ବିଜୟ ମାଲ୍ୟା ଘଟଣାର ପୁନରାବୃତ୍ତି : ବିଦେଶ ଖସିଗଲେ ଦେଶର ସବୁଠୁ ବଡ ଠକ ନିରବ ମୋଦି

ନୂଆଦିଲ୍ଲୀ: ବିଜୟମାଲ୍ୟା ହଜାର କୋଟି ଟଙ୍କାର ଠକେଇ କରି ବିଦେଶକୁ ଚାଲିଯିବା ପରି ଆଉ ଏକ ଘଟଣା ଘଟିଛି । ଏବେ ସାରା ଦେଶରେ ଚହଳ ପକେଇ ଦେଇଥିବା ପ୍ରାୟ ବହୁ କୋଟି ଟଙ୍କାର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଠକେଇର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ହୀରା ବ୍ୟବସାୟୀ ନିରବ ମୋଦି ବିଦେଶକୁ ଚାଲିଯାଇଛି । ପିଏନବି ମାମଲାର ତଦନ୍ତ କରୁଥିବା ସିବିଆଇ ନିରବ ମୋଦି ଓ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାପରେ ପ୍ରତିଭୂତି ନିର୍ଦ୍ଦେଶାଳୟ (ଇଡି) ମଧ୍ୟ ଏକ ମାମଲା ଦାଏର କରିଥିଲା ।

୨୦୧୭ରେ ତାଙ୍କ ବିରୋଧରେ ୨୮୦ କୋଟି ଟଙ୍କାର ଏକ ଠକେଇ ମାମଲା ଦାଏର କରିଥିଲା ସିବିଆଇ । କିନ୍ତୁ ଗତ କାଲି ପିଏନଏବି ପକ୍ଷରୁ ସିବିଆଇରେ ୧୧,୪୦୦ କୋଟି ଟଙ୍କାର ଆଉ ଏକ ଅଭିଯୋଗ ଦାଏର କରିଥିଲା । ଏହି ମାମଲା ଜଣାପଡିବା ପରେ ସାରା ଆର୍ଥିକ ଜଗତରେ ଚହଳ ସୃଷ୍ଟି ହୋଇଥିଲା । ପୁଣି ସିବିଆଇର ଏଫଆଇଆର ଭିତ୍ତିରେ ଇଡି ମଧ୍ୟ ପ୍ରିଭେନ୍ସନ ଅଫ ମନି ଲଣ୍ଡରିଙ୍ଗ ଆକ୍ଟ ଅନୁସାରେ ମାମଲା ଦାଏର କରାଯାଇଛି । ଆଜି ଇଡି ପକ୍ଷରୁ ନିରବଙ୍କ କାଲାଘୋଡ଼ା ସ୍ଥିତ ଅଫିସ ଓ ଶୋରୁମରେ ଚଢାଉ କରାଯାଇଥିଲା । ଏହା ଛଡ଼ା ଦେଶବ୍ୟାପୀ ପ୍ରାୟ ୧୨ଟି ଠିକଣାରେ ମଧ୍ୟ ଚଢଉ ହୋଇଛି ।

 

ନିରବ ମୋଦି କେବେ ବିଦେଶ ଗଲେ ତାହା ଜଣାପଡ଼ିନଥିଲେ ମଧ୍ୟ ତାଙ୍କର ପତ୍ନୀ ଯିଏକି ଜଣେ ଆମେରିକା ନାଗରିକ ଗତ ଜାନୁୟାରୀ ୬ରେ ଭାରତରୁ ପଳାଇଯାଇଛନ୍ତି । ତାହାର ଦୁଇଦିନ ପୂର୍ବରୁ ମେହୁଲ ଚୋସକୀ ଭାରତ ଛାଡିଥିଲେ । ଜାନୁୟାରୀ ୧ରେ ନିରବଙ୍କ ଭାଇ ନିସଲ ମୋଦି ଭାରତରୁ ପଳାଇଯାଇଥିଲେ । ଜାନୁୟାରୀ ମାସରେ ହିଁ ନିରବ ଭାରତ ଛାଡ଼ିଥିବା ଅନୁମାନ କରାଯାଉଛି । କିନ୍ତୁ ସବୁ ଅଭିଯୁକ୍ତ ଭାରତ ଛାଡିବା ପରେ ଗତ ଜାନୁୟାରୀ ୩୧ରେ ସିବିଆଇ ଏଫଆଇଆର ଦାଏର କରିଥିଲା ।

ସୂଚନାଯୋଗ୍ୟ ଯେ ଗତ ବିଭିନ୍ନ ବ୍ୟାଙ୍କରୁ ବହୁ କୋଟି ଟଙ୍କାର ଋଣ ନେବା ପରେ କିଙ୍ଗଫିସର ଗ୍ରୁପ ମୁଖ୍ୟ ବିଜୟମାଲ୍ୟା ଗତ ବର୍ଷ ଭାରତରୁ ପଳାୟନ କରି ବ୍ରିଟେନରେ ରହୁଛନ୍ତି । ଏହା ଫଳରେ କେନ୍ଦ୍ରର ମୋଦି ସରକାର ଅନେକ ସମାଲୋଚନାର ଶିକାର ହୋଇଥିଲେ । ପୁଣି ଏପରି ଏକ ଘଟଣା ଘଟିଥିବାରୁ ସରକାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ପାଇଁ ଏକ ବଡ଼ ଅସ୍ତ୍ର ମିଳିଯାଇଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର