେମାନଙ୍କ ବିଳାସପୂର୍ଣ୍ଣ ବାଇକ୍‌କୁ ବଜାରରେ ପ୍ରବେଶ କରାଇବେ। ଏହା ବ୍ୟତୀତ ବିିଭିନ୍ନ କଂପାନି ସେମାନଙ୍କ ପୁରୁଣା ମଡେଲ୍‌ର ଅପ୍‌ଗ୍ରେଡ୍‌ ଭର୍ସନ ମଧ୍ୟ ବଜାରକୁ ଛାଡ଼ିବେ। ସ୍କୁଟର ବଜାରରେ ଅଧିକ ନୂଆ ମଡେଲ୍‌ ବଜାରକୁ ଆସିବ ବୋଲି ଆକଳନ କରାଯାଇଛି। ଶକ୍ତିଶାଳୀ ବାଇକ୍‌ର ଚାହିଦା ମଧ୍ୟ ଢ଼େର ଅଧିକ ରହିପାରେ।

ସମ୍ବନ୍ଧିତ ଖବର