ଲଣ୍ଡନରେ ଲୁଚିଛନ୍ତି ନିରବ ମୋଦି

ସିଙ୍ଗାପୁର ପାସପୋର୍ଟ ରଖିଛନ୍ତି

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି) ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଲଣ୍ଡନରେ ଅଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ କୁହାଯାଇଛି। ତାଙ୍କ ପାଖରେ ସିଙ୍ଗାପୁରର ପାସପୋର୍ଟ ରହିଛି। ପିଏନ୍‌ବି ଠକେଇ ପର୍ଦାଫାଶ ହେବା ପରେ ନିରବଙ୍କ ଭାରତୀୟ ପାସପୋର୍ଟକୁ ରଦ୍ଦ କରାଯାଇଛି। ଏବେ ସେ ସିଙ୍ଗାପୁର ପାସପୋର୍ଟ ଜରିଆରେ ବିଭିନ୍ନ ସ୍ଥାନ ଭ୍ରମଣ କରୁଥିବା କୁହାଯାଉଛି। ନିରବଙ୍କ ଭାଇ ନିଶାଲ ମୋଦି ଅର୍ନ୍ତେପ୍‌୍‌ରେ ଥିବା ବେଳେ ତାଙ୍କ ପାଖରେ ବେଲ୍‌ଜିୟମ୍‌ର ପାସ୍‌ପୋର୍ଟ ରହିଛି। ତାଙ୍କ ଭଉଣୀ ପୂର୍ବି ମେହ୍‌ତାଙ୍କ ପାଖରେ ମଧ୍ୟ ବେଲ୍‌ଜିୟମ୍‌ର ପାସ୍‌ପୋର୍ଟ ରହିଛି ଓ ଏବେ ସେ ହଂକଂରେ ଅବସ୍ଥାପନ କରୁଥିବା ଇଡି ପକ୍ଷରୁ କୁହାଯାଇଛି। ପୂର୍ବିଙ୍କ ସ୍ୱାମୀ ମୟଙ୍କ ମେହ୍‌ତାଙ୍କ ପାଖରେ ବ୍ରିଟେନ୍‌ର ପାସ୍‌ପୋର୍ଟ ରହିଛି। ସେ ଅଧିକାଂଶ ସମୟ ନ୍ୟୁୟର୍କ ଓ ହଂକଂ ମଧ୍ୟରେ ଯାତାୟାତ କରୁଛନ୍ତି। ପିଏନ୍‌ବି ମାମଲାରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିରବଙ୍କୁ ସମନ ଜାରି କରାଯାଇଛି। କିନ୍ତୁ ସେ ସମନକୁ ସମ୍ମାନ ଜଣାଉନାହାନ୍ତି। ଠକେଇର ପର୍ଦାଫାଶ ହେବା ପୂର୍ବରୁ ଅତି ଚତୁରତାର ସହିତ ନିରବ ଭାରତରୁ ଖସି ପଳାଇଥିଲେ। ଏବେ ସେ କେଉଁଠାରେ ଅବସ୍ଥାନ କରୁଛନ୍ତି ତାହାର କୌଣସି ସଠିକ୍‌ ସୂଚନା ମିଳୁନାହିଁ। କିଛି ଦିନ ପୂର୍ବରୁ କୁହାଯାଉଥିଲା ସେ ହଂକଂରେ ଅଛନ୍ତି। କିଛି ଦିନ ତଳେ ଇଡି ପକ୍ଷରୁ ନିରବଙ୍କ ବାପା ଦୀପକ ମୋଦି, ଭଉଣୀ ପୂର୍ବି ମେହତା ଓ ତାଙ୍କ ସ୍ୱାମୀ ମୟଙ୍କ ମେହତାଙ୍କୁ ସମନ ଜାରି କରାଯାଇଥିଲା। ଇ-ମେଲ୍‌ ଜରିଆରେ ସେମାନଙ୍କ ପାଖକୁ ସମନ୍‌ ପଠାଯାଇଥିଲା। ଇଡିର ମୁମ୍ବାଇ କାର୍ଯ୍ୟାଳୟରେ ପହଞ୍ଚି ବୟାନ ରେକର୍ଡ କରିବାକୁ ସେମାନଙ୍କୁ କୁହାଯାଇଛି। ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସେମାନଙ୍କୁ ୧୫ ଦିନର ସମୟ ଦିଆଯାଇଛି। ପିଏନ୍‌ବି ଠକେଇକୁ ନେଇ ଇଡି ପକ୍ଷରୁ ଏକ ମନି ଲଣ୍ଡରିଂ ମାମଲା ଦାୟର କରାଯାଇଛି ଓ ତାହାର ତଦନ୍ତ ଜାରି ରହିଛି।
ଇଡି ଭାବୁଛି ଯେ ମନି ଲଣ୍ଡରିଂ କରିବାରେ ନିରବଙ୍କୁ ତାଙ୍କ ଭଉଣୀ ଓ ଭିଣୋଇ ସାହାଯ୍ୟ କରୁଥିଲେ। ନିରବଙ୍କ ପାଣ୍ଠିକୁ ଏଫ୍‌ଡିଆଇ (ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ) ଜରିଆରେ ଭାରତ ପଠାଇବାରେ ପୂର୍ବିି ପ୍ରମୁଖ ଭୂମିକା ନିର୍ବାହ କରୁଥିଲେ। ସେଥିରେ ତାଙ୍କୁ ସ୍ୱାମୀ ମୟଙ୍କ ଆବଶ୍ୟକ ସହଯୋଗ ପ୍ରଦାନ କରୁଥିଲେ ବୋଲି ଇଡି ଭାବୁଛି।

ଉଲ୍ଲେଖଯୋଗ୍ୟ, ଲେଟର୍‌ ଅଫ୍‌ ଅଣ୍ଡରଟେକିଂ (ଏଲ୍‌ଓୟୁ) ଜରିଆରେ ନିରବ ମୋଦି ପିଏନ୍‌ବିରୁ ୧୩ ହଜାର କୋଟି ଟଙ୍କାର ଠକେଇ କରିଛନ୍ତି। ସେଥିରେ ତାଙ୍କୁ ମାମୁଁ ମେହୁଲ ଚୋକ୍‌ସି ସହାୟତା କରିଥିଲେ। ଉଭୟ ମାମୁଁ ଓ ଭଜଣା ଭାରତରୁ ଫେରାର ହୋଇଯାଇଛନ୍ତି। ସେମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ସ୍ୱତନ୍ତ୍ର ଅଦାଲତରେ ଚାର୍ଜସିଟ୍‌ ଦାଖଲ କରାଯାଇଛି।

ସମ୍ବନ୍ଧିତ ଖବର