ସରକାରୀ ବ୍ୟାଙ୍କର ଦୁର୍ବଳ ସ୍ଥିତି : ମନମୋହନ, ରାଜନଙ୍କୁ ଦାୟୀ କଲେ ନିର୍ମଳା

ନ୍ୟୁୟର୍କ : ସରକାରୀ ବ୍ୟାଙ୍କଗୁଡ଼ିକର ଦୁର୍ବଳ ସ୍ଥିତି ଲାଗି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଉପରେ ଦୋଷ ଲଦିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। କଲମ୍ବିଆ ବିଶ୍ବବିଦ୍ୟାଳୟର ସ୍କୁଲ ଅଫ୍‌ ଇଣ୍ଟରନ୍ୟାସନାଲ୍‌ ଆଣ୍ଡ୍‌ ପବ୍ଲିକ୍ ଆଫେୟାର୍ସରେ ବକ୍ତୃତା ପ୍ରଦାନ କରି ସେ କହିଛନ୍ତି, ମନମୋହନ ଓ ରାଜନଙ୍କ ଅମଳରେ ସରକାରୀ ବ୍ୟାଙ୍କଗୁଡ଼ିକ ‘ସବୁଠୁ ଖରାପ’ ସମୟ ଦେଇ ଗତି କରିଥିଲେ।

ଭାରତୀୟ ଅର୍ଥନୀତି ଉପରେ ରାଜନ କିଛି ଦିନ ପୂର୍ବେ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାକୁ ନେଇ ପ୍ରଶ୍ନ କରାଯିବାରୁ ନିର୍ମଳା କହିଥିଲେ, ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ ରାଜନ କାର୍ଯ୍ୟ କରୁଥିବା ବେଳେ ନେତାଙ୍କ ଏକ ଫୋନ୍‌ ଆଧାରରେ ଋଣ ଦିଆଯାଉଥିଲା। ସେଥିପାଇଁ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ସେଥିରୁ ବାହାରିବା ଲାଗି ଏବେବି ସରକାରୀ ବ୍ୟାଙ୍କଗୁଡ଼ିକ ସରକାରୀ ପାଣ୍ଠି ସହାୟତାକୁ ଚାହିରହିଛନ୍ତି। ‌

ସେ କହିଲେ, ମୋର ଉଭୟ ଶ୍ରୀ ସିଂହ ଓ ଶ୍ରୀ ରାଜନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଯେତେବେଳେ ଏହି ଦୁଇ ବ୍ୟକ୍ତିଙ୍କ ହାତରେ କ୍ଷମତା ଥିଲା ସେହି ସମୟରେ ସରକାରୀ ବ୍ୟାଙ୍କଗୁଡ଼ିକ ସବୁଠୁ ଖରାପ ସମୟ ଦେଇ ଗତି କରିଥିଲେ ବୋଳି ସେ ମନେ ପକା‌ଇଦେଇଛନ୍ତି। ବ୍ୟାଙ୍କଗୁଡ଼ିକର ସମ୍ପତ୍ତି ସ୍ଥିତିର ସମୀକ୍ଷା କରିବା ଦିଗରେ ରାଜନ ବହୁତ ଭଲ ପଦକ୍ଷେପ ଗ୍ରହଣ କରିଥିଲେ। କିନ୍ତୁ ବ୍ୟାଙ୍କଗୁଡ଼ିକ ଯେଉଁ ଦୁର୍ବଳ ସ୍ଥିତିରେ ପହଞ୍ଚିଛନ୍ତି ତାହାକୁ ନେଇ ଆମେ ସମସ୍ତେ ପ୍ରଶ୍ନ କରିବା ବିଷୟରେ ଭାବିବା ଦରକାର। ଏହି ସ୍ଥିତି କେଉଁ ଠାରୁ ସୃଷ୍ଟି ହୋଇଥିଲା ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକୁ ଜୀବନରେଖା ପ୍ରଦାନ କରିବା ହେଉଛି ବର୍ତ୍ତମାନ ସ୍ଥିତିରେ ମୋର ପ୍ରାଥମିକ କାର୍ଯ୍ୟ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଏକ ଜରୁରୀକାଳୀନ ଜୀବନରେଖା ଦରକାର ଯାହା ରାତାରାତି ମିଳିବ ନାହିଁ ବୋଲି ସେ କହିଛନ୍ତି।

କେନ୍ଦ୍ରୀୟ ନେତୃତ୍ବକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ଉପରେ ମଧ୍ୟ ନିର୍ମଳା ମତ ରଖିଛନ୍ତି। ଅତ୍ୟଧିକ ଗଣତାନ୍ତ୍ରିକ ନେତୃତ୍ବରେ ଅନେକ ଦୁର୍ନୀତି ହୁଏ। ସେହି ଦୁର୍ନୀତିକୁ ଦୂର କରିବା ଲାଗି ଆଜି ପର୍ଯ୍ୟନ୍ତ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି।

ଦେଶର ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂର କରିବାରେ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଫଳ ହୋଇପାରିନଥିବା ନିର୍ମଳାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ୁଛି। ଅର୍ଥନୀତିର ଗତି ବଢ଼ାଇବା ଲାଗି ସେ ଅନେକ ପଦକ୍ଷେପ ଘୋଷଣା କରିସାରିଲେଣି। ଏଭଳିକି କଂପାନି ଟିକସ ହାରକୁ ୩୦%ରୁ ୨୨%କୁ ଖସାଇଛନ୍ତି। ତଥାପି ଅନେକ ଗୁରୁତ୍ବପୂର୍ଣ୍ଣ ମାନଦଣ୍ଡରେ ଅର୍ଥନୀତି ଦୁର୍ବଳ ରହିଛି।

ସମ୍ବନ୍ଧିତ ଖବର