ଅଧା ସମ୍ପତ୍ତି ଦାନ କରିବେ ନିଲେକାନି

ନ୍ୟୁୟର୍କ: ଇନ୍‌ଫୋସିସ୍‌ର ସହ ପ୍ରତିଷ୍ଠାତା ତଥା ଭାରତୀୟ ସ୍ୱତନ୍ତ୍ର ପରିଚୟପତ୍ର କର୍ତୃପକ୍ଷ (ୟୁଆଇଡିଏଆଇ)ର ମୁଖ୍ୟ ଭାବେ କାମ କରିଥିବା କୋଟିପତି ଶିଳ୍ପପତି ନନ୍ଦନ ନିଲେକାନି ଓ ତାଙ୍କ ପତ୍ନୀ ରୋହିଣୀ ନିଲେକାନି ନିଜ ସମ୍ପତ୍ତିର ଅଧା ଭାଗ ଦାନ କରିବେ। ତାଙ୍କ ସହିତ ଭାରତୀୟ ବଂଶୋଭବ ଅନ୍ୟ ତିନି ଜଣ କୋଟିପତି ମଧ୍ୟ ନିଜ ସମ୍ପତ୍ତିର ଅଧା ଭାଗ ଦାନ କରିବେ। ବିଶ୍ୱର ଦୁଇ ପ୍ରମୁଖ ଧନୀ ବ୍ୟକ୍ତି ବିଲ୍‌ ଗେଟ୍‌ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟସ୍‌ ଏବଂ ଓ୍ଵାରେନ୍‌ ବଫେଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପରୋପକାରୀ କାର୍ଯ୍ୟକ୍ରମରେ ନିଲେକାନିଙ୍କ ସମେତ ଅନ୍ୟମାନେ ସାମିଲ ହୋଇଛନ୍ତି। ସମସ୍ତେ ନିଜ ସମ୍ପତ୍ତିର ଅଧାରୁ ଅଧିକ ଭାଗ ପରୋପକାରୀ କାର୍ଯ୍ୟରେ ବିନିଯୋଗ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି। ଗିଭିଙ୍ଗ୍‌ ପ୍ଲେଜ୍‌ ନାମକ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ସମ୍ପତ୍ତି ଦାନ କରିବାକୁ ଘୋଷଣା କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ନିଲେକାନି ପତିପତ୍ନୀ, ଅନୀଲ ଓ ଏଲିସନ୍‌ ଭୂସରି, ସମଶେର ଓ ସବିନା ବାୟଲିଲ୍‌, ବିଆର୍‌ ସେଟ୍ଟି ଓ ତାଙ୍କ ପତ୍ନୀ ଚନ୍ଦ୍ରକୁମାରୀ ରଘୁରାମ ସେଟ୍ଟି ସାମିଲ ହୋଇଛନ୍ତି। ଗତବର୍ଷ ୧୪ ଜଣ ଲୋକ ଏହି ସଂସ୍ଥା ସହିତ ଯୋଡ଼ି ହୋଇଛନ୍ତି। ୨୦୧୦ରେ ଆମେରିକାର ୪୦ ଧନୀଙ୍କୁ ନେଇ ଗିଭିଙ୍ଗ୍‌ ପ୍ଲେଜ୍‌ ସଂସ୍ଥା ଏହାର ଯାତ୍ରା ଆରମ୍ଭ କରିଥିଲା। ଏବେ ୨୨ଟି ଦେଶର ୧୮୩ ଜଣ ଧନୀ ବ୍ୟକ୍ତି ଏହା ସହିତ ଯୋଡ଼ି ହୋଇସାରିଲେଣି। ଏହି ସଂସ୍ଥା ଜରିଆରେ ବିଲ୍‌ ଓ ମେଲିଣ୍ଡା ଗେଟସ୍‌ ଓ ଓ୍ଵାରେନ୍‌ ବଫେ ବିଶ୍ୱର ପ୍ରମୁଖ ଧନୀ ବ୍ୟକ୍ତିମାନଙ୍କୁ ସେମାନଙ୍କ ଅଧା ସମ୍ପତ୍ତି ପରୋପକାରୀ କାର୍ଯ୍ୟରେ ବିନିଯୋଗ କରିବା ପାଇଁ ଆହ୍ଵାନ ଦେଉଛନ୍ତି। ନିକଟ ଅତୀତରେ କାନାଡ଼ା, ଭାରତ, ୟୁଏଇଓ ଆମେରିକାର ଅନେକ ଧନୀ ବ୍ୟକ୍ତି ଏହି ସଂସ୍ଥା ସହିତ ଯୋଡ଼ି ହୋଇଛନ୍ତି।

ସମ୍ବନ୍ଧିତ ଖବର