ବ୍ରିଟେନ୍‌ରେ ଲୁଚିଛନ୍ତି ନିରବ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍‌ବି) ମହାଠକେଇର ମୁଖ୍ୟ ଖଳନାୟକ ନିରବ ମୋଦି ବ୍ରିଟେନ୍‌ରେ ରହୁଛନ୍ତି। ସିବିଆଇ ହାତରେ ଏହି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। ସିବିଆଇ ଏହି ତଥ୍ୟ ପାଇବା ପରେ ଗୃହ ମନ୍ତ୍ରାଳୟକୁ ତାଙ୍କର ପ୍ରତ୍ୟର୍ପଣ ପାଇଁ ପ୍ରଚେଷ୍ଟା ଆରମ୍ଭ କରିଦେଇଛିି। ନିରବଙ୍କୁ ଭାରତ ଫେରାଇ ଆଣିବା ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ମାଧ୍ୟମରେ ବିି୍ରଟେନ୍‌କୁ ଅନୁରୋଧପତ୍ର ପଠାଯିବ ବୋଲି କୁହାଯାଇଛି।
ଏତଦ୍‌ବ୍ୟତୀତ ସିବିଆଇ ପକ୍ଷରୁ ନିରବଙ୍କୁ ଅଟକ ରଖିବା ଲାଗି ସିବିଆଇ ପକ୍ଷରୁ ଇଣ୍ଟରପୋଲ୍‌କୁ ଅନୁରୋଧ କରାଯାଇଛି। ପୂର୍ବରୁ ଗତ ଜୁନ୍‌ରେ ସିବିଆଇର ଅନୁରୋଧ କ୍ରମେ ନିରବଙ୍କ ନାମରେ ଇଣ୍ଟରପୋଲ୍‌ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିସାରିଛି।
ଉଲ୍ଲେଖଯୋଗ୍ୟ ଯେ, ଦେଶର ଏହି ସର୍ବବୃହତ୍‌ ବ୍ୟାଙ୍କ ଠକେଇ ପଦାକୁ ଆସିବା ପୂର୍ବରୁ ନିରବ ମୋଦୀଙ୍କ ସମେତ ତାଙ୍କ ପତ୍ନୀ ଆମି ମୋଦୀ, ଭାଇ ନିଶାଲ ମୋଦୀ ଏବଂ ମାମୁ ମେହୁଲ୍‌ ଚୋକ୍‌ସୀ ଭାରତ ଛାଡ଼ି ବିଦେଶ ପଳାଇଛନ୍ତି। ତେବେ ମେହୁଲ୍‌ ଆଣ୍ଟିଗୁଆରେ ବାସ କରିବା ସହ ସେଠାକାର ନାଗରିକତ୍ୱ ନେଇ ସାରିଥିବା ବିଷୟ ଗତ କିଛିଦିନ ପୂର୍ବେ ଜଣାପଡ଼ିଛି। ନିରବଙ୍କ ପତ୍ନୀ ଆମି ମୋଦୀ ଆମେରିକୀୟ ନାଗରିକ ହୋଇଥିବା ବେଳେ ଭାଇ ନିଶାଲ ବେଲ୍‌ଜିୟମର ନାଗରିକ। ଏବେ ନିରବ ଓ ମେହୁଲ୍‌ ରହୁଥିବା ସ୍ଥାନ ସମ୍ପର୍କରେ ସିବିଆଇ ଜାଣି ସାରିଥିବା ବେଳେ ଖୁବ୍‌ଶୀଘ୍ର ଆମି ମୋଦୀ ଏବଂ ନିଶାଲ ମୋଦୀ ଧରାପଡ଼ିବେ ବୋଲି ଆଶା କରାଯାଉଛି। ନିରବ ଓ ଅନ୍ୟ ଅଭିଯୁକ୍ତମାନେ ପିଏନ୍‌ବିର ବ୍ରାଡି ହାଉସ୍‌ ଶାଖାର ଅଧିକାରୀମାନଙ୍କୁ ହାତକରି ଜାଲ୍‌ ଲେଟର୍‌ ଅଫ୍‌ ଅଣ୍ଡରଷ୍ଟାଣ୍ଡିଙ୍ଗ୍‌ (ଏଲ୍‌ଓୟୁ) ମାଧ୍ୟମରେ ବିଦେଶରେ ଥିବା ଭାରତୀୟ ବ୍ୟାଙ୍କର କେତେକ ଶାଖାରୁ ୧୪ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ଠକି ନେଇଛନ୍ତି। ଏହି ଠକେଇ ଯୋଗୁଁ ପିଏନ୍‌ବିକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି।

ସମ୍ବନ୍ଧିତ ଖବର