ବ୍ୟାଙ୍କ ଖାତା ଖୋଲିବାକୁ ଆସି ଫସିଲେ : କୋର୍ଟରେ କହିଲେ ୧୮ ଲକ୍ଷ ଟଙ୍କିଆ ଚାକିରି କରୁଛି

ଲଣ୍ଡନ: ଜଣେ ବ୍ୟାଙ୍କ କିରାଣୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁ ଲଣ୍ଡନରେ ନିରବ ମୋଦୀ ଗିରଫ ହୋଇଛନ୍ତି। ସେ ମେଟ୍ରୋ ବ୍ୟାଙ୍କର ଏକ ଶାଖାକୁ ନୂଆ ଖାତା ଖୋଲିବାକୁ ଯାଇଥିଲେ। ସେଠାରେ ବ୍ୟାଙ୍କର କିରାଣୀ ତାଙ୍କୁ ଚିହ୍ନି ପାରିଥିଲେ। ଯେହେତୁ ନିରବଙ୍କୁ ନେଇ ଲଣ୍ଡନର ଗଣମାଧ୍ୟମରେ ଅନେକ ଖବର ପ୍ରକାଶ ପାଉଥିଲା ତେଣୁ ତାଙ୍କୁ ଚିହ୍ନିବାରେ କିରାଣୀ ଜଣକ କୌଣସି ଭୁଲ କରିନଥିଲେ। ସଙ୍ଗେ ସଙ୍ଗେ ସେ ସ୍କଟଲ୍ୟାଣ୍ଡ୍‌ ୟାର୍ଡ ପୁଲିସକୁ ବ୍ୟାଙ୍କ ଶାଖାରେ ନିରବଙ୍କ ଉପସ୍ଥିତି ବିଷୟରେ ଅବଗତ କରିଥିଲେ। କିରାଣୀ ଜଣକ ପୁଲିସକୁ ତାଙ୍କ ବିଷୟରେ ସୂଚନା ଦେଇସାରିଥଇବା ବିଷୟରେ ନିରବ କିଛି ବି ଜାଣିପାରିନଥିଲେ। କିଛି ସମୟ ଭିତରେ ସ୍କଟଲ୍ୟାଣ୍ଡ୍‌ ୟାର୍ଡ ପୁଲିସ ଉକ୍ତ ବ୍ୟାଙ୍କ ଶାଖାରେ ପହଞ୍ଚି ନିରବଙ୍କୁ ଗିରଫ କରିଥିଲେ।
ଗିରଫ ହୋଇ କୋର୍ଟରେ ହାଜର ହେବାପରେ ନିରବଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିଲା। ସେହି ସମୟରେ ସେ ଅଦାଲତଙ୍କୁ ତାଙ୍କ ଦରମା ସ୍ଲିପ୍ ଦେଖାଇଥିଲେ। ସେ ଅଦାଲତଙ୍କୁ ଜଣାଇଥିଲେ ଯେ ସେ ଏକ ସଂସ୍ଥାରେ ଚାକିରି କରୁଛନ୍ତି ଏବଂ ତାଙ୍କୁ ମାସିକ ୧୮ ଲକ୍ଷ ଟଙ୍କା (୨୦ ହଜାର ପାଉଣ୍ଡ୍‌) ଦରମା ମିଳୁଛି। କେବଳ ସେତିକି ନୁହେଁ, ସେ ନିଜର ଟିକସ ସ୍ଲିପ୍ ଏବଂ ବୀମା ନମ୍ବରକୁ ମଧ୍ୟ ପ୍ରଦର୍ଶନ କରିଥିଲେ। ସେ ଅଦାଲତଙ୍କୁ ଜଣାଇଥିଲେ ଯେ, ଗତବର୍ଷ ଜାନୁଆରି ଠାରୁ‌ ସେ ଲଣ୍ଡନରେ ରହୁଛନ୍ତି। ଭାରତରେ ତାଙ୍କ ବିରୋଧରେ ଏହା ପରେ ଅଭିଯୋଗ ହୋଇଛି। ତାଙ୍କ ପୁଅ ଲଣ୍ଡନର ଏକ ସ୍କୁଲ୍‌ରେ ପାଞ୍ଚ ବର୍ଷ ହେଲାଣି ପାଠପଢ଼ୁଥିବା ସେ କହିଛନ୍ତି। ଆଇନଗତ ଭାବେ ଲଣ୍ଡନରେ ରହୁଥିବା ପ୍ରମାଣ କରିବା ପାଇଁ ସେ ନିଜର ନିଯୁକ୍ତି ପାସ୍‌, ହଂକଂର ବ୍ୟାଙ୍କ ପରିଚୟପତ୍ର ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକର କାର୍ଡ ଓ ଯାତାୟାତ ଟିକସଗୁଡ଼ିକୁ ଉପସ୍ଥାପନ କରିଥିଲେ। ଶୁଣାଣି ବେଳେ ନିରବ ‌କହିଥିଲେ ଯେ ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବେ। ଜାମିନ ପାଇଁ ୫ ଲକ୍ଷ ପାଉଣ୍ଡ୍‌ ଦେବାକୁ ମଧ୍ୟ ସେ ପ୍ରସ୍ତୁତ ଥିଲେ। କିନ୍ତୁ ଅଦାଲତ ତାଙ୍କ କଥା ଶୁଣିନଥିଲେ। ମାମଲାର ଶୁଣାଣି କରୁଥିବା ବିଚାରପତି କହିଥିଲେ ଯେ, ଆପଣ ଅନ୍ୟତ୍ର ପଳାଇଯିବେ। ଆତ୍ମସମର୍ପଣ କରିବେ ନାହିଁ ବୋଲି ବିଶ୍ବାସ କରିବାକୁ ଆମ ପାଖରେ ଯଥେଷ୍ଟ ପ୍ରମାଣ ରହିଛି। ଯେହେତୁ ଆପଣଙ୍କ ବିରୋଧରେ ହୋଇଥିବା ଅଭିଯୋଗ ବିପୁଳ ପରିମାଣର ଅର୍ଥରାଶି ଜଡ଼ିତ ଅଛି, ସେଥିପାଇଁ ଆମେ ଆପଣଙ୍କୁ ଜେଲ୍‌ ପଠାଉଛୁ।

ବିକ୍ରି ହେବ ୧୭୩ ଚିତ୍ରକଳା, ୧୧ ଗାଡ଼ି
ନୂଆଦିଲ୍ଲୀ: ପିଏନ୍‌ବିରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦୀଙ୍କ ୧୭୩ଟି ଦାମୀ ‌ଚିତ୍ରକଳା ଏବଂ ୧୧ଟି ଗାଡ଼ିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ବିକ୍ରି କରିବ। ଏସବୁ ସମ୍ପତ୍ତି ବିକ୍ରି କରିବାକୁ ମୁମ୍ବାଇର ଏକ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି।
ନିରବଙ୍କ ୧୭୩ଟି ଚିତ୍ରକଳାର ମୂଲ୍ୟ ୫୭.୨୨ କୋଟି ଟଙ୍କା ରହିଛି। ତାଙ୍କ ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି ରୋଲସ୍‌ ରଏସ୍‌, ପୋର୍ସେ, ମର୍ସିଡିସ୍‌ ଏବଂ ଟୟୋଟା ଫର୍ଚୁନର୍‌। ଚଳିତ ମାସରେ ନିଲାମ ଜରିଆରେ ଏହି ସବୁ ସାମଗ୍ରୀଗୁଡ଼ିକୁ ବିକ୍ରି କରାଯିବ। ଏହା ବ୍ୟତୀତ, ନିରବଙ୍କ ଆଉ ୬୮ଟି ଚିତ୍ରକଳାକୁ ନିଲାମ କରିବାକୁ ଆୟକର ବିଭାଗକୁ ମଧ୍ୟ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ନିରବଙ୍କ ଉପରେ ୯୬ କୋଟି ଟଙ୍କାର ଆୟକର ବାକି ଅଛି। ତାହାକୁ ଆଦାୟ କରିବା ପାଇଁ ତାଙ୍କ ଜବତ ଚିତ୍ରକଳାଗୁଡ଼ିକୁ ନିଲାମ କରାଯିବ।
ନିରବ କରିଥିବା ଠକେଇରେ ତାଙ୍କ ପତ୍ନୀଙ୍କ ସଂପୃକ୍ତି ଥିବା ସମ୍ପର୍କିତ ଚାର୍ଜସିଟ୍‌ ଇଡି ପକ୍ଷରୁ ଦାଖଲ କରାଯାଇଛି। ତାହାକୁ ବିଚାରକୁ ନେଇ ଅଦାଲତ ପକ୍ଷରୁ ତାଙ୍କ ପତ୍ନୀ ଆମି ମୋଦୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି।
ନିରବ ମୋଦୀ ‌ଗତବର୍ଷ ଜାନୁଆରିରେ ଭାରତ ଛାଡ଼ି ଚାଲିଯିବା ପରେ ତାଙ୍କର ବିଭିନ୍ନ ସ୍ଥାନରେ ଥିବା ୯୬୨ କୋଟି ଟଙ୍କାର ସମ୍ପତ୍ତିକୁ ଜବତ କରାଯାଇଛି। ଏସବୁ ସମ୍ପତ୍ତି ହଂକଂ, ସ୍ବିଜରଲ୍ୟାଣ୍ଡ୍‌, ବ୍ରିଟେନ୍, ଆମେରିକା, ସିଙ୍ଗାପୁର ଏବଂ ୟୁଏଇରେ ରହିଛି।
ନିରବ ଭାରତରୁ ପଳାୟନ କରିବା ପରେ ତାଙ୍କୁ ଖୋଜିବା ପାଇଁ ଭାରତ ସରକାରଙ୍କ ତରଫରୁ ଆର୍ମେନିଆ, ବେଲଜିୟମ, ଚୀନ, ଫ୍ରାନ୍ସ, ଜାପାନ, ମାଲେସିଆ, ରୁଷିଆ, ଦକ୍ଷିଣ ଆଫ୍ରିକା, ୟୁଏଇ, ବ୍ରିଟେନ୍, ଆମେରିକା, ହଂକଂ, ସିଙ୍ଗାପୁର ଏବଂ ସ୍ବିଜରଲ୍ୟାଣ୍ଡ୍‌ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଆମେରିକା, ବ୍ରିଟେନ୍ ଏବଂ ଇଜିପ୍ଟ ନିକଟରେ ନିରବଙ୍କୁ ପ୍ରତ୍ୟର୍ପଣ କରିବାକୁ ଅନୁରୋଧ କରାଯାଇଥିଲା।

ସମ୍ବନ୍ଧିତ ଖବର